କାଳିଆପାଣି : ଜାତୀୟସ୍ତରରେ ଆଲୋଡ଼ନ ସୃଷ୍ଟି କରିଥିବା ନଗଡ଼ା ଶିଶୁ ମଡ଼କ ଘଟଣାକୁ ୪ ବର୍ଷ ପୂରିଛି। ଠିକ୍ ଆଜିର ଦିନରେ ଅପପୁଷ୍ଟିର ଶିକାର ହୋଇ ଦୟନୀୟ ଜୀବନ ବିତାଉଥିବା ନଗଡ଼ା ଅଞ୍ଚଳ ସଂପର୍କରେ ‘ସମ୍ବାଦ’ ଲୋକଲୋଚନକୁ ଆଣିଥିଲା। ୪ ବର୍ଷ ବିତିଯାଇଥିଲେ ମଧ୍ୟ ନଗଡ଼ା ବିକାଶ ନୈରାଶ୍ୟଜନକ। ଏବେ ବି ତୁମୁଣି ଓ ତଳଡିହ ଗ୍ରାମ ଅପହଞ୍ଚ ହୋଇ ରହିଛି।
/sambad/media/post_attachments/wp-content/uploads/2020/06/Kaliapani-TaladihaNagada1-300x150.jpg)
ନଗଡ଼ାକୁ ନେଇ ତମ୍ବିତୋଫାନ ହେବା ପରେ ୨୦୧୬ ଜୁଲାଇ ୨୦ ତାରିଖରେ ନଗଡ଼ା ରାଜସ୍ବ ମୌଜା ଅତିରିକ୍ତ ଏହାର ପାର୍ଶ୍ବବର୍ତ୍ତୀ ଗୁହିଆଶାଳ ରାଜସ୍ବ ମୌଜା ଏବଂ ତିନି ପଡ଼ା ଗାଁ ତୁମୁଣି, ତଳଡିହ, ନାଲିଆଡାବ ଓ ଅଶୋକଝରର ସାମଗ୍ରିକ ବିକାଶ ପାଇଁ ଗଠିତ ହୋଇଥିବା ସ୍ବତନ୍ତ୍ର ନଗଡ଼ା ଟାସ୍କ୍ ଫୋର୍ସ ଏବେ ନିଷ୍କ୍ରିୟ। କାଳିଆପାଣି ସାଧାରଣ ସଭାରେ ମୁଖ୍ୟମନ୍ତ୍ରୀଙ୍କ ‘ଆଦର୍ଶ ନଗଡ଼ା ଗାଁ’ ଘୋଷଣାକୁ ୩ ବର୍ଷ ୭ ମାସ ପୂରିଥିଲେ ବି ନଗଡ଼ା ବିକାଶ ଏବେ ନିରାଶାଜନକ। ତୁମୁଣି ଓ ତଳଡିହ ବସ୍ତିକୁ ଏଯାବତ୍ ପାଦଚଲା ରାସ୍ତା ଫିଟିନି। ୩୨ଟି ଜୁଆଙ୍ଗ ଜନଜାତି ପରିବାର ପୂର୍ବବତ୍ ପାହାଡ଼ି ଜଙ୍ଗଲିଆ ରାସ୍ତାରେ ଚାଲି ଚାଲି ଯା'ଆସ କରୁଛନ୍ତି। ଲୋକେ ୫ କିଲୋମିଟର ଦୂର ଚାଲିଚାଲି ଆସି ରାସନ ସଂଗ୍ରହ କରୁଛନ୍ତି। ରାସ୍ତା ନଥିବା ଆଳରେ ଭ୍ରାମ୍ୟମାଣ ଡାକ୍ତରୀ ଦଳ ତଳଡିହ ମାଟି ମାଡ଼ୁନଥିବାବେଳେ ମାସକୁ ଥରେ ବି ତୁମୁଣି ଯାଉନଥିବା ନେଇ ଉଭୟ ଗ୍ରାମବାସୀ ଅଭିଯୋଗ କରନ୍ତି।
/sambad/media/post_attachments/wp-content/uploads/2020/06/Kaliapani-TaladihaNagada-300x194.jpg)
