କାଳିଆପାଣି: ‘ସମ୍ବାଦ’ ଦ୍ବାରା ନଗଡ଼ା ଘଟଣାବଳୀ ଲୋକଲୋଚନକୁ ଆସିବାକୁ ୯ ବର୍ଷ ହେଲାଣି। ଅପପୁଷ୍ଟି ପାଇଁ ରତ୍ନଗର୍ଭା ସୁକିନ୍ଦା ବ୍ଲକ୍‌ ଓ ଶିଳ୍ପସମୃଦ୍ଧ ଯାଜପୁର ଜିଲ୍ଲା ଅପବାଦ ମୁଣ୍ଡାଇଥିଲା। ହେଲେ ସରକାରୀ କଳର ଉଦ୍ୟମ ସତ୍ତ୍ବେ ନଗଡ଼ାରୁ ଅପପୁଷ୍ଟିର ଜଡ଼ ହଟୁନି। ତଳନଗଡ଼ା ଅଙ୍ଗନବାଡ଼ି କେନ୍ଦ୍ର କାନ୍ଥ କହୁଛି ଅପପୁଷ୍ଟିର କଥା। ଏଠାରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ଉଦ୍ଦେଶ୍ୟରେ ଅପପୁଷ୍ଟି ସଂପର୍କିତ ସୂଚନା ଦିଆଯାଇଛି।  ଅତିଶୟ ପୁଷ୍ଟିହୀନ ଶିଶୁ ୨ଜଣ, ମଧ୍ୟମ ଧରଣର ପୁଷ୍ଟିହୀନ ୬ଜଣ, ଅତିଶୟ କମ୍ ଓଜନ ୯ଜଣ ଓ ମଧ୍ୟମ ଧରଣର କମ୍‌ ଓଜନ ୧୬ଜଣ ବୋଲି ଉଲ୍ଲେଖ କରାଯାଇଛି। ଅର୍ଥାତ୍‌ କେବଳ ତଳନଗଡ଼ାରେ ୩ ରୁ ୬ ବର୍ଷ ମଧ୍ୟରେ ୩୩ ଜଣ ଦୁର୍ବଳ ଶିଶୁ ଅଛନ୍ତି।

Advertisment

ସିଭିଅର ଆକ୍ୟୁଟ୍‌ ମାଲ୍‌ନ୍ୟୁଟ୍ରିସନ(ସାମ୍‌) ଅର୍ଥାତ୍ ସାଙ୍ଘାତିକ ଅପପୁଷ୍ଟି ତାଲିକାଭୁକ୍ତ ଶିଶୁଦ୍ବୟ ତଳନଗଡ଼ାର ସାଧବାଣୀ ଓ ଧନେଶ୍ବର ପ୍ରଧାନଙ୍କ ଷଷ୍ଠ ଓ ସପ୍ତମ ସନ୍ତାନ। ୨୦୧୬ ଶିଶୁମଡ଼କ ବେଳେ ଏହି ଦମ୍ପତି ତାଙ୍କ ୨ଝିଅଙ୍କୁ ହରାଇଥିଲେ। ଗାଁର ଦୁର୍ବଳତମ ୧୩ ମାସର ଶିଶୁର ଓଜନ ଥିଲା ୯୭୨ ଗ୍ରାମ୍‌। ଏହି ଶିଶୁଟି ବର୍ଷେଧରି ନଗଡ଼ା ଶିଶୁମଡ଼କ ଚିତ୍ରର ପ୍ରତୀକ ଥିଲା।  ମଧ୍ୟମ ପୁଷ୍ଟିହୀନ ତାଲିକାଭୁକ୍ତ ଗାଲେ ପ୍ରଧାନଙ୍କ ପୁଅ, ସୁନାମତୀ ପ୍ରଧାନଙ୍କ ପୁଅ, ଫୁଲମଣି ପ୍ରଧାନଙ୍କ ଝିଅ, ନଳି ପ୍ରଧାନଙ୍କ ୨ ପୁଅ, ବିଧବା ସୁଲ ପ୍ରଧାନଙ୍କ ପୁଅ, ମୁନି ପ୍ରଧାନଙ୍କ ଝିଅ, ଫୁଲ ପ୍ରଧାନଙ୍କ ଝିଅ ଓ ଲକ୍ଷ୍ମୀ ପ୍ରଧାନଙ୍କ ଝିଅ  ବିପଦମୁକ୍ତ ନଥିବା ଜଣାପଡ଼ିଛି। ବଡ଼କଥା ହେଉଛି ସ୍ବାସ୍ଥ୍ୟ ବିଭାଗର ବିଭିନ୍ନ ପଦକ୍ଷେପ ସତ୍ତ୍ବେ ୨୦୨୪ରେ ୫ଜଣ ଓ ୨୦୨୩ରେ ୪ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିଲା।

