ପୁଣି ଜୁଆଙ୍ଗ ଜନନୀ ଯନ୍ତ୍ରଣା : ହାଟ ପଡ଼ିଆରେ ଛଟପଟ ନଗଡ଼ା ପ୍ରସୂତି

କାଳିଆପାଣି : ନଗଡ଼ାରେ ପୁଣି ଜନନୀ ଯନ୍ତ୍ରଣା। ଶନିବାର ହାଟ ପଡ଼ିଆରେ ପଡ଼ି ଅଧ ଘଣ୍ଟାଏରୁ ଅଧିକ କାଳ ଛଟପଟ ହୋଇଥିଲେ ଜଣେ ପ୍ରସୂତି। ସେ ହେଉଛନ୍ତି ନଗଡ଼ା ପଡ଼ୋଶୀ ଗୁହିଆଶାଳ ରାଜସ୍ବ ମୌଜାର ଟୁରି ପ୍ରଧାନ(୨୭)। ଏମିତି ଅବସ୍ଥା ଆଜି ପୁଣି ଥରେ ନଗଡ଼ାର ବିଗିଡ଼ା ସ୍ବାସ୍ଥ୍ୟ ସେବାକୁ ପଦାରେ ପକାଇ ଦେଇଛି।

ଟୁରି ଯନ୍ତ୍ରଣାରେ ଛଟପଟ ହେଉଥିବା‌ବେଳେ ପାଖରେ ଥିବା ତାଙ୍କ ସ୍ବାମୀ ବଦୁଆ ପ୍ରଧାନ ଓ ବିଧବା ବୃଦ୍ଧା ଶାଶୂ ଉଜାଙ୍ଗଡାଇ ପ୍ରଧାନଙ୍କୁ କିଛି ବୁଦ୍ଧିବାଟ ଦିଶି ନଥିଲା। ତିନି ଉପେକ୍ଷିତ ଜୁଆଙ୍ଗ କେବଳ ମୁଣ୍ଡରେ ହାତଦେଇ କାନ୍ଦୁଥିଲେ। ଜୁଆଙ୍ଗ ଜନନୀ ଯନ୍ତ୍ରଣାକୁ ନେଇ ସାଧାରଣରେ ଆଲୋଡ଼ନ ସୃଷ୍ଟି ହୋଇଥିଲା। ଚିଙ୍ଗୁଡ଼ିପାଳର ତିନି ଯୁବକ ସଞ୍ଜୟ ମହାନ୍ତ, ସୁବାସ ମହାନ୍ତ ଓ ରଞ୍ଜିତ ମହାନ୍ତ ଘଟଣାସ୍ଥଳରେ ପହଞ୍ଚି ଏହି ମହିଳାଙ୍କୁ ସହାୟତା କରିଥିଲେ। ଭଡ଼ା ଅଟୋରେ ଟୁରିଙ୍କୁ ନେଇ ଟାଟାଷ୍ଟିଲ ସୁକିନ୍ଦା କେନ୍ଦ୍ରୀୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ। ସେ ଏବେ ସେଠାରେ ଚିକିତ୍ସାଧୀନ ଅଛନ୍ତି।

ଟୁରି ଆଠ ମାସର ଗର୍ଭବତୀ। ଆଜି ନିଜର ଦୁଇ ପୁଅ ଗଣିଆ(୩) ଓ ଟାଙ୍ଗୁରୁ(୬)ଙ୍କୁ ଅଙ୍ଗନବାଡ଼ି ଓ ସ୍କୁଲ ପଠାଇ ଭୋକିଲା ପେଟରେ ସ୍ବାମୀ ଓ ଶାଶୂଙ୍କ ସହିତ ଗାଁରୁ ୧୯ କିଲୋମିଟର ଦୂର ଚାଲି ଚାଲି ହାଟକୁ ଆସିଥିଲେ। ମାତ୍ର ୮୦ ଟଙ୍କା ଧରି ଏହି ନିରକ୍ଷର ପରିବାର ତେଲଲୁଣ ଓ ହଳଦୀ କିଣିବାକୁ ହାଟକୁ ବାହାରିଥିଲେ। ଏମିତିରେ ୯ କିଲୋମିଟର ପାହାଡ଼ି ରାସ୍ତା ଓହ୍ଲାଇବାକୁ ପଡ଼ିଥଲା। ମଝାମଝି ରାସ୍ତା ଅରଡ଼ାପାଳରୁ ତାଙ୍କର ଗର୍ଭ ଯନ୍ତ୍ରଣା ଆରମ୍ଭ ହୋଇଥିଲେ ମଧ୍ୟ ତାହାକୁ କଷ୍ଟେମଷ୍ଟେ ସ୍ବାମୀଙ୍କ ହାତ ଧରି ହାଟ ପର୍ଯ୍ୟନ୍ତ ଆସିଥିଲେ। କଷ୍ଟ ଲାଘବ ପାଇଁ ବାଟ‌ରେ ଦୁଇଦୁଇ ଥର ହାଣ୍ଡିଆ ପିଇଥିଲେ। ହାଟ ପଡ଼ିଆ ପଶ୍ଚିମ ପାର୍ଶ୍ବ ପୁରୁଣା ଜିଓଲୋଜିକାଲ କ୍ୟାମ୍ପ୍ ପାଖ ପଡ଼ିଆରେ ଥକା ମାରିଥିଲେ। ମାତ୍ର ଯନ୍ତ୍ରଣା ବଢ଼ିଯିବାରୁ ସେଠାରୁ ଆଉ ଉଠିବସି ପାରି ନଥିଲେ। ବିପର୍ଯ୍ୟସ୍ତ ପରିବେଶରେ ଅଧ ଘଣ୍ଟାରୁ ଅଧିକ ସମୟ ଧରି ଛଟପଟ ହୋଇଥିଲେ। ଜନ୍ମ ହେବାକୁ ଥିବା ତାଙ୍କର ଏହି ତୃତୀୟ ସନ୍ତାନ ପାଇଁ ତାଙ୍କ ପାଖେ ପଞ୍ଜୀକୃତ ଗର୍ଭବତୀ ପୁସ୍ତିକା ନଥିବା ସ୍ବାମୀ ବଦୁଆ କହିଛନ୍ତି। ଅନ୍ୟପଟେ ଟୁରିଙ୍କ ଏତାଦୃଶ ଅବସ୍ଥା ନେଇ ସଂପୃକ୍ତ ଅଙ୍ଗନବାଡ଼ି କର୍ମୀ ସତ୍ୟଭାମା ଦେହୁରୀଙ୍କୁ ଯୋଗାଯୋଗ କରିବାରେ ତାଙ୍କ ସାନଭଉଣୀ ମୋବାଇଲ୍‌ ଫୋନ୍ ଉଠାଇ ସେ ଆଜି ବନ୍ଧୁଘର ଯାଇଥିବା କହିଥିଲେ। ଗୁହିଆଶାଳର ଏହି ଗରିବ ଗର୍ଭବତୀ ମହିଳାଙ୍କ ସଂପର୍କରେ ତାଙ୍କ ପାଖେ କୌଣସି ଖବର ନାହିଁ ବୋଲି ସୁପରଭାଇଜର ଶକୁନ୍ତଳା ସଏ କହିଥିଲେ। ସିଡିପିଓଙ୍କୁ ଯୋଗାଯୋଗ ସମ୍ଭବ ହୋଇ ନଥିଲା। ଗତକାଲି ତଳ ନଗଡ଼ାରେ ରାଜ୍ୟ ସରକାରଙ୍କ ଶକ୍ତି, ଶିଳ୍ପ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଏବଂ ଗୃହ ବିଭାଗ ରାଷ୍ଟ୍ରମନ୍ତ୍ରୀ କ୍ୟା‌ପ୍‌ଟେନ୍‌ ଦିବ୍ୟ ଶଙ୍କର ମିଶ୍ରଙ୍କ ସମୀକ୍ଷା ବୈଠକରେ ନଗଡ଼ାର ସ୍ବାସ୍ଥ୍ୟସେବା ଏବଂ ମହିଳା ଓ ଶିଶୁ ବିକାଶ ସଫଳତା ନେଇ ବାହାସ୍ଫୋଟ ମାରୁଥିବା ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଡା. ଅରୁଣ କୁମାର ପାତ୍ର ଓ ସିଡିପିଓ ସଂଯୁକ୍ତା କାନୁନଗୋଙ୍କ ବିବୃତିର ୨୪ ଘଣ୍ଟା ନପୂରୁଣୁ ଗର୍ଭବତୀ ଟୁରିଙ୍କ ଅବସ୍ଥା ପୁଣିଥରେ ନଗଡ଼ାର ବିଗିଡ଼ା ରୂପକୁ ଅଙ୍ଗୁଳି ନର୍ଦେଶ କରୁଛି।

ସମ୍ବନ୍ଧିତ ଖବର