ନଗଡ଼ା ସ୍ବାସ୍ଥ୍ୟସେବାର ଅସଲ ଚିତ୍ର, ଜଙ୍ଗଲରେ ଫିଙ୍ଗିଲେ ସରକାରୀ ଔଷଧ

କାଳିଆପାଣି: ନଗଡ଼ା ଜଙ୍ଗଲରେ ଫିଙ୍ଗା ଯାଇଛି ସରକାରୀ ଔଷଧ। ରୋଗୀ ଓ ଅପପୁଷ୍ଟିର ଶିକାର ଶିଶୁଙ୍କ ପାଇଁ ଉଦ୍ଦିଷ୍ଟ ଥିବା ମୂଲ୍ୟବାନ ବଟିକା, ସିରପ୍, ଭିଟାମିନ, ମଲମ, ଇଞ୍ଜେକ୍ସନ, ନାଜାଲ୍‌ ଡ୍ରପ୍, ଆଇଡ୍ରପ୍, ଇୟର ଡ୍ରପ୍‌ ଭଳି ଔଷଧ ସବୁ ଜଂଗଲରେ ପଡି ଖତ ଖାଉଛି। ବୈଧ ତାରିଖ ଥିବା ପେଟି ପେଟି ଭିଟାମିନ୍ ଓ ପୁଷ୍ଟିସାରଯୁକ୍ତ ସିରପ୍ ସହ ରୋଗ ପ୍ରତିରୋଧକ ଔଷଧ ଆମୋକ୍ସିଲିନ, ସେଫିଜାଇମ୍, କାଟିଲକ୍ସ, ନ୍ୟୁଟ୍ରିଜ‌ାଇମ୍‌ ସାଇନୋକାଲ ଭଳି ଔଷଧ ଜଙ୍ଗଲ ଭିତରେ ଫୋପଡ଼ା ହୋଇଥିବା ଦେଖିବାକୁ ମିଳିଛି। ଏପରିକି ୬ ରୁ ୧୮ ବର୍ଷ ବୟସ୍କ ପିଲାଙ୍କ ସ୍ବାସ୍ଥ୍ୟ ପଞ୍ଜୀକରଣରେ ବ୍ୟବହୃତ ଗୋଛା ଗୋଛା ଆରବିଏସ୍‌କେ ରେଫରାଲ୍‌ କାର୍ଡ ବି ସେହି ଔଷଧ ଗଦା ଉପରେ ପଡ଼ିରହିଛି। ଏଥିସହ ଗଜ୍ କପଡ଼ା ଓ ତୁଳା ବି ପଡ଼ିଛି। ସରକାରଙ୍କ ପକ୍ଷରୁ ନଗଡ଼ାରେ ଗତ ଅଢ଼େଇ ବର୍ଷ ଧରି ଜାରି ରହିଥିବା ମାଗଣା ସ୍ବାସ୍ଥ୍ୟସେବାର ଏହା ହିଁ ନଗ୍ନରୂପ ବୋଲି ସାଧାରଣରେ ଅଭିଯୋଗ ହୋଇଛି।

ସୂଚନା ଅନୁସାରେ, ମାସକ ତଳେ ବନ ବିଭାଗ ପକ୍ଷରୁ ନିୟୋଜିତ ସ୍କ୍ବାଡ୍‌ ନଗଡ଼ା ସଡ଼କର କଡ଼େ କଡ଼େ ଜଙ୍ଗଲ ସଫେଇ କରୁଥିବା ବେଳେ ଏମିତି ଗଦା ଗଦା ଔଷଧ ଦେଖିବାକୁ ପାଇଥିଲେ। ଏହି କଥାକୁ ନିଜ ଭିତରେ ସୀମିତ ରଖିଥିଲେ। ଏହାପରେ କେହି ଗତ ୧୫ ଦିନ ତଳେ ଉକ୍ତ ସ୍ଥାନରୁ ଉଦ୍ଧାର କରିଥିବା ଗଜ୍ କପଡ଼ାକୁ ନଗଡ଼ା ସଡ଼କ କଡ଼ରେ ଥିବା ଏକାଧିକ ବିଦ୍ୟୁତ୍‌ ଖୁଣ୍ଟର ଏ ମୁଣ୍ଡରୁ ସେ ମୁଣ୍ଡକୁ ବାନ୍ଧି ଦେଇଥିଲେ। ହେଲେ ନଗଡ଼ା ଆସୁଥିବା ଜିଲ୍ଲାସ୍ତରୀୟ ଅଧିକାରୀମାନେ ଏହାକୁ ଠଉରାଇ ପାରିନଥିଲେ। ଆଜି ଏହିସବୁ ଔଷଧ ଗଦାକୁ ଠାବ କରାଯାଇଥିଲା। ଫଳରେ ସ୍ବାସ୍ଥ୍ୟ ବିଭାଗର ଏହି ଅବହେଳା ପଦାରେ ପଡ଼ିଯାଇଛି। ଅନ୍ୟପକ୍ଷରେ, ଏହି ଘଟଣାକୁ ନେଇ ନଗଡ଼ାବାସୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି। ‘ ଆମ ଛୁଆ ଓ ଆମ ପାଇଁ ଆସୁଥିବା ଔଷଧକୁ ଏମିତି ଫିଙ୍ଗାଫିଙ୍ଗି କରୁଛନ୍ତି। ଏଥିପାଇଁ ଆମ ପିଲା ବି ମରି ଯାଉଛନ୍ତି ,’ ବୋଲି କହିଛନ୍ତି ବୁଦୁଆ ପ୍ରଧାନ। ଅନ୍ୟମାନେ ମଧ୍ୟ ସମାନ କଥା କହିଛନ୍ତି।

ସମ୍ବନ୍ଧିତ ଖବର