ଘରେଘରେ ବାଲ୍ୟବିବାହ ଓ ଦାଦନ
ଉଚ୍ଚଶିକ୍ଷା ଓ ଦକ୍ଷତା ବିକାଶ ସ୍ବପ୍ନ

ଗତ ମେ ୨ ତାରିଖରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ପଞ୍ଚାୟତିରାଜ ସଚିବ ଗିରୀଶ ଏସ୍ଏନ୍‌, ନିର୍ଦ୍ଦେଶକ ବିନୀତ ଭରଦ୍ବାଜ ଓ ଜିଲ୍ଲାପାଳ ପି. ଅନ୍ବେଷା‌ ରେଡ୍ଡୀ ନଗଡ଼ା ଗସ୍ତ କରି ବାସ୍ତବ ସ୍ଥିତି ପରଖିବା ପରେ ନଗଡ଼ା ଅପପୁଷ୍ଟିର ଚିତ୍ର ଦେଖିବାକୁ ପାଇଥିଲେ। ନଗଡ଼ା ସଡ଼କ ବ୍ୟତୀତ ୫ ବର୍ଷ ଧରି ଉନ୍ନୟନର ଦୃଶ୍ୟ ନଗଣ୍ୟ। ଦେଢ଼ବର୍ଷ ତଳୁ ଆରମ୍ଭ ହୋଇଥିବା ନାଲିଆଡାବ-ଗୁହିଆଶାଳ ବନସଡ଼କ ଭୂଇଁରୁ ଉଠୁନି। କଲଭର୍ଟରେ ବ୍ୟବହୃତ ହେବାକୁ ଥିବା ୫ଶହ ବସ୍ତା ସିମେଣ୍ଟ ପଥର ହୋଇଗଲାଣି। ଲୁହାଛଡ଼ ସବୁ କଳଙ୍କି ଲାଗିଯାଇଛି। ପଡ଼ିଥିବା ବାଲିଚିପ୍ସ ଧୋଇହୋଇ ଗଲାଣି। ବର୍ଷାଦିନେ ସାଇକଲ୍‌ ଗଡ଼ିବା ସମ୍ଭବ ନୁହେଁ। ତୁମୁଣି ଓ ତଳଡିହକୁ ସଡ଼କ ପାଇଁ ବ୍ୟୟ ଅଟକଳ ପ୍ରସ୍ତୁତ ହୋଇନି। ରୋଗୀ ଓ ଗର୍ଭବତୀଙ୍କୁ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆଣିବାକୁ ହେଲେ ଭ‌ାର ଓ ଖଟିଆ ଖୋଜାଯାଉଛି। ତୁମୁଣିର ୨୭ଟି ଓ ତଳଡିହ ବସ୍ତିର ୧୨ ପରିବାର ଗମନାଗମନ, ଆବାସ, ବିଦ୍ୟୁତ୍‌, ପାନୀୟଜଳ ଭଳି ମୌଳିକ ସୁବିଧାରୁ ବଞ୍ଚିତ। 

