ଯାଜପୁର : ଅପପୁଷ୍ଟି ଜନିତ ମୃତ୍ୟୁ ପାଇଁ ଅପଖ୍ୟାତି ମୁଣ୍ଡାଇଥିବା ନଗଡ଼ାର ବିକାଶ ନାମରେ ବ୍ୟାପକ ଅନୁଦାନ ଅପବ୍ୟୟ ହୋଇଛି। ନଗଡ଼ାର ବିକାଶ ଆଳରେ ହୋଇଥିବା ଦୁର୍ନୀତି ଲୋକାୟୁକ୍ତଙ୍କ ତଦନ୍ତ ପରିସରଭୁକ୍ତ ହେବା ଏବଂ କ୍ଷେତ୍ର ଅନୁସନ୍ଧାନ ପାଇଁ କାର୍ଯ୍ୟକ୍ରମ ସ୍ଥିର ହେବା ପରେ ଯାଜପୁର ଆରଡି ଡିଭିଜନ-୧ରେ ଠିକାଦାର ଓ ଯନ୍ତ୍ରୀଙ୍କ ସହଯୋଗରେ ହୋଇଥିବା ଷଡ଼୍‌ଯନ୍ତ୍ର ଏବେ ପଦାରେ ପଡ଼ିଛି। ବିଭିନ୍ନ କାରଣ ପାଇଁ ଲୋକାୟୁକ୍ତ ନଗଡ଼ା ଗସ୍ତ କଲେ ନାହିଁ। ତେବେ ତାଙ୍କ ଗସ୍ତ ପୂର୍ବରୁ ରାସ୍ତା ଚକାଚକ୍‌ କରିବାକୁ ବିଭାଗ ଟେଣ୍ଡର ଅନୁମୋଦନ ହୋଇଥିବା ରାସ୍ତାରେ ୪୪ଲକ୍ଷ ଟଙ୍କାର ଗୁପ୍ତ ଟେଣ୍ଡର କରିବା ଘଟଣା ଗ୍ରାମ୍ୟ ଉନ୍ନୟନ ବିଭାଗ ସଚିବଙ୍କ ନୋଟିସକୁ ଯାଇଛି। ଏ ନେଇ ଖୋଳତାଡ଼ ଆରମ୍ଭ ହୋଇଥିବାରୁ ଯାଜପୁର ଗ୍ରାମ୍ୟ ଉନ୍ନୟନ(ଆରଡି) ଡିଭିଜନ-୧ର ଏକାଧିକ ଅଧିକାରୀ ଛାନିଆ। ଗୁପ୍ତଟେଣ୍ଡରକୁ ରୋକିବା ପାଇଁ ବିଭାଗୀୟ ପ୍ରମୁଖ ଶାସନ ସଚିବ ବହୁଦିନରୁ ଅଙ୍କୁଶ ଲଗାଇବା ସତ୍ତ୍ବେ ୪୪ଲକ୍ଷ ଟଙ୍କାର ଗୁପ୍ତଟେଣ୍ଡର କରି ୨ଜଣ ଠିକାଦାରଙ୍କ ମଧ୍ୟରେ ବାଣ୍ଟି ଦେଇଥିବା ତଥ୍ୟ ‘ସମ୍ବାଦ’ ହାତରେ ଲାଗିଛି।

Advertisment

publive-image Twitter

ଆରଡି ଯାଜପୁର ଡିଭିଜନ-୧ର ଡୁବୁରି ସବ୍‌ଡିଭିଜନ ଅଧୀନ ନଗଡ଼ାର ପାଦଦେଶରେ ଥିବା ଅଶୋକଝର ପାହାଡ଼ରୁ ତଳ ନଗଡା ପର୍ଯ୍ୟନ୍ତ ରାସ୍ତା ପାଇଁ ୨୦୧୬ -୧୭ ଆର୍ଥିକ ବର୍ଷରେ ଏଗ୍ରିମେଣ୍ଟ ନମ୍ବର- ୭୯ରେ ୧୨କୋଟି ୯୫ଲକ୍ଷ ୭୧ ହଜାର ୨୭୭ ଟଙ୍କା ଖର୍ଚ୍ଚ ହୋଇଥିଲା। ଏହାପରେ ୨୦୨୦-୨୧ ଆର୍ଥିକ ବର୍ଷରେ ୧୩ ଜୁଲାଇ ୨୦୨୦ରେ ଏହି ରାସ୍ତାରେ ଜିଲ୍ଲାପାଳଙ୍କ ଦ୍ବାରା ଅନୁମୋଦିତ କରାଇ ଏଗ୍ରିମେଣ୍ଟ ନମ୍ବର- ୪୨ରେ ୯ କୋଟି ୪୩ ଲକ୍ଷ ୬୪ ହଜାର ୨୫୪ ଟଙ୍କା ବ୍ୟୟ ହୋଇଥିବା ଦର୍ଶାଯାଇଛି। ତେବେ ନଗଡ଼ା ଦୁର୍ନୀତିର କ୍ଷେତ୍ରୀୟ ତଦନ୍ତ କଥା ଉଠିବାରୁ ୨୦୨୦ ଅଗଷ୍ଟରେ ଗୁପ୍ତ ଟେଣ୍ଡର କରି ଏଠାରେ ୪୪ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ଟେଣ୍ଡର ଅନୁମୋଦିତ ରାସ୍ତାରେ ଗୁପ୍ତ ଟେଣ୍ଡରକୁ ନେଇ ଏବେ ପ୍ରଶ୍ନ ଉଠୁଛି।

