କାଳିଆପାଣି : ନଗଡ଼ାରେ ମହୁଚାଷ ନାଁରେ ସରକାରୀ ମିଛ ଧରାପଡ଼ିଛି। ମହୁଚାଷ କରି ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ(ଏସ୍ଏଚ୍ଜି) ସ୍ବାବଲମ୍ବୀ ହୋଇଛନ୍ତି ବୋଲି ପ୍ରଶାସନ ପକ୍ଷରୁ ପ୍ରଚାର କରାଯାଇଛି। ଗତ ୧୪ ତାରିଖରେ ଜିଲ୍ଲା ପଞ୍ଚାୟତ ସମ୍ବଳ କେନ୍ଦ୍ର ପକ୍ଷରୁ ଯାଜପୁର ଓ ରସୁଲପୁର ବ୍ଲକ୍ର ୪୫ ଜଣ ସରପଞ୍ଚ ସରକାରୀ ଗସ୍ତ କାର୍ଯ୍ୟକ୍ରମରେ କ୍ଷେତ୍ର ପରିଦର୍ଶନରେ ଆସିଥିବା ସମୟରେ ସେମାନଙ୍କ ପାଇଁ ନଗଡ଼ାରୁ ମହୁକିଣା ଯୋଜନା କରାଯାଇଥିଲା। ତଳ ନଗଡ଼ା ଅଙ୍ଗନବାଡ଼ି କେନ୍ଦ୍ରରେ ନୂଆ ମହୁଡବା ସବୁ ଥାକଥାକ ହୋଇ ରଖାଯାଇଥିଲା। ପ୍ରତ୍ୟେକ ଡବାରେ ଥିବା ୧୫୦ ଗ୍ରାମ୍ ଲେଖାଏଁ ମହୁ ପାଇଁ ଦର ୫୦ ଟଙ୍କା ଲେଖାଯାଇଥିଲା। ଅଧିକାଂଶ ସରପଞ୍ଚ ଓ ସହଯୋଗୀ ସେଦିନ ନଗଡ଼ାରୁ ମହୁ କିଣିଥିଲେ ବୋଲି ଦକ୍ଷତା ବିକାଶ ବିଭାଗ ସହକାରୀ ପ୍ରକଳ୍ପ ନିର୍ଦେଶକ(ଏପିଡି) ମଧୁମିତା ପୃଷ୍ଟି ‘ସମ୍ବାଦ’କୁ ସୂଚନା ଦେଇଥିଲେ। କିନ୍ତୁ, ବାସ୍ତବ କ୍ଷେତ୍ରରେ ନଗଡ଼ାରେ ସଫଳ ମହୁଚାଷ ଦର୍ଶାଯିବା ଡାହାମିଛ ବୋଲି ଜଣାପଡ଼ିଛି।
ଓଡ଼ିଶା ଜୀବିକା ମିସନ(ଓଏଲ୍ଏମ୍) ସହଯୋଗରେ ନଗଡ଼ାବାସୀଙ୍କ ଦକ୍ଷତା ବିକାଶ ଓ ତାଲିମ୍ ପାଇଁ ବ୍ଲକ୍ ପ୍ରଶାସନ ପକ୍ଷରୁ ୪ ବର୍ଷ ତଳୁ ଉଦ୍ୟମ ହୋଇଥିଲା। ଚିଙ୍ଗୁଡ଼ିପାଳ ଆଶ୍ରମ ସ୍କୁଲ୍ରେ ଅନୁଷ୍ଠିତ ୧୦ ଦିନିଆ ଶିବିରରେ ପର୍ଯ୍ୟାୟ କ୍ରମେ ନଗଡ଼ା, ଗୁହିଆଶାଳ, ତୁମୁଣି, ଅଶୋକଝର ଓ କଙ୍କଡ଼ାଗୋଡ଼ିର ଶହେ ଜଣ ଜୁଆଙ୍ଗ ଜନଜାତିର ବ୍ୟକ୍ତିଙ୍କୁ ଖଲିପତ୍ର, ବାଉଁଶ ହସ୍ତଶିଳ୍ପ , ଧୂପକାଠି ଓ ଛତୁଚାଷ ବିଷୟରେ ପ୍ରଶିକ୍ଷଣ ଦିଆଯାଇଥିଲା। ତେବେ ପରବର୍ତ୍ତୀ ସମୟରେ ଏହି ପ୍ରଶିକ୍ଷଣ ପ୍ରହସନ ପାଲଟିଥିଲା। କୌଣସି ଜଣେ ପ୍ରଶିକ୍ଷାର୍ଥୀ ଏଥିରେ ଉପକୃତ ହୋଇଥିବାର ଦୃଷ୍ଟାନ୍ତ ନାହିଁ। ପରେ ୨୦୨୦ ମସିହାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ରାଜ୍ୟ ଖଦୀବୋର୍ଡ ଓ ଜଗତପୁର ଜିଲ୍ଲା ତାଲିମ କେନ୍ଦ୍ର(ଡିଆଇସି) ସହାୟତାରେ ତଳ ନଗଡ଼ା ଅଙ୍ଗନବାଡ଼ି କେନ୍ଦ୍ରରେ ମହୁଚାଷ ପ୍ରଶିକ୍ଷଣ ଦିଆଯାଇଥିଲା।