୨୦୨୨-୨୩ ଶିକ୍ଷାବର୍ଷରେ ଗୁହିଆଶାଳ ଉଚ୍ଚ ପ୍ରାଥମିକ ସ୍କୁଲରେ ଅଷ୍ଟମ ଶ୍ରେଣୀ ଖୋଲିଥିଲେ ହେଁ ସ୍ଥାୟୀ ଶ୍ରେଣୀଗୃହ ନିର୍ମାଣ ହୋଇନି। ଖୋଳା ଯାଇଥିବା ସ୍କୁଲଘର ନିଅଁ ପୋତି ହୋଇଗଲାଣି। ୨୦୨୨ ରୁ ୨୦୨୫ ମସିହା ୧୯ ଜଣ ଛାତ୍ରଛାତ୍ରୀ ମାଟ୍ରିକ୍ ପାସ୍ କରିଥିଲେ ହେଁ ଜଣକୁ ଛାଡ଼ି ଅନ୍ୟମାନେ ଅଧାରୁ ପାଠ ଛାଡ଼ିଛନ୍ତି। ଗତ ଏପ୍ରିଲ ୧୬ରେ ଜିଲ୍ଲା ଦକ୍ଷତା ବିକାଶ ବିଭାଗ ପକ୍ଷରୁ ନଗଡ଼ାର ୩୨ ଜଣ ଯୁବକଯୁବତୀଙ୍କୁ ଭୁବନେଶ୍ବର ବିଶ୍ବ ଦକ୍ଷତା କେନ୍ଦ୍ରକୁ ବାହ୍ୟଭ୍ରମଣରେ ନିଆଯାଇଥିଲା। ହେଲେ ଜଣେ ହେଲେ ସେଠାରେ ନାମ ଲେଖାଇ ପାରିନାହାନ୍ତି। ନଗଡ଼ାର ଘରେଘରେ ବାଲ୍ୟ ବିବାହ ଜାରି ରହିଛି।

ପରିବାର ବୋଝ ପାଇଁ ଯୁବକଯୁବତୀମାନେ ଦାଦନ ଖଟିବାକୁ ଯାଉଛନ୍ତି। ସରକାରୀ ଯୋଜନାରେ ଯୁବବର୍ଗ ରୋଜଗାରକ୍ଷମ ହେବାର ନଜିର ନାହିଁ। ମନରେଗା ଯୋଜନାରେ ଜଣେ ବି ବର୍ଷରେ ୩୦ ଦିନ କାମ କରିଥିବା ଦୃଷ୍ଟାନ୍ତ ନାହିଁ। ଅଧିକାଂଶ ମଦ ଓ ନିଶା କବଳିତ। ଜଙ୍ଗଲ ପଦାକରି ପାରମ୍ପରିକ ପୋଡ଼ୁଚାଷ ଛଡ଼ା ଆଧୁନିକ କୃଷି କିମ୍ବ‌ା ପୁଷ୍ଟି ବଗିଚାର ଚିହ୍ନବର୍ଣ୍ଣ ନାହିଁ। ମାଳମାଳ ଏନ୍‌ଜିଓ ଥିବା ସତ୍ତ୍ବେ ନଗଡ଼ାବାସୀ ଅନ୍ଧବିଶ୍ବାସ‌ର ବଶବର୍ତ୍ତୀ। ନଗଡ଼ା ଅପପୁଷ୍ଟି ସଂପର୍କରେ ନବନିଯୁକ୍ତ ସୁପରଭାଇଜର ସୁନିତା ହାଇବ୍ରୁଙ୍କୁ ଯୋଗାଯୋଗ ଉଦ୍ୟମ ହୋଇଥିଲେ ମଧ୍ୟ ସେ ଫୋନ୍‌ ଉଠାଇନଥିଲେ। ପୂର୍ବତନ ସୁପରଭାଇଜର ଶକୁନ୍ତଳା ସଏଙ୍କୁ ପଚାରିବା‌ରେ କିଛି ଶିଶୁ ଦୁର୍ବଳ ଥିବା ସ୍ବୀକାର କରିଥିଲେ।