କାଳିଆପାଣି : ମହୁଚାଷ ଜରିଆରେ ନଗଡ଼ା ମହିଳାଙ୍କୁ ସ୍ବାବଲମ୍ବୀ କରାଇବାର ପ୍ରୟାସ ପ୍ରହସନରେ ପରିଣତ ହୋଇଛ। ଏବେ ନଗଡ଼ାର କାହା ଅଗଣାରେ ମହୁଚାଷ ଦୂରେ ଥାଉ ମହୁମାଛିଟିଏ ଖୋଜିଲେ ବି ମିଳୁନାହାନ୍ତି। ଏକଥା ଖୋଦ୍ ବିଭାଗୀୟ କର୍ମଚାରୀ ସ୍ବୀକାର କରିବାକୁ ବାଧ୍ୟ ହୋଇଛନ୍ତି। ନଗଡ଼ାରେ ଏବେ ମହୁଚାଷ ନାହିଁ, ପୁଣିଥରେ ଏଠାରେ ମହୁଚାଷ ପାଇଁ ପଦକ୍ଷେପ ନିଆଯାଉଥିବା କହନ୍ତି ସୁକିନ୍ଦା ବ୍ଲକର ଓଡ଼ିଶା ଜୀବିକା ମିସନ କର୍ମଚାରୀ ଆଲୋକ କୁମାର ବେହେରା। ସେହିପରି ନଗଡ଼ାରେ ଫୁଲଚାଷ ଓ ପୁଷ୍ଟି ଉଦ୍ୟାନ କାମ ଜାରି ରହିଥିଲେ ମଧ୍ୟ ମହୁଚାଷ ବୁଡ଼ି ଯାଇଥିବା କହନ୍ତି ନିର୍ମାଣ ଏନ୍ଜିଓ କର୍ମଚାରୀ ଜୟଦେବ ଦଳାଇ।
ଗତବର୍ଷ ଜୁଲାଇ ୧୪ ତାରିଖରେ ଜିଲ୍ଲା ପଞ୍ଚାୟତ ସମ୍ବଳ କେନ୍ଦ୍ର ପକ୍ଷରୁ କ୍ଷେତ୍ର ପରିଦର୍ଶନରେ ଆସିଥିବା ଯାଜପୁର ଓ ରସୁଲପୁର ବ୍ଲକର ୪୫ ଜଣ ସରପଞ୍ଚ ନଗଡ଼ାରୁ ମହୁ କିଣିଲେ। ସେଦିନ ତଳ ନଗଡ଼ା ଅଙ୍ଗନବାଡ଼ି କେନ୍ଦ୍ରରେ ମହୁଭର୍ତ୍ତି ନୂଆଡବା ସବୁ ଥାକଥାକ ହୋଇ ପ୍ରଦର୍ଶନ କରାଯାଇଥିଲା। ପ୍ରତ୍ୟେକ ଡବାରେ ଥିବା ୧୫୦ ଗ୍ରାମ୍ ମହୁ ପାଇଁ ଦର ୫୦ ଟଙ୍କା ଲେଖାଯାଇଥିଲା। ସରପଞ୍ଚ ଓ ଆୟୋଜକମାନେ ସେଦିନ ନଗଡ଼ାରୁ ମହୁ କିଣିଥିଲେ ବୋଲି ଦକ୍ଷତା ବିକାଶ ବିଭାଗ ସହକାରୀ ପ୍ରକଳ୍ପ ନିର୍ଦେଶକ(ଏପିଡି) ମଧୁମିତା ପୃଷ୍ଟି ସେଦିନ 'ସମ୍ବାଦ'କୁ ସୂଚନା ଦେଇଥିଲେ। ମହୁଚାଷ ଜରିଆରେ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ(ଏସ୍ଏଚ୍ଜି)ଙ୍କୁ ସ୍ବାବଲମ୍ବୀ କରାଯାଉଥିବା ନେଇ ପ୍ରଶାସନ ପକ୍ଷରୁ ସେଦିନ ଡେଙ୍ଗୁରା ପିଟା ଯାଇଥିଲା। କିନ୍ତୁ ବାସ୍ତବ କ୍ଷେତ୍ରରେ ଏହା ଏକ ପ୍ରହସନ ଥିଲା ବୋଲି ବୁଦ୍ଧିଜୀବୀ ମହଲରେ ଅଭିଯୋଗ ହୋଇଛି। ପ୍ରକୃତ କଥା ହେଉଛି ପୂର୍ବରୁ ନଗଡ଼ାରେ ମହୁଚାଷ ଥିଲା ନା' ଆଜି ଅଛି।
/sambad/media/post_attachments/wp-content/uploads/2023/01/honey-750x430.jpg)
ଓଡ଼ିଶା ଜୀବିକା ମିସନ(ଓଏଲ୍ଏମ୍) ସହଯୋଗରେ ସାଢ଼େ ୪ ବର୍ଷ ତଳୁ ନଗଡ଼ାରେ ମହୁଚାଷ ଯୋଜନା ହୋଇଥିଲେ ମଧ୍ୟ ତାହା ଏଯାବତ୍ ବାସ୍ତବ ରୂପ ନେଇନାହିଁ। ପ୍ରଶାସନ ପକ୍ଷରୁ ନଗଡ଼ା ମହିଳାଙ୍କୁ ଦିଆଯାଇଥିବା ଅବ୍ୟହୃତ ମହୁବାକ୍ସ ଏଣେତେଣେ ପଡ଼ି ରହିଥିବା ଦେଖିବାକୁ ମିଳିଛି। ନଗଡ଼ାବାସୀଙ୍କ ଦକ୍ଷତା ବିକାଶ ଓ ତାଲିମ୍ ପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ଗତ ୨୦୧୮ ମସିହାରେ ଚିଙ୍ଗୁଡ଼ିପାଳ ଆଶ୍ରମ ସ୍କୁଲରେ ଅନୁଷ୍ଠିତ ୧୦ ଦିନିଆ ଶିବିରରେ ପର୍ଯ୍ୟାୟ କ୍ରମେ ନଗଡ଼ା, ଗୁହିଆଶାଳ, ତୁମୁଣି, ଅଶୋକଝର ଓ କଙ୍କଡ଼ାଗୋଡ଼ିର ଶହେ ଜଣ ଜୁଆଙ୍ଗ ଜନଜାତିର ବ୍ୟକ୍ତିଙ୍କୁ ଖଲିପତ୍ର, ବାଉଁଶ ହସ୍ତଶିଳ୍ପ, ଧୂପକାଠି ଓ ଛତୁଚାଷ ବିଷୟରେ ପ୍ରଶିକ୍ଷଣ ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ଏହିସବୁ ପ୍ରଶିକ୍ଷଣ କୌଣସି କାମରେ ଲାଗିନଥିଲା। ଏହି ପ୍ରଶିକ୍ଷଣ ଆଧାରରେ ଜଣେହେଲେ ବି ହିତାଧିକାରୀ ଉପକୃତ ହୋଇଥିବାର ନଜିର ନାହିଁ। ସେହିପରି ୨୦୨୦ ମସିହାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ରାଜ୍ୟ ଖଦୀବୋର୍ଡ ଓ ଜଗତପୁର ଜିଲ୍ଲା ତାଲିମ କେନ୍ଦ୍ର(ଡିଆଇସି) ସହାୟତାରେ ତଳ ନଗଡ଼ା ଅଙ୍ଗନବାଡ଼ି କେନ୍ଦ୍ରରେ ୫୦ ରୁ ଅଧିକ ମହିଳାଙ୍କୁ ୧୦ ଦିନିଆ ମହୁଚାଷ ପ୍ରଶିକ୍ଷଣ ଦିଆଯାଇଥିଲା। ତତ୍କାଳୀନ ଜିଲ୍ଲାପାଳ ରଞ୍ଜନ କୁମାର ଦାସ, ଖଦୀବୋର୍ଡ ନିର୍ଦେଶକ ସରୋଜ କୁମାର ପଟେଲ, ଡିଆଇସି ମହାପ୍ରବନ୍ଧକ ମନୋଜ କୁମାର ବେହେରା ନଗଡ଼ା ଗସ୍ତରେ ଆସି ଶିବିର ବୁଲି ଦେଖିଥିଲେ।
ମହୁଚାଷର ଭିତ୍ତିଭୂମି ପାଇଁ ନଗଡ଼ାରେ ବ୍ୟାପକ ଫୁଲଚାଷ ଯୋଜନା ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ୫୦ ଜଣ ହିତାଧିକାରୀଙ୍କ ଲାଗି ୨୫୦ ଗୋଟି ମହୁବାକ୍ସ ଅଣାଯାଇଥିଲା। ପ୍ରଶିକ୍ଷଣ ଓ ଉପାଦାନ କିଣାରେ ୧୦ ଲକ୍ଷ ଟଙ୍କା ପାଖାପାଖି ଖର୍ଚ୍ଚ ହୋଇଥିଲା। କରୋନା ବେଳେ ମହୁବାକ୍ସ ସବୁ ନଗଡ଼ା ପ୍ରାଥମିକ ସ୍କୁଲ ଶ୍ରେଣୀଗୃହରେ ବର୍ଷାଧିକ କାଳ ପଡ଼ିରହିବାରୁ ଏଥିରେ ଉଈ ଚରିଗଲେ। ସ୍କୁଲ ଖୋଲିବା ପରେ ଗତବର୍ଷ ମାର୍ଚ୍ଚ ମାସ ମହୁବାକ୍ସ ସବୁ ବାଣ୍ଟି ଦିଆଗଲା। ତଦାରଖ ଅଭାବରୁ ଶିଶୁମାନେ ଏସବୁକୁ ନେଇ ଖେଳଣା ଭଳି ବ୍ୟବହାର କଲେ। ସରପଞ୍ଚ ଦଳର ନଗଡ଼ା ଗସ୍ତକୁ ଦୃଷ୍ଟିରେ ରଖି ଅନ୍ୟ ସ୍ଥାନରୁ ମହୁମାଛି ଥିବା ବାକ୍ସ ଅଣାଯାଇ ନଗଡ଼ା ହିତାଧିକାରୀଙ୍କ ମଧ୍ୟରେ ବଣ୍ଟା ଯାଇଥିଲା। ଆମଦାନୀ ହୋଇଥିବା ବାକ୍ସରୁ ସଂଗୃହୀତ ମହୁକୁ ନେଇ ସେଦିନ ପ୍ରଦର୍ଶନ କରାଯାଇଥିଲା। ମହୁ ଯେଉଁଠୁ ଆସୁ ପଛେ, ଆମେ ତ ଏହାକୁ ବିକି ଟଙ୍କା ପାଇଥିଲୁ ବୋଲି କହନ୍ତି ତଳ ନଗଡ଼ାର ୨ ହିତାଧିକାରୀ ଚୁକୁଲି ପ୍ରଧାନ ଓ ଆଲେମାଇ ପ୍ରଧାନ। ନଗଡ଼ା ମହୁଚାଷକୁ ନେଇ ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ପ୍ରକୃତ ତଥ୍ୟ ଜଣାପଡ଼ିବ ବୋଲି ସାଧାରଣରେ ଦାବି ହୋଇଛି।