ନାଗ ଝଡ଼: ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ବିରୋଧୀ

ଭୁବନେଶ୍ବର: ଯାହା ଅନୁମାନ କରାଯାଉଥିଲା, ତାହା ହିଁ ହେଲା। ନାଗ ଦମ୍ପତି ବ୍ଲାକ୍‌ମେଲ୍‌ ମାମଲାକୁ ନେଇ ବିଧାନସଭାରେ ଝଡ଼ ବହିଲା। ଆଜି କୌଣସି ଆଲୋଚନା ପାଇଁ ସମୟ ନିର୍ଦ୍ଧାରିତ ହୋଇ ନଥିଲେ ମଧ୍ୟ ବିରୋଧୀ ଦଳ ଏହି ପ୍ରସଙ୍ଗ ଉଠାଇ ସରକାରଙ୍କୁ ଅଡ଼ୁଆରେ ପକାଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ। ହୋହଲ୍ଲା ଭିତରେ ଅତିରିକ୍ତ ବଜେଟ୍‌ ଉପସ୍ଥାପନ ‌ହୋଇଥିଲା। ଆସନ୍ତାକାଲି ମଧ୍ୟ ଏହି ପ୍ରସଙ୍ଗରେ ଗୃହ ସରଗରମ ହେବ ବୋଲି ସୂଚନା ମିଳିଛି।

ଆଜି ଅପରାହ୍ଣ ୫ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେଲା ମାତ୍ରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିବା ପାଇଁ ଠିଆ ହେଲେ। ବାଚସ୍ପତି ତାଙ୍କୁ ସୁଯୋଗ ଦେଲେ। ଶ୍ରୀ ମିଶ୍ର କହିଲେ, ସେକ୍ସ ସ୍କାଣ୍ଡାଲ୍‌ରେ ଓଡ଼ିଶା ଉଠୁଛି ପଡ଼ୁଛି। ଏହା ଅତ୍ୟନ୍ତ ଲଜ୍ଜାଜନକ। ଏପରି ଘଟଣା ଓଡ଼ିଶାରେ କେବେ ଘଟି ନଥିଲା। ମନ୍ତ୍ରୀ, ସରକାରୀ ଦଳ ବିଧାୟକ, ଅଫିସର ଏଥିରେ ସଂପୃକ୍ତ ଥିବାର ଅଭିଯୋଗ ଆସୁଛି। ପୁଲିସ ଯାହାକୁ ଗିରଫ କରି ଛାଡ଼ି ଦେଇଥିଲା, ଇଡି ତା’କୁ ଗିରଫ କଲାଣି। ବର୍ତ୍ତମାନ ସୁଦ୍ଧା ଇଡି ତଦନ୍ତ ଠିକ୍ ଭାବେ ଚାଲିଛି। ଏହାର ଆୟକର ତଦନ୍ତ ପାଇଁ ଏସ୍‌ଆଇଟି ନିର୍ଦ୍ଦେଶ ଦେଇଛି। କିନ୍ତୁ ମୁଖ୍ୟମନ୍ତ୍ରୀ ନିଦାବିଷ୍ଣୁ ସାଜିଛନ୍ତି। ସେ ପାଟି ଖୋଲୁନାହାନ୍ତି। ତାଙ୍କ ଦଳର ଲୋକମାନେ ସଂପୃକ୍ତ ଥିବାରୁ ମୁଖ୍ୟମନ୍ତ୍ରୀ ନିରବ ରହୁଛନ୍ତି। ନୈତିକତା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀଙ୍କର ଶାସନରେ ରହିବାର ଅଧିକାର ନାହିଁ। ସେ ତୁରନ୍ତ ଇସ୍ତଫା ଦିଅନ୍ତୁ। ବିରୋଧୀ ଦଳ ମୁଖ୍ୟ ସ‌ଚେତକ ମୋହନ ମାଝୀ କହିଲେ, ଏହା ଏକ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ତଥା ସ୍ପର୍ଶକାତର ପ୍ରସଙ୍ଗ। ଏଥିରେ ମନ୍ତ୍ରୀ, ବିଧାୟକ, ଆଇଏଏସ୍‌, ଆଇପିଏସ୍‌ ଅଫିର ସଂପୃକ୍ତ ଅଛନ୍ତି। ଏହି ପ୍ରସଙ୍ଗକୁ ସରକାର ଯେପରି ଗ୍ରହଣ କରିବା କଥା, ତାହା କରିନାହାନ୍ତି। ମୁଖ୍ୟମନ୍ତ୍ରୀ ଏ ପର୍ଯ୍ୟନ୍ତ ନିରବ ଅଛନ୍ତି। ସେମିତି ଗୋପ ବ୍ଲକ୍‌ରେ ଜଣେ ଜିଲ୍ଲା ପରିଷଦ ସଦସ୍ୟଙ୍କ ଆତ୍ମହତ୍ୟା ପଛରେ ଗଣଶିକ୍ଷା ମନ୍ତ୍ରୀଙ୍କର ସଂପୃକ୍ତି ଅଛି ବୋଲି ଚର୍ଚ୍ଚା ହେଉଛି। ସରକାର ଏଥିରେ ବି ପାଟି ଖୋଲୁନାହାନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିବରତା ହିଁ ସରକାରଙ୍କ ସଂପୃକ୍ତିକୁ ବୁଝାଉଛି। ମୁଖ୍ୟମନ୍ତ୍ରୀ ତୁରନ୍ତ ଇସ୍ତଫା ଦିଅନ୍ତୁ। ଏହି ପ୍ରସଙ୍ଗରେ ବିରୋଧୀ ଦଳର ଅନ୍ୟ ସଦସ୍ୟମାନେ କହିବାକୁ ଚାହୁଁଥିଲେ ମଧ୍ୟ ବାଚସ୍ପତି ସୁଯୋଗ ଦେଇ ନଥିଲେ।