/sambad/media/post_attachments/wp-content/uploads/2022/07/nagada-3.jpg)
ତତ୍କାଳୀନ ଜିଲ୍ଲାପାଳ ରଞ୍ଜନ କୁମାର ଦାସ, ଖଦୀବୋର୍ଡ ନିର୍ଦ୍ଦେଶକ ସରୋଜ କୁମାର ପଟେଲ, ଡିଆଇସି ମହାପ୍ରବନ୍ଧକ ମନୋଜ କୁମାର ବେହେରା ନଗଡ଼ା ଗସ୍ତରେ ଆସି ପ୍ରଶିକ୍ଷାର୍ଥୀ ଓ ଆୟୋଜକଙ୍କୁ ଉତ୍ସାହିତ କରିଥିଲେ। ପ୍ରଥମ ପର୍ଯ୍ୟାୟରେ ୫୦ ଜଣ ହିତାଧିକାରୀଙ୍କ ଲାଗି ୨୫୦ ଗୋଟି ମହୁବାକ୍ସ ଅଣାଯାଇଥିଲା। ପ୍ରଶିକ୍ଷଣ ଓ ଉପାଦାନ କିଣାରେ ୧୦ ଲକ୍ଷ ଟଙ୍କା ପାଖାପାଖି ଖର୍ଚ୍ଚ ହୋଇଥିଲା। ମହୁବାକ୍ସ ସବୁ ନଗଡ଼ା ପ୍ରାଥମିକ ସ୍କୁଲ ଶ୍ରେଣୀଗୃହରେ ବର୍ଷେରୁ ଅଧିକ ସମୟ ଧରି ପଡ଼ିରହିଲା। ଏଥିରେ ଉଈ ଲାଗି ଯାଇଥିଲେ। କରୋନା ପରେ ସ୍କୁଲ ଖୋଲିବାରୁ ଗତ ମାର୍ଚ୍ଚ ମାସରେ ଏହି ବାକ୍ସ ସବୁକୁ ବାଣ୍ଟି ଦିଆଗଲା। ଜଗାରଖା ଓ ତଦାରଖ ଅଭାବରୁ ନଗଡ଼ାର ଶିଶୁମାନେ ଏସବୁକୁ ନେଇ ଖେଳଣା ଭଳି ବ୍ୟବହାର କଲେ।
ଗତ ଜୁନମାସ ୪ ତାରିଖରେ ବିଡିଓ ତାପସ କୁମାର ସେଠୀ ଓ ବ୍ଲକ ମଙ୍ଗଳ ସଂପ୍ରସାରଣ ଅଧିକାରୀ ସନ୍ତୋଷ କୁମାର ପତିଙ୍କ ନଗଡ଼ା ଗସ୍ତ ସମୟରେ କ୍ଷୀରମାଈ ପ୍ରଧାନଙ୍କ ଘର ଆଗରେ ଭୂଇଁରେ ମହୁବାକ୍ସ ସବୁ ଥାକଥାକ ହୋଇ ଥୁଆ ହୋଇଥିବା ଦେଖିବାକୁ ମିଳିଥିଲା। ଜାମୁନି ପ୍ରଧାନ, ଫୁଲ ପ୍ରଧାନ, ଠୁଳୁ ପ୍ରଧାନ, କନ୍ଥୁଲି ପ୍ରଧାନ ପ୍ରମୁଖଙ୍କ ପୁରୁଣା ମାଟିଘର ସଙ୍ଗାରେ ମହୁବାକ୍ସ ସବୁ ଅବ୍ୟବହୃତ ଭାବେ ପଡ଼ି ରହିଥିଲା। ଏସବୁ ଅବ୍ୟବସ୍ଥା ସେଦିନ ଖୋଦ୍ ବିଡିଓଙ୍କ ନଜରରେ ପଡ଼ିଥିଲା। ଅପରପକ୍ଷରେ, ମହୁଚାଷ ପ୍ରଶିକ୍ଷଣରେ ସହାୟତା ସତ୍ତ୍ବେ ବିଲ୍ ନମିଳିବାରୁ ତାଙ୍କ ସଂସ୍ଥା ଗତ ମାର୍ଚ୍ଚ ମାସରୁ ନଗଡ଼ାରୁ ଓହରି ଯାଇଥିବା ‘ସ୍ରିଷ୍ଟି’ର ସଂଯୋଜକ ପଦ୍ମ ଲୋଚନ ମହାନ୍ତ ଅଭିଯୋଗ କରିଛନ୍ତି । ତେବେ ଗତ ୧୪ ତାରିଖରେ ନଗଡ଼ାରେ ମହୁକିଣା ପ୍ରଦର୍ଶନୀକୁ ନେଇ ଏବେ ସାଧାରଣରେ ସନ୍ଦେହ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/nagada-ffff.jpg)