ରାୟଗଡା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଅପରାହ୍ନରେ ଆଭାସୀ ମାଧ୍ୟମରେ ଜିଲ୍ଳାର ନାଗାବଳୀ ପ୍ଳାନେଟାରିୟମକୁ ଲୋକାର୍ପିତ କରିଛନ୍ତି। ଛାତ୍ରଛାତ୍ରୀମାନଙ୍କୁ ବିଜ୍ଞାନ ଶିକ୍ଷାରେ ମନୋନିବେଶ କରିବା ସହିତ ବୈଜ୍ଞାନିକ ମନବୃତି ନେଇ ଜୀବନରେ ଆଗକୁ ବଢିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ରାୟଗଡା ବ୍ଳକ କୋତାପେଟା ଗ୍ରାମ ପଂଚାୟତ ଅନ୍ତର୍ଗତ ଭାକୁରଗୁଡା ନିକଟର ୩୨୬ ନମ୍ବର ଜାତୀୟ ରାଜପଥର କାଦମ୍ବରୀଗୁଡା ଠାରେ ଜିଲ୍ଳାପାଳ ମନୋଜ ସତ୍ୟବାନ୍ ମହାଜନଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି ଲୋକାର୍ପିତ କାର୍ଯ୍ୟକ୍ରମରେ ଆଦିବାସୀ କଲ୍ୟାଣ ତଥା ଆଇନ ବିଭାଗୀୟ ମନ୍ତ୍ରୀ ଜଗନ୍ନାଥ ସାରକା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।ସମ୍ମାନୀତ ଅତିଥି ଭାବେ ରାୟଗଡା ବିଧାୟକ ମକରନ୍ଦ ମୁଦୁଲି, ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ, ଜିଲ୍ଳା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ଅନୁସୂୟା ମାଝି, ଜିଲ୍ଳା ପରିଷଦ ଅଧ୍ୟକ୍ଷା ସରସ୍ୱତୀ ମାଝି ପ୍ରମୁଖ ମଂଚାସୀନ ହୋଇଥିଲେ।
ଆଭାସି ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ୫ଟି ଅଧ୍ୟକ୍ଷ କାର୍ତିକେୟନ ପାଣ୍ଡିଆନ୍ ଜିଲ୍ଳାସ୍ତରୀୟ ପ୍ଳାନେଟାରିୟମ୍ ଭେଟି ଦେଇଥିବାରୁ କଲେଜ ଛାତ୍ରୀ ଏନ.ବ୍ଳେନଡିନା ମେରୀ ଧନ୍ୟବାଦ ଜଣାଇବା ସହ ମହାକାଶରେ ଗ୍ରହ ନକ୍ଷେତ୍ରର ଗତି ସମ୍ବନ୍ଧୀୟ ସମସ୍ତ ବିଷୟବସ୍ତୁ ବିଷୟରେ ଆଦିବାସୀ ବହୁଳ ରାୟଗଡା ଜିଲ୍ଳାର ଛାତ୍ରଛାତ୍ରୀମାନେ ଜ୍ଞାନ ପାଇପାରିବେ ଏବଂ ପୂର୍ବରୁ ଏଭଳି ସୁବିଧାସୁଯୋଗ ନ ଥିବା ବେଳେ ନାଗାବଳୀ ପ୍ଳାନେଟାରିୟମ୍ ଆମମାନଙ୍କ ପାଇଁ ଏକ ବଡ ସୁଯୋଗ ଆଣି ଦେଇଛି ଓ ମୁଁ ଜଣେ ବୈଜ୍ଞାନିକ ହେବି ବୋଲି ପ୍ରକାଶ କରିଥିଲେ, ଯାହାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ୫ଟି ଅଧ୍ୟକ୍ଷ ପାଣ୍ଡିଆନ୍ ଖୁସିବ୍ୟକ୍ତ କରିଥିଲେ।