ଗୁହିଆଶାଳ, ତଳଡିହ, ତୁମୁଣି ଓ ଅଶୋକଝର ବସ୍ତିର ୯୫ ଗରିବ ଜୁଆଙ୍ଗ ପରିବାର ଆବାସ ଯୋଜନାରୁ ବଞ୍ଚିତ ରହିଛନ୍ତି। ସ୍ଥାୟୀ ଜମିପଟ୍ଟା ଥିଲେ ବି ଜୁଆଙ୍ଗମାନେ ପଲାମରା ଝୁମ୍ପୁଡ଼ିରେ ଅତି ଦୟନୀୟ ଭାବେ ମୁଣ୍ଡ ଗୁଞ୍ଜିଛନ୍ତି। ସେହି କୁଡ଼ିଆରେ କୁକୁଡ଼ା ଓ ଛେଳି ସହିତ ଏକାଠି ରହୁଛନ୍ତି। ଗୁହିଆଶାଳ ଓ ତୁମୁଣି ନଳକୂପ ୩ ବର୍ଷ ତଳୁ ଅଚଳ। ଉଭୟ ଗାଁର ନାବାଳିକା ଓ ମହିଳାମାନେ ପୂର୍ବବତ୍ ଚୁଆରୁ ପିଇବା ପାଣି ସଂଗ୍ରହ କରୁଛନ୍ତି। ଖରାଦିନେ ଉକ୍ତ ଚୁଆରେ ଶିଉଳି ମାଡ଼ିଯିବା ଏବଂ ବର୍ଷା ପାଣିରେ ଚୁଆ ଗୋଳି ହୋଇଯିବା କାରଣରୁ ଏଠୁ ପରିଷ୍କାର ପାଣି ମୁନ୍ଦିଏ ମିଳିବା ମୁସ୍କିଲ୍। ଦୁଇ କୋଟିରୁ ଅଧିକ ଟଙ୍କା ବ୍ୟୟରେ କାମ ହୋଇଥିବା ନଗଡ଼ା ବିଜୁଳି ସେବା ନାଁକୁ ମାତ୍ର। ଗତ ୬ ମାସ ତଳେ ବିପର୍ଯ୍ୟସ୍ତ ବିଦ୍ୟୁତ୍ ସେବାର ପୁନରୁଦ୍ଧାର ହୋଇଥିଲେ ମଧ୍ୟ ପୁଣି ଗତ ତିନିମାସ ଧରି ଏଠି ବିଜୁଳି ସରବରାହ ବ୍ୟାହତ ହୋଇଛି। ବିଭିନ୍ନ ଗାଁ ଦାଣ୍ଡ ସୌର ଆଲୁଅ ଅଧିକାଂଶ ସ୍ଥାନରେ ଅଚଳ। ଘର ପିଛା ଦିଆଯାଇଥିବା ସୌର ଲଣ୍ଠନ ଆଉ ଜଳୁନି।
/sambad/media/post_attachments/wp-content/uploads/2020/06/Kaliapani-Tumuni-rason-carrying1Nagada-300x120.jpg)
ଗୁହିଆଶାଳ ଅଙ୍ଗନବାଡ଼ି ଓ ପ୍ରାଥମିକ ସ୍କୁଲ ଘର ଛପର ପୁଣିଥରେ ଉଡ଼ିଯାଇଛି। ତୁମୁଣି ଅଣଆବାସିକ ସ୍କୁଲ୍ ଓ ଅଙ୍ଗନବାଡ଼ି ଗୃହ ଅବସ୍ଥା ତଦ୍ରୂପ। ଉଭୟ ସ୍ଥାନରେ ଭଙ୍ଗା ଦଦରା କାନ୍ଥ ସାଙ୍ଗକୁ ଛପର ନଥିବା ଘରେ ଭବିଷ୍ୟତ ଗଢ଼ାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟିହୋଇଛି। ଏ ସଂପର୍କରେ ବିଡିଓ ତହସିଲଦାର ବିଶ୍ବଜିତ୍ ଦାସଙ୍କ ମତାମତ ଲୋଡ଼ିବାରେ ନଗଡ଼ା ବିକାଶ ଆଶାନୁରୂପ ହୋଇନଥିବା କଥାକୁ ସେ ସ୍ବୀକାର କରିଛନ୍ତି। ନଗଡ଼ା ପ୍ରତି ସରକାରଙ୍କ ନିରନ୍ତର ପ୍ରଚେଷ୍ଟା ଅବ୍ୟାହତ ରହିଥିବା ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/06/Kaliapani-Tumuni-rason-carryingNagada.jpg)