ପୁଟୁରୁପଡ଼ାରେ ନଗଡ଼ା ଚିତ୍ର: ଅଜଣା ରୋଗରେ ପରିବାରର ୪, ଅପପୁଷ୍ଟି ନା ବ୍ୟାଧି!

ରା.ଉଦୟଗିରି : ନଗଡ଼ା ଭଳି ଚିତ୍ର ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ୍‌ ପୁଟୁରୁପଡ଼ା ଗ୍ରାମରେ। ଏଠାରେ ଗୋଟିଏ ପରିବାରର ୪ ପୁଅ ବିକଳାଙ୍ଗ ହୋଇଯିବା ସହ ଅପପୁଷ୍ଟିର ଶିକାର ହୋଇଛନ୍ତି। ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ଆଜି ମଧ୍ୟ ଅପହଞ୍ଚ ପୁଟୁରୁପଡା ଗ୍ରାମକୁ ଚଲା ରାସ୍ତା ତ ଅଛି, ହେଲେ ମୋବାଇଲ୍‌ ନେଟ୍‌ୱର୍କ ନାହିଁ କି ସ୍ୱାସ୍ଥ୍ୟସେବା ମିଳୁନାହିଁ। ଏକପ୍ରକାର ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇରହିଛି ଏହି ଗାଁ।

ସୂଚନା ଅନୁସାରେ, ଗ୍ରାମରେ କୈଳାସ ରଇତଙ୍କ ପୁଅ ପ୍ରଫୁଲ୍ଲ, ଭୋଳାନାଥ, କ୍ଷୀରସିନ୍ଧୁ ଓ ସାନ ବିକଳାଙ୍ଗ ଓ ଅପପୁଷ୍ଟିର ଶିକାର ହୋଇଛନ୍ତି। କୈଳାସଙ୍କ କହିବାନୁଯାୟୀ, ପୁଅମାନେ ୧୦ ବର୍ଷ ହେବାକ୍ଷଣି ସେମାନଙ୍କ ଶରୀର ବିକଳାଙ୍ଗ ସମସ୍ୟା ଦେଖାଦେଲା। ଚାଲବୁଲ କରିବା ଦୂର କଥା, ଉଠି ବସିବାକୁ ମଧ୍ୟ ଏମାନେ ଅକ୍ଷମ।। ସରକାର ଦେଇଥିବା ଟ୍ରାଇ-ସାଇକେଲ୍‌ ମଧ୍ୟ ସେମାନେ ବ୍ୟବହାର କରିପାରୁନାହାନ୍ତି। ଏଭଳି ଏକ ଅଜଣା ରୋଗରେ ଦଶବର୍ଷରୁ ଊର୍ଦ୍ଧ୍ବ ସମୟ ହେଲା ପୀଡ଼ିତ ବୋଲି ସେ କହିଛନ୍ତି। ତେବେ, ଆର୍ଥିକ ଅନଟନରେ ବଞ୍ଚୁଥିବା ପରିବାର ଅପପୁଷ୍ଟିର ଶିକାର ହୋଇଛନ୍ତି ନା କୌଣସି ଏକ ବ୍ୟାଧିରେ ପୀଡ଼ିତ, ତାହା ଜାଣିବା ଡାକ୍ତରମାନଙ୍କ ପକ୍ଷରେ ମଧ୍ୟ ସମ୍ଭବ ହୋଇନାହିଁ। ପଞ୍ଚାୟତ ପକ୍ଷରୁ ପରିବାରକୁ ମାସିକ ଚାଉଳ ଓ ଭତ୍ତା ମିଳୁଛି। ହେଲେ, ସେମାନଙ୍କର ଉନ୍ନତ ଚିକିତ୍ସା ବନ୍ଦୋବସ୍ତ କରି ସେମାନଙ୍କ ସ୍ୱାଭାବିକ ସ୍ୱରୂପ ଫେରାଇବ କିଏ ବୋଲି ଏକ ପ୍ରଶ୍ନ ଉଠିଛି। ତିତଲି ବାତ୍ୟାରେ ପାଇଥିବା ଲକ୍ଷେ ଟଙ୍କା କ୍ଷତିପୂରଣ ପିଲାଙ୍କ ଚିକିତ୍ସାରେ ସରିଗଲା। ଭଙ୍ଗାଦଦରା ଘରେ ଉନ୍ନତ ଚିକିତ୍ସା ଆଶାରେ ୪ପୁଅଙ୍କ ସମେତ ବାପା କୈଳାସ ଅପେକ୍ଷାରେ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏବଂ ବିଜୁ ପକ୍କାଘର ଯୋଜନାରେ ଏହି ପରିବାରଙ୍କ ନାଁ ଅଛି ବୋଲି ପଞ୍ଚାୟତ ନିର୍ବାହୀ ଅଧିକାରୀ ମିନତି ମିଶ୍ର ପ୍ରକାଶ କରିଛନ୍ତି। କିନ୍ତୁ, ଦାରିଦ୍ର୍ୟ ଓ ଅସୁସ୍ଥତାକୁ ସାଥୀ କରିଥିବା ଏହି ପରିବାରର ହାତଗୋଡ଼ ଚଳୁ ନଥିବାରୁ ସରକାର ନିଜେ ସେମାନଙ୍କ ମୁଣ୍ଡ ଗୁଞ୍ଜିବା ପାଇଁ ଘର ଖଣ୍ଡେ କରିଦିଅନ୍ତୁ ବୋଲି କୈଳାସ ନିବେଦନ କରିଛନ୍ତି।

ଆଜି ଯାଏ ପରିବାର ପାଖରେ ସ୍ୱାସ୍ଥ୍ୟ ବିଭାଗ ପହଞ୍ଚି ନାହିଁ। ନିଜ ଖର୍ଚ୍ଚରେ ପାରଳାଖେମୁଣ୍ଡି ଡାକ୍ତରଖାନାକୁ ଯାଇ ଦେଖା‌ଇଲେ, କିଛି ବି ଫଳପ୍ରଦ ହେଲାନାହିଁ। କେବଳ ତେଲ ମାଲିସ କର ବୋଲି କହି ଡାକ୍ତର ଘରକୁ ପଠାଇଦେଲେ। ‘ଆମକୁ ଚିକିତ୍ସା ସୁବିଧା ଦିଅ, ଆମେ ବଞ୍ଚିବାକୁ ଚାହୁଁଚୁ, ଆମେ ତୁମଭଳି ଖେଳିବାକୁ ଚାହୁଁଚୁ,’ ଭଳି ଆକୁଳ ଅନୁରୋଧ କରିଛନ୍ତି ପୀଡ଼ିତ ପିଲାମାନେ। କେବେ ସ୍ୱାସ୍ଥ୍ୟ ବିଭାଗ ଚେତିବ ଏବଂ ଭ୍ରାମ୍ୟମାଣ ଗାଡ଼ିରେ ଗାଁରେ ପହଞ୍ଚି ସେମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଯୋଜନାରେ ଚିକିତ୍ସା ସୁବିଧା ପ୍ରଦାନ କରିବ, ସେଇ ଆଶାରେ ପରିବାର ଚାହିଁରହିଛନ୍ତି।

ସମ୍ବନ୍ଧିତ ଖବର