ସେହିପରି ଆଇନ ମନ୍ତ୍ରୀ ଶ୍ରୀ ସାରକା ବିଞାନ ଓ ଶିକ୍ଷା ଗବେଷଣା ପ୍ରତି ଯୁବଗୋଷ୍ଠୀଙ୍କୁ ପ୍ରୋତ୍ସାହିତ କରିବା ଏବଂ ଆମର ସାମାଜିକ ଜୀବନ ପରିବର୍ତ୍ତନ କ୍ଷେତ୍ରରେ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି।ରାଜ୍ୟ ସରକାର ବିଜ୍ଞାନ ଓ କାରିଗରି କ୍ଷେତ୍ରରେ ଅଭିବୃଦ୍ଧି ପାଇଁ ଉଦ୍ୟମ ଜାରି ରଖିଛନ୍ତି ବୋଲି ବକ୍ତବ୍ୟରେ ପ୍ରକାଶ କରିଥିଲେ।ସମସ୍ତ ଅତିଥିମାନେ ଛାତ୍ରଛାତ୍ରୀମାନଙ୍କ ସହ ମିଶି ପ୍ଳାନେଟାରିୟମରେ ବସି ଗ୍ରହ ବିଜ୍ଞାନର ଦୃଶ୍ୟକୁ ଦେଖିଥିଲେ। ରାଜ୍ୟ ସରକାରଙ୍କ ବିଜ୍ଞାନ ଓ ବୈଷୟିକ ବିଭାଗ ପକ୍ଷରୁ ଏନପିସିସି ସଂସ୍ଥା ଦ୍ୱାରା କାଦମ୍ବରୀଗୁଡା ଠାରେ ୨.୫ଏକର ଜାଗାରେ ୧୪ କୋଟି ବ୍ୟୟ ଅଟକଳରେ ନିର୍ମିତ ଏହି ନାଗାବଳୀ ପ୍ଳାନେଟାରିୟମ୍ ଗତ ୨୦୨୧ ମସିହା ମାର୍ଚ୍ଚ ୩ ତାରିଖରେ କାର୍ଯ୍ୟାରମ୍ଭ କରାଯାଇଥିଲା।
ଅତ୍ୟାଧୁନିକ କୌଶଳରେ ନିର୍ମିତ ଏହି ପ୍ଳାନେଟାରିୟମରେ ଏକାଥରକେ ୧୩୩ଜଣ ବସିବାର ବ୍ୟବସ୍ଥା ରହିଛି।ପ୍ଳାନେଟାରିୟମ ପରିସରରେ ବିଜ୍ଞାନ ସମ୍ବନ୍ଧୀୟ ଉପକରଣ ରଖାଯାଇଛି। ଏହି ଲୋକାର୍ପିତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ରାଜ୍ୟସଭା ସାଂସଦ ଏନ.ଭାସ୍କର ରାଓ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ରାଜ୍ୟ ଉପଦେଷ୍ଠା ସୁଧୀର କୁମାର ଦାସ, ଆମ ଓଡ଼ିଶା ନବୀନ ଓଡ଼ିଶା ଜିଲ୍ଳା ସଂଯୋଜକ ପି.ଗୈାରୀ ଶଙ୍କରଙ୍କ ସମେତ ଜିଲ୍ଳା ପରିଷଦ ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ନିହାର ରଂଜନ କହଁର, ଜିଲ୍ଳା ଶିକ୍ଷାଧିକାରୀ ପୂର୍ଣ୍ଣଚନ୍ଦ୍ର ବରିହା, ଉପନିର୍ଦ୍ଦେଶକ ସୂଚନା ଓ ଲୋକ ସଂପର୍କ ବିଭାଗ ରାୟଗଡ଼ା ଅଧିକାରୀ ବସନ୍ତ କୁମାର ପ୍ରଧାନଙ୍କ ସମେତ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ, ଶିକ୍ଷକଶିକ୍ଷୟତ୍ରୀ ଏବଂ ସ୍ଥାନୀୟ ସାଧାରଣ ଜନତା ପ୍ରମୁଖ ଉପସ୍ଥିତ ରହିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/02/Rgda-Planetarum-inaguration-1.jpg)