ଯାଜପୁର : ଗ୍ରାମ୍ୟ ଉନ୍ନୟନ (ଆରଡି) ବିଭାଗ ମାର୍ଫତରେ ଜିଲ୍ଲା ଖଣିଜ ନ୍ୟାସ (ଡିଏମ୍ଏଫ୍) ପାଣ୍ଠି ଅନୁଦାନରେ ବିଭିନ୍ନ ପର୍ଯ୍ୟାୟରେ ନିର୍ମାଣାଧୀନ ନଗଡ଼ା ସଡ଼କ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ଖୋଦ୍ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କର ହୃଦ୍ବୋଧ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଅଶୋକଝର ଫୁଟ୍ହିଲ୍ (ନଗଡ଼ା ପାହାଡ଼ ପାଦଦେଶ)ରୁ ତଳ ନଗଡ଼ା ପର୍ଯ୍ୟନ୍ତ ୮.୧ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ଏହି ସଡ଼କର ଶେଷ ପର୍ଯ୍ୟାୟ ଅମାନତ ଜମାରାଶି ପ୍ରଦାନ ଓ ଏହା ପରବର୍ତ୍ତୀ ସଡ଼କ ମରାମତି ନାଁରେ ବ୍ୟାପକ ହରିଲୁଟ୍ ହୋଇଥିବା ଅଭିଯୋଗ ହୋଇଛି।
ନଗଡ଼ା ସଡ଼କ ନିର୍ମାଣ କାର୍ଯ୍ୟରେ ଦୁର୍ନୀତି ହୋଇଥିବା ସନ୍ଦେହ ଦୃଢ଼ୀଭୂତ ହେବା ପରେ ବିଭାଗୀୟ କର୍ତ୍ତୃପକ୍ଷ ଗୁପ୍ତ ଟେଣ୍ଡରରେ ସଂପୃକ୍ତ ଥିବା ୩ ଯନ୍ତ୍ରୀ ଯାଜପୁର-୧ ବିଭାଜନ ମୁଖ୍ୟ ଅଧୀକ୍ଷଣ ଯନ୍ତ୍ରୀ ଇଂ ବିଜୟ କୁମାର ମହାରଣା, ଡୁବୁରି ଉପଖଣ୍ଡର ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ମୁଦୁଲି ଭେଙ୍କଟରମଣ ଓ ଟମକା ସେକ୍ସନର କନିଷ୍ଠ ଯନ୍ତ୍ରୀ ରସାନନ୍ଦ ବାରିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଷ୍ପତ୍ତି ନେଇଥିଲେ। ଗ୍ରାମ୍ୟ ଉନ୍ନୟନ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ସଂପୃକ୍ତ ୩ ଯନ୍ତ୍ରୀଙ୍କ ବିରୋଧରେ କାଳିଆପାଣି ଥାନାରେ ଏତଲା ଦାଏର କରିବା ପାଇଁ ସର୍ବୋଚ୍ଚ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ କେନ୍ଦ୍ରାପଡ଼ା-ଯାଜପୁର ମଣ୍ଡଳର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସଞ୍ଜୀବ କୁମାର ଦାଶଙ୍କୁ ନିର୍ଦେଶ ଦେଇଥିଲେ। ଉଚ୍ଚ କର୍ତ୍ତୃପକ୍ଷଙ୍କ ନିର୍ଦେଶ ଅନୁପାଳନ କରିବାକୁ ଯାଇ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଶ୍ରୀ ଦାସ ଥାନାରେ ବିଧିବଦ୍ଧ ଏତଲା ଦାଏର କରିଥିଲେ। ଗତ ୧ ତାରିଖରୁ ସମସ୍ତ ୩ ଅଭିଯୁକ୍ତ ଯନ୍ତ୍ରୀ ଅତି ଅନାୟାସରେ ହାଇକୋର୍ଟରୁ ଆଗୁଆ ଜାମିନ ପାଇବାରେ ସଫଳ ହୋଇଛନ୍ତି।
ଏତେ ସବୁ ବିଭାଗୀୟ କସରତ ଓ ଧାଁ’ ଦଉଡ଼ ସତ୍ତ୍ବେ ଏହି ଗୁରୁତ୍ବପୂର୍ଣ୍ଣ ମାମଲା ଚପିଯିବା ଜଳଜଳ ଦିଶୁଛି। ୟା’ ଭିତରେ କ’ଣ ଏମିତି ହେଲା ଯେ ମାସାଧିକ କାଳ ସର୍ବୋଚ୍ଚ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ, ଏତଲା ପାଇଁ ନିର୍ଦ୍ଦେଶନାମା ଜାରି କରିଥିବା ପ୍ଲାନ ରୋଡସ୍ ବିଭାଗ ମୁଖ୍ୟଯନ୍ତ୍ରୀ, ସଡ଼କ ଦୁର୍ନୀତି ତଦନ୍ତ ଦାୟିତ୍ବରେ ଥିବା ବିଭାଗୀୟ ମୁଖ୍ୟଯନ୍ତ୍ରୀ ଓ ପୁଲିସ ଅହେତୁକ ନିରବତା ଅବଲମ୍ବନ କରିଛନ୍ତି। ଯାହାକି ଏବେ ସାଧାରଣରେ ପ୍ରଶ୍ନବାଚୀ ହୋଇଛି।