କାଳିଆପାଣି: ଅପପୁଷ୍ଟି ପାଇଁ ଅପଖ୍ୟାତ ଯାଜପୁର ଜିଲ୍ଲାର ନଗଡ଼ାରେ ସ୍ଥିତି ସୁଧୁରିନି। ୯ ବର୍ଷ ପରେ କେବଳ ରାସ୍ତାଘାଟ, ବିଜୁଳି, ପାଣି ପହଞ୍ଚିଛି ସତ, କିନ୍ତୁ ଜୀବନଧାରଣର ମାନରେ କିଛି ପରିବର୍ତ୍ତନ ହୋଇନାହିଁ। ଏବେ ବି ଅନେକ ମହିଳା ଘରେ ସନ୍ତାନ ପ୍ରସବ କରୁଛନ୍ତି। ପ୍ରତିଷେଧକ ଟିକା ନେଉନାହାନ୍ତି। ମମତା ଯୋଜନାର ସହାୟତା ସେମାନଙ୍କ ପାଖରେ ଅପହଞ୍ଚ। ଗାଁ ବିଦ୍ୟାଳୟରେ ଅଧା ପିଲା ଅନୁପସ୍ଥିତ। ପ୍ରଧାନମନ୍ତ୍ରୀ ଆବାସରେ ଅଧାଗଢ଼ା ଘର। ଠିକାଦାର ସବୁ ଟଙ୍କା ନେଇ ପାର୍ ହୋଇଯାଇଛନ୍ତି। ଅଙ୍ଗନବାଡ଼ି କର୍ମୀ, ସହାୟିକା କେହି ପାଠ ପଢ଼ିନଥିବାରୁ ମୋବାଇଲ ଆପ୍ରେ ବିଭାଗୀୟ ତଥ୍ୟ ରଖିବାକୁ ଅକ୍ଷମ। ଆଜି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ନଗଡ଼ା ଗସ୍ତ ସମୟରେ ଏଭଳି ଚିତ୍ର ଦେଖିବାକୁ ପାଇଛନ୍ତି।
ସୋମବାର ମଧ୍ୟାହ୍ନରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ସମୟରେ ମୁଖ୍ୟ ଶାସନ ସଚିବଙ୍କ ସହିତ ପୂରା ପ୍ରଶାସନିକ କଳ ନଗଡ଼ାରେ ପହଞ୍ଚିଥିଲେ। ସାଙ୍ଗରେ ଥିଲେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ସଚିବ ଗିରୀଶ ଏସ୍ଏନ୍, ବିଭାଗୀୟ ନିର୍ଦ୍ଦେଶକ ବିନୀତ ଭରଦ୍ବାଜ, ଜିଲ୍ଲାପାଳ ପି. ଅନ୍ବେଷା ରେଡ୍ଡୀଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ। ମୁଖ୍ୟ ସଚିବ ପ୍ରଥମେ ଉପରନଗଡ଼ା ଅଙ୍ଗନବାଡ଼ି କେନ୍ଦ୍ରରେ ସମୀକ୍ଷା କରିଥିଲେ। ଅଙ୍ଗନବାଡ଼ି କର୍ମୀ କମଳା ପ୍ରଧାନ ପାଠ ପଢ଼ି ନଥିବା ଓ ସହାୟିକା ସୁମିତ୍ରା ହେମ୍ବ୍ରମ ଓ ତୁଳସୀ ମାଝୀ ମୋବାଇଲ୍ ଆପ୍ରେ କୌଣସି ଡାଟା ରଖିପାରୁନଥିବା ଜଣାପଡ଼ିଥିଲା। ପ୍ରଧାନମନ୍ତ୍ରୀ ଆବାସ ହିତାଧିକାରୀ କଟିକିଆ ପ୍ରଧାନଙ୍କ ଅନୁଦାନ ରାଶି ୨ ଲକ୍ଷ ଟଙ୍କା ଠିକାଦାର ନେଇଯାଇଛନ୍ତି। ଘର କାମ ଅଧା ରହିଥିବା ଦେଖି ମୁଖ୍ୟ ଶାସନ ସଚିବ ଅସନ୍ତୋଷ ପ୍ରକାଶ କରିଥିଲେ।
ଏବେ ବି ଘରେ ସନ୍ତାନ ପ୍ରସବ
ମମତା ଯୋଜନାରୁ ଅନେକ ବଞ୍ଚିତ
ବିଦ୍ୟାଳୟ ଆସୁନାହାନ୍ତି ଅଧା ପିଲା
ଆବାସ ଅଧାଗଢ଼ା, ଟଙ୍କା ନେଇ ଠିକାଦାର ପାର୍
ଯଥାଶୀଘ୍ର ଘର ସଂପୂର୍ଣ୍ଣ କରିବାକୁ ଜିଲ୍ଲାପରିଷଦ ନିର୍ବାହୀ ଅଧିକାରୀ ଅଶୋକ କୁମାର ବେହୁରିଆ ଓ ସୁକିନ୍ଦା ବିଡିଓ ପ୍ରଦୀପ୍ତ କୁମାର ସେଠୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସିକର ପ୍ରଧାନଙ୍କ ପତ୍ନୀ ସୁବା ପ୍ରଧାନ ସ୍ବାସ୍ଥ୍ୟକେନ୍ଦ୍ର ନ ଯାଇ ନିଜ ଘରେ ସନ୍ତାନ ପ୍ରସବ କରିଛନ୍ତି। ମମତା ଯୋଜନା ସହାୟତା ନାହିଁ। ସେହିପରି ପାନୀୟଜଳରେ ଫ୍ଲୋରାଇଡ୍ ଓ କ୍ଲୋରିନ୍ ମାତ୍ରାକୁ ନେଇ ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀ ବଳରାମ ମିଶ୍ର ଓ ମୁଖ୍ୟଯନ୍ତ୍ରୀ ରତ୍ନାକର ସାହୁଙ୍କୁ ସେ ପ୍ରଶ୍ନ କରିଥିଲେ। ଗ୍ରାମବାସୀଙ୍କ ସ୍ନାନଶୌଚ ପାଇଁ ପୋଖରୀ ଖୋଳାଇବାକୁ ଦାବି ହୋଇଥିଲା। ତେବେ ଅଧିକାଂଶ ମହିଳା ସୁଭଦ୍ରା ଟଙ୍କାରେ ଛେଳି ପାଳନ କରୁଥିବା ଜଣାପଡ଼ିଥିଲା। କଟିକିଆ ପ୍ରଧାନଙ୍କ ଘରେ ପାରମ୍ପରିକ ଶସ୍ୟ ସଂରକ୍ଷଣ ପଦ୍ଧତି ଓ ଜୁଆଙ୍ଗ ଚଳଣି ଦେଖିଥିଲେ ମୁଖ୍ୟ ଶାସନ ସଚିବ।
ନଗଡ଼ା ସରକାରୀ ଉଚ୍ଚପ୍ରାଥମିକ ସ୍କୁଲରେ ୨୫ ପ୍ରତିଶତ ପିଲା ନିୟମିତ ଅନୁପସ୍ଥିତ ରହୁଥିବା ଜଣାପଡ଼ିଥିଲା। ପରିଚାଳନା ସମିତି ସଭାପତି କୃପା ପ୍ରଧାନ ଓ ଚୁକୁଲି ପ୍ରଧାନ ଜୁଆଙ୍ଗ ଭାଷାରେ ପାଠପଢ଼ା ପାଇଁ ଦାବି କରିଥିଲେ। ଡିଇଓ ନିତ୍ୟାନନ୍ଦ ବାରିକଙ୍କୁ ଏ ଦିଗରେ ପଦକ୍ଷେପ ନେବାକୁ ଶ୍ରୀ ଆହୁଜା ନିର୍ଦ୍ଦେଶ ଦେଇଥିଲେ। ଦେଓଗାଁରେ ୩ ବର୍ଷ ଧରି ଅବ୍ୟବହୃତ ୨ଶହ ଶଯ୍ୟାବିଶିଷ୍ଟ ଆଦିବାସୀ ହଷ୍ଟେଲକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ଲାଗି ସେ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଶେଷରେ ମୁଖ୍ୟ ଶାସନ ସଚିବ କାଳିଆପାଣି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ବୁଲି ଏହାର ଉନ୍ନତୀକରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ।