ଲଙ୍ଗୁଳି ମଠ ଉଚ୍ଛେଦ ବିରୋଧରେ ନାଗା ସାଧୁଙ୍କ ମେଳି : ଶ୍ରୀମନ୍ଦିର ପାଖରେ ମଠ ପାଇଁ ଜାଗା ଦେବାକୁ ଦାବି

ପୁରୀ : ଶ୍ରୀମନ୍ଦିର ଚତୁଃପାର୍ଶ୍ବ ବିକାଶ ପାଇଁ ସିଂହଦ୍ବାର ସମ୍ମୁଖରେ ଥିବା ଲଙ୍ଗୁଳି ମଠକୁ ଭାଙ୍ଗି ଦିଆଯାଇଛି। ଏପରିକି ମେଘନାଦ ପାଚେରି ନିକଟରେ ଥିବା ନାଗା ସାଧୁଙ୍କ ଧୂନା ଗାଦିକୁ ବନ୍ଦ କରି ଦିଆଯାଇଛି। ଏଠାରେ ଥିବା ତ୍ରିଶୂଳ, ବାନା ଆଦିକୁ କାଢ଼ି ନିଆଯାଇଛି। ଏହା ବିରୋଧରେ ନାଗା ସାଧୁମାନେ ମେଳି ବାନ୍ଧିଛନ୍ତି। ବିଭିନ୍ନ ପ୍ରାନ୍ତରୁ ନାଗା ସାଧୁମାନେ ପୁରୀଠାରେ ଏକାଠି ହେବା ସହ ପ୍ରଶାସନର ଲଙ୍ଗୁଳି ମଠ ଉଚ୍ଛେଦକୁ ବିରୋଧ କରିବା ଆରମ୍ଭ କରିଛନ୍ତି।

ପୁରୀରେ ପହଞ୍ଚିଥିବା ଦିଗମ୍ବର ଜନକ ନାଗା ସାଧୁ ବିଶ୍ବମ୍ବର ପୁରୀ କହିଛନ୍ତି, ‘ ଲଙ୍ଗୁଳି ମଠରେ ବସି ମୁଖ୍ୟମନ୍ତ୍ରୀ ପ୍ରତିବର୍ଷ ମହାପ୍ରଭୁଙ୍କ ଦର୍ଶନ କରିଥାନ୍ତି। ଆଜି ସେହି ମଠକୁ ଭାଙ୍ଗି ଦିଆଯାଇଛି। ଏହି ମଠ ଆମର। ଏହି ମଠରୁ ଆମେ ଗୁରୁଦୀକ୍ଷା ନେଉଛୁ। ଭାରତର ବିଭିନ୍ନ ପ୍ରାନ୍ତରେ ୧ ହଜାରରୁ ଅଧିକ ନାଗା ସାଧୁ ଆଶ୍ରମ କରି ରହୁଛନ୍ତି। ଶ୍ରୀକ୍ଷେତ୍ର ପୁରୀରେ ବି ନାଗା ସାଧୁମାନେ ମଠ କରି ରହୁଥିଲେ। କିନ୍ତୁ ପ୍ରଶାସନ ଆମ ମଠକୁ ଭାଙ୍ଗି ଦେଇଛନ୍ତି। ଆମ ଧୂନା ଗାଦିକୁ ବି ଦଖଲରେ ରଖିଛନ୍ତି। ଆମକୁ ଧୂନା ପୂଜା କରିବାକୁ ଦିଆଯାଉନି। ଏହି ଧୂନା ବହୁ ପ୍ରାଚୀନ। ଯଦି ଆମକୁ ଏହି ଗାଦିରେ ପୂଜା ପାଇଁ ସୁଯୋଗ ନ ମିଳୁଛି, ତେବେ ବିକଳ୍ପ ବ୍ୟବସ୍ଥା କରାଯାଉ। ମଠ ପାଇଁ ଜାଗା ଦିଆଯାଉ।’ ଏଥିସହିତ, ସିଂହଦ୍ବାର ହେଉ କି ଅନ୍ୟ ତିନିଦ୍ବାର, ଯେଉଁଠି ବି ହେଲେ ଜାଗା ଦିଆଯାଉ, ଯେଉଁଠାରେ ଆମେ ପୁନର୍ବାର ମଠ କରିପାରିବୁ। ସେହିଠାରେ ଧୂନା ଗାଦି ସହ ସାଧୁସନ୍ଥମାନେ ରହିପାରିବେ ବୋଲି କହିଛନ୍ତି।

ଅପରପକ୍ଷେ, ମଠର ମହନ୍ତ ସଠିକ୍‌ ଭାବେ ପୂଜାର୍ଚ୍ଚନା କରୁନାହାନ୍ତି ଏବଂ ସେ ପ୍ରଶାସନ ସହିତ ମିଶି ସନ୍ନ୍ୟାସୀମାନଙ୍କୁ ସମ୍ମାନ ଦେଉନାହାନ୍ତି ବୋଲି ଅଭିଯୋଗ କରିବା ସହ ତାଙ୍କୁ ବହିଷ୍କାର କରିବା ପାଇଁ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର