୨୭ ମୁଣ୍ଡ ଗଡ଼ିବା ପରେ ନାଗାବଳୀ ଝୁଲାପୋଲ ସିଲ୍: ତଥାପି ଟଳିନି ବିପଦ, ଯାଞ୍ଚ କରିବ ବିଶେଷଜ୍ଞ ଟିମ୍

ତାର ବାଡ଼ ଡେଇଁ ବୁଲାବୁଲି କରୁଛନ୍ତି ଅମାନିଆ ପର୍ଯ୍ୟଟକ

ରାୟଗଡ଼ା: ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ରାୟଗଡ଼ାର ଝୁଲାପୋଲ ଡେଥଜୋନରେ ପରିଣତ ହୋଇଛି। ଗତ କିଛି ବର୍ଷ ହେଲା ଝୁଲା ପୋଲ ବୁଲିବାକୁ ଆସି ନାଗାବଳୀ ନଦୀଗର୍ଭରେ ଭାସି ୨୭ରୁ ଉର୍ଦ୍ଧ୍ବ ପର୍ଯ୍ୟଟକଙ୍କ ମୃତ୍ୟୁ ହେଲାଣି। ଅଗଷ୍ଟ ମାସରେ ଝୁଲାପୋଲ ବୁଲିବାକୁ ଆସି ବାପା ସମ୍ମୁଖରେ ନାଗାବଳୀରେ ଦୁଇ ପୁଅ ଭାସିଯିବା ଭଳି ଅଘଟଣ ଘଟିବା ପରେ ପ୍ରଶାସନ ଝୁଲାପୋଲକୁ ସିଲ୍ କରିବା ସହ ଯାତାୟାତ ଉପରେ ରୋକ୍ ଲଗାଇଛି।
ଗୁଜୁରାଟ ଘଟଣା ପରେ ନାଗାବଳୀ ଝୁଲାପୋଲର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ଉଠିଛି। ପୂର୍ବରୁ ଝୁଲାପୋଲକୁ ପ୍ରଶାସନ ସିଲ୍ କରିଥିବା ବେଳେ ଉଚ୍ଚସ୍ତରୀୟ ବିଶେଷଜ୍ଞ ଟିମର ଯାଞ୍ଚ ପରେ ଝୁଲାପୋଲ ପର୍ଯ୍ୟଟକଙ୍କ ପାଇଁ ଖୋଲିବ କି ନାହିଁ ସେ ଦିଗରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ ସ୍ବଧା ଦେବ ସିଂ। ଝୁଲାପୋଲର ସ୍ଥାୟୀତ୍ବ, କେତେ ପର୍ଯ୍ୟଟକ ଏକ ସମୟରେ ଚଳପ୍ରଚଳ କରିପାରିବେ, ପୋଲର ତାର ବାଡ଼, ସୁରକ୍ଷା ପ୍ଲେଟ୍, ଦୁଇପାର୍ଶ୍ବରେ ଥିବା ପିଲର୍ ଟିକନିକ୍ ଭାବେ ବିଶେଷଜ୍ଞ ଟିମ୍ ଯାଞ୍ଚ କରିବ। ବିଶେଷଜ୍ଞ ଟିମ୍ ପଠାଇବାକୁ ରାଜ୍ୟ ସରକାରଙ୍କୁ ରାୟଗଡ଼ା ଜିଲ୍ଲା ପ୍ରଶାସନ ଏ ନେଇ ଅବଗତ କରିଛି। ଏଯାବତ୍ ସରକାର କୌଣସି ପଦକ୍ଷେପ ନେଇନଥିବା ବେଳେ ତାରବାଡ଼ ଡେଇଁ ବହୁ ଅମାନିଆ ପର୍ଯ୍ୟଟକ ପ୍ରଶାସନର ନିର୍ଦ୍ଦେଶକୁ ନ ମାନି ଝୁଲା ପୋଲ ଉପରେ ବୁଲାବୁଲି କରିବା ସହ ନଦୀଗର୍ଭକୁ ଗାଧୋଇବା ପାଇଁ ଯାଉଛନ୍ତି। ଯାହା ଅଘଟଣ ମୁଖ୍ୟ କାରଣ।

