କାଳିଆପାଣି: ବହୁ ଚର୍ଚ୍ଚିତ ନଗଡ଼ାର ସାଂଘାତିକ ଅପପୁଷ୍ଟିର ଶିକାର ହୋଇଥିବା ଶିଶୁକୁ ପ୍ରଶାସନ ଏଯାଏ ଉଦ୍ଧାର କରିପାରିନି। ଶିଶୁର ଶ୍ବାସଗତ ସମସ୍ୟା ରହିଥିଲେ ମଧ୍ୟ ମାଆବାପା ଗାଲେ ଓ ମଙ୍ଗୁଳୁ ପ୍ରଧାନ ତାକୁ ଡାକ୍ତରଖାନା ନେବାକୁ ନାରାଜ। ୩ ଦିନ ତଳେ ଶିଶୁଟିର ଓଜନ ମାତ୍ର ୧ କିଲୋ ୭ଶହ ଗ୍ରାମ୍ ଥିଲା। ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଗତକାଲି ଯାଇଥିବା ଆଶାକର୍ମୀ ଜୟନ୍ତୀ ମହାନ୍ତ ଓ ସହଯୋଗୀ ଶରତ ମହାନ୍ତଙ୍କୁ ଦୂରରୁ ଦେଖିବା ମାତ୍ରେ ଗାଲେ ପଡ଼ୋଶୀ ଧନେଶ୍ବର ମହାନ୍ତଙ୍କ ଘରକୁ ପଳାଇଥିଲେ। ବୁଝାଇବା ପାଇଁ ତାଙ୍କୁ ପିଛା କରିବାରୁ ସେମାନେ ନିକଟସ୍ଥ ଜଙ୍ଗଲ ଆଡ଼କୁ ଦୌଡ଼ି ପଳାଇଥିଲେ। କର୍ମଚାରୀ ଦ୍ବୟ ୨ ଘଣ୍ଟା ଅପେକ୍ଷା କରି ଫେରିବାକୁ ବାଧ୍ୟ ହୋଇଥିଲେ। ବାଲ୍ୟବିବାହ କରିଥିବା ଗାଲେ ଓ ମଙ୍ଗୁଳୁଙ୍କ ୯ ଜଣିଆ ପରିବାର ରାସନ ଚାଉଳ ଉପରେ ନିର୍ଭରଶୀଳ। ପରିବାରରେ ଅଭାବଅନଟନ ଓ ଖାଦ୍ୟ ସମସ୍ୟା ରହିଛି। ମାତ୍ର ୧୫ ବର୍ଷ ବୟସରୁ ମାଆ ହୋଇଥିବା ଗାଲେଙ୍କର ସମସ୍ତ ୭ ସନ୍ତାନ ଜନ୍ମରୁ ଦୁର୍ବଳ। କୋଳରେ ବଢ଼ୁଥିବା ଗୋଟିଏ ଶିଶୁ କ୍ଷୀର ଛାଡ଼ିନଥିବା ବେଳେ ଅନ୍ୟ ଏକ ଶିଶୁ ଜନ୍ମ ହୋଇଥିଲା। ନବଜାତକ ସମେତ ତାଙ୍କର ସବୁ ଛୁଆଙ୍କୁ ସେ ମାଆକ୍ଷୀର ବ୍ୟତୀତ ପେଯତୋରାଣି ପିଆଇଥାନ୍ତି ବୋଲି ଏହି ଦମ୍ପତି କହିଛନ୍ତି। ଦିନକୁ ଦିନ ନଗଡ଼ାର ପ୍ରାକୃତିକ ପରିବେଶ, ଜଳବାୟୁ ଓ ପାଣିପାଗ ପ୍ରଭାବିତ ହୋଇଥିବାରୁ ସେମାନେ ସ୍ବାସ୍ଥ୍ୟଗତ ସମସ୍ୟାରେ ଘାଣ୍ଟି ହେଉଛନ୍ତି। ପ୍ରାୟ ୮ ବର୍ଷ ତଳେ ଅପପୁଷ୍ଟି ଜନିତ ନଗଡ଼ା ଶିଶୁ ମଡ଼କ ଘଟଣା ଚର୍ଚ୍ଚାର ପ୍ରସଙ୍ଗ ହୋଇଥିଲା। ସେହି ସମୟରେ ଏହି ଦମ୍ପତିଙ୍କର ୩ ଶିଶୁଙ୍କୁ ଏନ୍ଆରସି ଓ କଟକ ଶିଶୁ ଭବନରେ ଭର୍ତ୍ତି କରାଯାଇଥିଲା। ପ୍ରତିଥର ଏହି ଅବୁଝା ଦମ୍ପତି ଶିଶୁକୁ ଧରି ଡାକ୍ତରଖାନାରୁ ଲୁଚି ପଳାଇ ଆସୁଛନ୍ତି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp