ଯାଜପୁର : ଅପପୁଷ୍ଟିଜନିତ ଅପମୃତ୍ୟୁ ପାଇଁ ଅପଖ୍ୟାତି ଅର୍ଜିଥିବା ନଗଡ଼ାର ବିକାଶ ଆଳରେ ହୋଇଛି ନାହିଁନଥିବା ଦୁର୍ନୀତି। ଏଠାରେ ଦୁର୍ନୀତି ଢାଙ୍କିବାକୁ ଯାଇ ଆଉ ଏକ ଦୁର୍ନୀତି ହୋଇଛି। ଗ୍ରାମ୍ୟ ଉନ୍ନୟନ ବିଭାଗ(ଆରଡି) ରାସ୍ତା ନିର୍ମାଣ ଆଳରେ ଗୁପ୍ତ ଟେଣ୍ଡରରେ ୪୪ଲକ୍ଷ ୨୦ ହଜାର ଟଙ୍କା ହଡ଼ପ କରାଯାଇଛି। ଏହାକୁ ନେଇ କାଳିଆପାଣି ଥାନାରେ ଗତ ୪ତାରିଖରେ ଯାଜପୁର ଓ କେନ୍ଦ୍ରାପଡ଼ା ସର୍କଲର ମୁଖ୍ୟଯନ୍ତ୍ରୀ ସଂଜୀବ କୁମାର ଦାସ ଏତଲା କରିଛନ୍ତି। ମୁଖ୍ୟଯନ୍ତ୍ରୀ ଶ୍ରୀ ଦାସଙ୍କ ଏତଲାକୁ ଭିତ୍ତିକରି ଯାଜପୁର ଡିଭିଜନ୍-୧ର ଅଧୀକ୍ଷଣ ଯନ୍ତ୍ରୀ ବିଜୟ କୁମାର ମହାରଣା, ଡୁବୁରୀ ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ ମୁଦୁଲି ଭେଙ୍କଟରମଣ ଓ ଟମକା କନିଷ୍ଠ ଯନ୍ତ୍ରୀ ରସାନନ୍ଦ ବାରିକଙ୍କ ନାମରେ କେସ ନମ୍ବର ୧/୨୨ରେ ଦଫା ୪୦୬, ୪୨୦ ଓ ୩୪ ଆଇପିସିରେ ମାମଲା ରୁଜୁ ହୋଇଛି। ଆସନ୍ତା ୧୨ତାରିଖ ସୁଦ୍ଧା ଥାନାରେ ହାଜର ହୋଇ ନିଜର ମତ ରଖିବା ପାଇଁ ଥାନାଧିକାରୀ ସୁଶାନ୍ତ ଦାସ ଏହି ୩ଜଣଙ୍କୁ ନୋଟିସ୍ କରିଛନ୍ତି। ଯାହାକୁ ନେଇ ବିଭିନ୍ନ ମହଲରେ ଆଲୋଡ଼ନ ଖେଳିଯାଇଛି।
ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ ନଗଡ଼ାର ବିକାଶ ପାଇଁ ବିଭିନ୍ନ ବିଭାଗ ପକ୍ଷରୁ ପ୍ରାୟ ୧ଶହ କୋଟି ଟଙ୍କା ବ୍ୟୟ ହେଲାଣି। ନଗଡ଼ା ଦୁର୍ନୀତିକୁ ନେଇ ଲୋକାୟୁକ୍ତରେ ମାମଲା ହୋଇଥିଲେ ହେଁ ସେଥିରୁ ଅଧିକାରୀମାନେ ଖସିଯାଇଥିଲେ। ମାତ୍ର ‘ସମ୍ବାଦ’ରେ ସୂଚନା ଅଧିକାର ତଥ୍ୟକୁ ଭିତ୍ତିକରି ଲଗାତାର ଖବର ପ୍ରକାଶ ପାଇବା ପରେ ଉନ୍ନୟନ କମିସନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ(ଗ୍ରାମ୍ୟ ଉନ୍ନୟନ) ପ୍ରଦୀପ ଜେନାଙ୍କ ନିର୍ଦ୍ଦେଶ କ୍ରମେ ମୁଖ୍ୟଯନ୍ତ୍ରୀ(ପ୍ଲାନିଂ ରୋଡ୍) ଓ କ୍ବାଲିଟି କଣ୍ଟ୍ରୋଲ ଅତିରିକ୍ତ ମୁଖ୍ୟଯନ୍ତ୍ରୀ ଗତ ମାସ ୨୨ ଓ ୨୩ତାରିଖରେ ନଗଡ଼ ଅଞ୍ଚଳ ଗସ୍ତ କରି ଅନୁସନ୍ଧାନ କରିଥିଲେ। ତଦନ୍ତ ସମୟରେ ମଧ୍ୟ ଏହି ୩ଜଣ ଯନ୍ତ୍ରୀଙ୍କୁ ସାମିଲ କରାଯାଇଥିଲା। ମୁଖ୍ୟଯନ୍ତ୍ରୀ ଇଂଜିନିୟର ଦାସ ଦର୍ଶାଇଛନ୍ତି ଯେ ଇଂଜିନିୟର ଇନ୍ ଚିଫ୍ଙ୍କ ନିର୍ଦ୍ଦେଶକ୍ରମେ ତଦନ୍ତ ରିପୋର୍ଟକୁ ଭିତ୍ତିକରି ଏତଲା କରାଯାଇଥିଲା। ଏହି ଆଧାରରେ ମାମଲା ରୁଜୁ କରାଯାଇଛି।
ଜାରକା ଆରଡି ଡିଭିଜନରେ କେଳେଙ୍କାରୀକନିଷ୍ଠ ଯନ୍ତ୍ରୀ ନିଲମ୍ବିତ
ଯାଜପୁର/ଚଢେଇଧରା : ଜାରକା ଗ୍ରାମ୍ୟ ଉନ୍ନୟନ ଡିଭିଜନ ଅଧୀନ ଧର୍ମଶାଳା ବ୍ଲକ୍ ୫୩ ନମ୍ବର ଜାତୀୟ ରାଜପଥ ଚଢେଇଧରା ଠାରୁ ଅଣ୍ଟିଆ ଭାୟା ପୁରୁଣାବଉଳମାଳ ରାସ୍ତାରେ ବ୍ୟାପକ ଅନିୟମିତତା ଅଭିଯୋଗରେ ସମ୍ପୃକ୍ତ କନିଷ୍ଠ ଯନ୍ତ୍ରୀ ହିତାଞ୍ଜଳି ପଣ୍ଡାଙ୍କୁ ନିଲମ୍ବନ କରାଯାଇଛି।
ସୂଚନା ଅନୁସାରେ ଏହି ୭.୫କିମି ରାସ୍ତାକୁ ସମ୍ପ୍ରସାରଣ ଓ ନିର୍ମାଣ ଲାଗି ୪କୋଟି ୨୪ଲକ୍ଷ ୬୧ହଜାର ଟଙ୍କା ବ୍ୟୟରେ ପ୍ରଜ୍ଞାନ କନଷ୍ଟ୍ରକସନ ଟେଣ୍ଡର ନେଇ କାମ କରୁଥିଲା। ସମ୍ପୃକ୍ତ ଠିକାସଂସ୍ଥାର ଚୁକ୍ତି ଅନୁସାରେ ତା ୧୫/୪/୨୧ କାର୍ଯ୍ୟ ଆରମ୍ଭ କରି ତା ୧୪/୪/୨୧ ସୁଦ୍ଧା କାମ ଶେଷ ହେବ। ମାତ୍ର କାର୍ଯ୍ୟ ବିଳମ୍ବରେ ଆରମ୍ଭ କରି ତରବରିଆ ଭାବେ ନିମ୍ନମାନର କାମ କରି ସମୟ ସୀମା ମଧ୍ୟରେ ଶେଷ କରିବାକୁ ଠିକସଂସ୍ଥା ମସୁଧା କରୁଥିବା ବେଳେ ବିଭାଗୀୟ ଅଧିକାରୀମାନେ ସହଯୋଗ କରୁଥିବାର ସ୍ଥାନୀୟ ଗ୍ରାମବାସୀ ଅଭିଯୋଗ କରିଥିଲେ। ନିମ୍ନମାନର କାମର ଫଟୋ ଓ ଭିଡିଓ ଉଠେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କୁ ସାମାଜିକ ଗଣମାଧ୍ୟମ ଜରିଆରେ ଜଣାଇଥିଲେ। ସଚିବ ଶ୍ରୀ ଜେନା ସମ୍ପୃକ୍ତ କନିଷ୍ଠ ଯନ୍ତ୍ରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦେଶ ଦେଇଥିଲେ। ସର୍ବୋଚ୍ଚ ଯନ୍ତ୍ରୀ ଏହି ଘଟଣାରେ କନିଷ୍ଠ ଯନ୍ତ୍ରୀ ହିତାଞ୍ଜଳି ପଣ୍ଡାଙ୍କୁ ନିଲମ୍ବନ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/nagada-road-fff.jpg)