publive-image haigreeva.com

ମିଳିଥିବା ସୂଚନା ପ୍ରକାରେ ୨୦୨୦-୨୧ ଆର୍ଥିକ ବର୍ଷରେ ଏଗ୍ରିମେଣ୍ଟ ନମ୍ବର-୫ ରୁ ୧୪ ପର୍ଯ୍ୟନ୍ତ ମୋଟ ୧୦ଟି ଗୁପ୍ତଟେଣ୍ଡର (୫ ଲକ୍ଷ ଟଙ୍କାରୁ କମ୍) କରାଯାଇ ଜିଲ୍ଲା ଖଣିଜନ୍ୟାସ ପାଣ୍ଠି ଅନୁଦାନରୁ ୪୪ ଲକ୍ଷ ୨୦ ହଜାର ୧୯୦ ଟଙ୍କା ନିର୍ଦ୍ଦିଷ୍ଟ ୨ଜଣ ଠିକାଦାରଙ୍କ ଜରିଆରେ କାମ କରାଯାଇଥିବା କାଗଜପତ୍ରରେ ଦର୍ଶାଯାଇଛି । ୪୪ ଲକ୍ଷ ଟଙ୍କାର କାମକୁ ଗୋଟିଏ ଟେଣ୍ଡର ଡକାନଯାଇ ଭାଗ ଭାଗ କରି କାହିଁକି ୧୦ଟି (୫ ଲକ୍ଷ ଟଙ୍କାରୁ କମ୍ ) ଗୁପ୍ତ ଟେଣ୍ଡର କରାଗଲା ତାହା ତଦନ୍ତ ସାପେକ୍ଷ। ୨୦୨୦ ଅଗଷ୍ଟ ୧୯ ରୁ ୨୫ତାରିଖ ମଧ୍ୟରେ ଗୁପ୍ତଟେଣ୍ଡର ପେପର ବିକ୍ରି କରାଯାଇଛି। ୨୬ ଅଗଷ୍ଟରେ ଗୁପ୍ତଟେଣ୍ଡର ପେପର ଖୋଲାଯାଇ ଠିକାଦାର ଚୟନ କରାଯାଇଛି। ଏଠାରେ ପ୍ରତି ଗୁପ୍ତଟେଣ୍ଡର ପାଇଁ ନିର୍ଦ୍ଦିଷ୍ଟ ୩ ଜଣ ଠିକାଦାର ହିଁ ଆବେଦନ କରିଛନ୍ତି। ସେଥିରୁ ୧୦ଟି ଗୁପ୍ତଟେଣ୍ଡର ୨ଜଣ ଠିକାଦାର ହାତେଇଛନ୍ତି। କେବଳ ୩ ଜଣ ନିର୍ଦ୍ଦିଷ୍ଟ ଠିକାଦାର ହିଁ ଆବେଦନ କରିବା ଯୋଗୁଁ ବିଭାଗୀୟ ଚଞ୍ଚକତା ଫୁଟି ଦିଶୁଛି। ବିଭାଗୀୟ ପ୍ରମୁଖ ଶାସନ ସଚିବ ଏଭଳି କାରବାରକୁ ବନ୍ଦ କରିବାକୁ ବହୁ ଦିନରୁ ନିର୍ଦ୍ଦେଶ ଦେଇଥିବା ‌ବେଳେ ଡିଭିଜନରେ କାହା ସ୍ବ‌ାର୍ଥରେ ଏପରି ସବୁ କରାଯାଇଛି? ଏଭଳି ଅଫ୍‌ଲାଇନ୍‌ ଟେଣ୍ଡର ନୋଟିସ ଜରିଆରେ ଏହି ଡିଭିଜନରେ ଅନେକ କାମ ବର୍ଷ ବର୍ଷ ଧରି ଚାଲିଛି। କୋଟି କୋଟି ଟଙ୍କାର କାମକୁ ୫ଲକ୍ଷ ଟଙ୍କାରୁ କମ୍‌ରେ ଭାଗ ଭାଗ କରି ଯନ୍ତ୍ରୀ ଓ ଠିକାଦାରଙ୍କ ଅସାଧୁମେଣ୍ଟ ନିନେ ବାଣ୍ଟି ନେଉଛନ୍ତି। ଏହି ସମୟରେ ଯେତେଗୁଡିଏ ଅନ୍‌ଲାଇନ ଟେଣ୍ଡର କରାଯାଇଛି ସେଥିରେ ୧୫ରୁ୨୦ଜଣ ଆବେଦନକାରୀ ରହୁଥିବାବେଳେ ଅଫ୍‌ଲାଇନ ଟେଣ୍ଡର(ଗୁପ୍ତ ଟେଣ୍ଡର)ରେ ୨ ରୁ ୩ ଜଣ ନିର୍ଦ୍ଦିଷ୍ଟ ଠିକାଦାରଙ୍କ ମଧ୍ୟରେ ସୀମିତ ରହୁଛି। ଆଇନର ଫାଙ୍କରେ ଯନ୍ତ୍ରୀ ଓ ଠିକାଦାରଙ୍କ ସଲାସୁତରରେ ଏହି ଡିଭିଜନରେ କୋଟି କୋଟି ଟଙ୍କା ଚଳୁ ହେବାରେ ଲାଗିଛି।