ବାରମ୍ବାର ତାଗିଦ୍ ପରେ ମଧ୍ୟ ପର୍ଯ୍ୟଟକ ଏପରି କରୁଥିବାରୁ ନାଗାବଳୀ ଝୁଲାପୋଲକୁ ନେଇ ଏଯାବତ୍ ବିପଦ ଟଳିନି। ସୂଚନାଯୋଗ୍ୟ, ଗତ ୫ ବର୍ଷରେ ୨୭ ମୁଣ୍ଡ ନେଲାଣି ନାଗାବଳୀ। ଅଘଟଣର ଶିକାର ହୋଇଥିବା ଅଧିକାଂଶ ପର୍ଯ୍ୟଟକ ଅଣ ଓଡ଼ିଆ। ନଦୀଗର୍ଭରୁ ଶହେ ଫୁଟ୍ ଉଚ୍ଚତାରେ ନିର୍ମିତ ଝୁଲାପୋଲ ବୁଲିବା ପରେ ସଭିଁଏ ନଦୀକୁ ଯାଇ ଗାଧୋଇବା ସହ ପଥୁରିଆ ଶର୍ଯ୍ୟାରେ ସେଲଫି ଉଠାଇଥାନ୍ତି। ପ୍ରତି ବର୍ଷ ଝୁଲାପୋଲ ଓ ନାଗାବଳୀ ଅବବାହିକା ଅଞ୍ଚଳରେ ହାରାହାରି ୬ ଜଣ ବୁଡ଼ି ମୃତ୍ୟୁବରଣ କରୁଛନ୍ତି। କିଛି ସୌଭାଗ୍ୟବଶତଃ ଭାସିଯିବା ସମୟରେ ନଦୀଗର୍ଭର ପଥୁରିଆ ଶର୍ଯ୍ୟାକୁ ଜାବୁଡ଼ି ବର୍ତ୍ତି ଯାଉଥିବା ବେଳେ ଅଗ୍ନିଶମ ବିଭାଗ ପହଞ୍ଚି ସେମାନଙ୍କୁ ଉଦ୍ଧାର କରୁଛି। ରାୟଗଡ଼ା ବ୍ଲକର ୮ ମାଓ ପ୍ରବଣ ପଞ୍ଚାୟତକୁ ସଂଯୋଗ ପାଇଁ ଆଇଏପି ଯୋଜନାରେ ଦେଢ଼ କୋଟି ବ୍ୟୟରେ ୨୦୧୧ ନଭେମ୍ବରରେ ଝୁଲାପୋଲର ନିର୍ମାଣ ହୋଇଥିଲା। କର୍ଣ୍ଣାଟକର ଭାରତ ଗ୍ରାମ ସେତୁ ପ୍ରତିଷ୍ଠାନ ଚିଫ୍ ଗିରିଶ ଭରଦ୍ବାଜଙ୍କ ଡିଜାଇନରେ ନିର୍ମିତ ହୋଇଥିଲା ୧୫୧ ମିଟର ଲମ୍ବର ଝୁଲାବ୍ରିଜ୍।

ସଂପୂର୍ଣ ଲୁହା ତାରରେ ନିର୍ମିତ ଝୁଲାପୋଲ ମରାମତି ଓ ରକ୍ଷଣାବେକ୍ଷଣ ଅଭାବରୁ ଏବେ ବିପଦସଙ୍କୁଳ ଅବସ୍ଥାରେ ରହିଛି। ୨୦୧୭ ମସିହାରେ ଝୁଲାପୋଲ ବୁଲିବାକୁ ଆସି ୬ ପର୍ଯ୍ୟଟକ ନାଗାବଳୀରେ ବୁଡ଼ି ମରିଥିଲେ। ୨୦୧୮ ରେ ୮ ଜଣ, ୨୦୧୯ରେ ୬, ୨୦୨୦ରେ ଜଣେ, ୨୦୨୧ରେ ୨ ଜଣ, ୨୦୨୨ରେ ୨ ପର୍ଯ୍ୟଟକଙ୍କ ଜୀବନ ଗଲାଣି। ଏଥି ସହିତ ୨୫ରୁ ଉର୍ଦ୍ଧ୍ବ ପର୍ଯ୍ୟଟକଙ୍କୁ ସୁରକ୍ଷିତ ଭାବେ ନଦୀଗର୍ଭରୁ ଉଦ୍ଧାର କରିଛନ୍ତି ଅଗ୍ନିଶମ ବାହିନୀ। ଝୁଲାବ୍ରିଜର ଅବଧି ଶେଷ ହୋଇଯାଇଥିବାରୁ ଏହାର ବିପଦସଙ୍କୁଳ ଘୋଷଣା କରି ବନ୍ଦ କରି ଦେବା ପାଇଁ ଦାବି ହେଉଛି। ନାଗାବଳୀ ଯୋଗୁ ବିଚ୍ଛିନ୍ନାଞ୍ଚଳ ଜୀବନ ବିତାଉଥିବା ଅଞ୍ଚଳକୁ ଯାତାୟାତ ପାଇଁ ବର୍ତ୍ତମାନ ୬ଟି ଓସାରିଆ ଆଧୁନିକ ଜ୍ଞାନକୌଶଳର ବ୍ରିଜ୍ ନିର୍ମାଣ ସରିଛି। କେବଳ ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ ଦୃଷ୍ଟିକୋଣରୁ ଝୁଲାବ୍ରିଜର ଆବଶ୍ୟକତା ରହିଛି। ଯାହା ବର୍ତ୍ତମାନ ବିପଦ ସଙ୍କୁଳ ଅବସ୍ଥାରେ ଥିବାରୁ ପ୍ରଶାସନ ବ୍ରିଜକୁ ସିଲ୍ କରିଛି।

ସମ୍ବନ୍ଧିତ ଖବର