ଯେହେତୁ ଆଜି କେବଳ ବଜେଟ୍‌ ଉପସ୍ଥାପନ ପାଇଁ ନିର୍ଦ୍ଧାରିତ କରାଯାଇଥିଲା, ତେଣୁ ଅନ୍ୟ ସଦସ୍ୟମାନଙ୍କୁ କହିବା ପାଇଁ ସୁଯୋଗ ଦିଆଯାଇପାରିବ ନାହିଁ। ସଦସ୍ୟମାନେ ଆସନ୍ତାକାଲି ଏହି ପ୍ରସଙ୍ଗ ଉଠାଇପାରିବେ ବୋଲି ବାଚସ୍ପତି କହିଥିଲେ। ଏହାପରେ ଅର୍ଥ ମନ୍ତ୍ରୀଙ୍କ ଅନୁପସ୍ଥିତିରେ ବଜେଟ୍‌ ଉପସ୍ଥାପନ କରିବାକୁ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତଙ୍କୁ ବାଚସ୍ପତି କହିଥିଲେ। ମନ୍ତ୍ରୀ ବଜେଟ୍‌ ଉପସ୍ଥାପନ କରୁଥିଲା ବେଳେ ବିରୋଧୀ କଂଗ୍ରେସ ଓ ବିଜେପି ସଭ୍ୟମାନେ ଗୃହ ମଧ୍ୟ ଭାଗକୁ ମାଡ଼ି ଆସି ହୋହଲ୍ଲା କରି ସରକାରଙ୍କ ଇସ୍ତଫା ଦାବି କରିଥିଲେ। ହୋହଲ୍ଲା ଭିତରେ ବଜେଟ୍‌ ଉପସ୍ଥାପନ ପରେ ୫ଟା ୧୦ରେ ବାଚସ୍ପତି ଗୃହକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ।

ସମ୍ବନ୍ଧିତ ଖବର