ଦଶପଲ୍ଲା : ବର୍ତ୍ତମାନ ଆମେ ଖାଉଥିବା ରାସାୟନିକ ସାରରେ ପ୍ରସ୍ତୁତ ଖାଦ୍ୟ ଅଳ୍ପାୟୁର ମୁଖ୍ୟ କାରଣ। ଦୀର୍ଘ ଜୀବନ ବଞ୍ଚି ରହିବା ପାଇଁ କାହାରି ବି ଇଚ୍ଛାଶକ୍ତି ନାହିଁ ବୋଲି କହିଛନ୍ତି ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍ ଘୁଗୁଡିପଡା ପଞ୍ଚାୟତସ୍ଥିତ କଦଳୀବାରୀଠାରେ ଜଗନ୍ନାଥ ଗୋ-ସେବା ସମିତି ନାମରେ ଗୋଶାଳା କରିଥିବା ସନ୍ଥ ନାଗରାମ ଦାଶ।
ତାଙ୍କ କହିବା ଅନୁଯାୟୀ ସେ ୧୯୦୯ ମସିହା ଜାନୁଆରି ୧ ତାରିଖରେ ଜନ୍ମଗ୍ରହଣ କରିଛନ୍ତି। ବର୍ତ୍ତମାନ ସେ ୧୧୪ ବର୍ଷ ବୟସରେ ପାଦ ଥାପିଲେଣି। ବିଶେଷତଃ ଏତେବର୍ଷ ବୟସ ପର୍ଯ୍ୟନ୍ତ ଆଜିର ସମାଜରେ ମନୁଷ୍ୟ ବଞ୍ଚିବା ସ୍ବପ୍ନ। ମାତ୍ର ତାକୁ ସେ ବାସ୍ତବରେ ଦେଖାଇ ପାରିଛନ୍ତି। ଆଜି ବି ସେ ସମ୍ପୂର୍ଣ୍ଣ ସୁସ୍ଥ ଓ ସତେଜ। ଧୁ ଧୁ ଖରାରେ ପଥର ଟେକିବା ସହ ଶହଶହ ଗାଈଗୋରୁଙ୍କ ସେବା କରୁଛନ୍ତି। ତାଙ୍କର ଶ୍ରବଣଶକ୍ତି ଓ ଦୃଷ୍ଟିଶକ୍ତି ମଧ୍ୟ ଅତି ପ୍ରଖର। ଦୈନିକ ଅର୍ଗାନିକ୍ ବା ଜୈବିକ ସାରରୁ ପ୍ରସ୍ତୁତ ଖାଦ୍ୟ ବ୍ୟବହାର କରନ୍ତି। ମାତ୍ର ବଡ଼କଥା ହେଉଛି, ବାଲ୍ୟାବସ୍ଥାରୁ ସାଂସାରିକ ଜୀବନ ବା ପାରିବାରିକ ମୋହମାୟାକୁ ତ୍ୟାଗକରି ବୈରାଗ୍ୟ ଜୀବନକୁ ସେ ଆପଣାଇ ନେଇଛନ୍ତି। ପରିବାରର ବାପା, ମା’, ଭାଇବନ୍ଧୁ, କୁଟୁମ୍ବଙ୍କୁ ପଛରେ ସେ ଛାଡ଼ିଆସିଛନ୍ତି। ତାଙ୍କ ଘର ହେଉଛି ଅଯୋଧ୍ୟା। ବାପା ଶ୍ରୀରାମ ଶୁକ୍ଳା ଓ ମା’ ହେଉଛନ୍ତି ସରସ୍ବତୀ ଶୁକ୍ଳା। ବାପା ଓ ଜେଜେବାପା ହେଉଛନ୍ତି ଅଯୋଧ୍ୟା ରଘୁବଂଶଙ୍କ ପୁରୋହିତ। ୧୦ ବର୍ଷ ବୟସରୁ ସେ ଗୃହତ୍ୟାଗ କରିଥିବା କହିଛନ୍ତି। ୪ ଭାଇଙ୍କ ମଧ୍ୟରୁ ସେ ହେଉଛନ୍ତି ତୃତୀୟ। ଗୃହତ୍ୟାଗ ପରେ ଚାଲିଚାଲି ହିମାଳୟରେ ପହଞ୍ଚିଥିଲେ। ସେଠାରେ ୧୨ ବର୍ଷ ମାନବ ସେବା କରିଛନ୍ତି। ଏପରିକି ୧୯୬୬ ମସିହାରେ ଗୋ-ରକ୍ଷା ଆନ୍ଦୋଳନରେ ସାମିଲ୍ ହୋଇଥିଲେ।
/sambad/media/post_attachments/wp-content/uploads/2023/04/daspalla.jpg)
ଯେଉଁଥିରେ ଇନ୍ଦିରା ଗାନ୍ଧୀଙ୍କ ଶାସନକାଳରେ ଅନେକ ସାଧୁସନ୍ଥ ବନ୍ଧୁକଗୁଳିରେ ପ୍ରାଣ ହରାଇଥିବା ସେ ନିଜ ଆଖିରେ ଦେଖିଥିବା କହିଛନ୍ତି। ହେଲେ ସଂସାରିକ ଜୀବନର କଷଣ ସହି ନ ପାରି ଶେଷରେ ଜଗନ୍ନାଥଙ୍କୁ ସ୍ମରଣ କରି ଗୋସେବା ପାଇଁ ଆଗେଇ ଆସିଛନ୍ତି। ଏଠାରେ ଏବେ ସେ ୬ ଶହରୁ ଊର୍ଦ୍ଧ୍ବ ଗାଈଗୋରୁଙ୍କୁ ରଖି ସେମାନଙ୍କ ସେବା କରୁଛନ୍ତି। ସୁସ୍ଥ ରହିବା ପାଇଁ ଜୈବିକ ସାରରେ ପ୍ରସ୍ତୁତ ଖାଦ୍ୟକୁ ସେ ବ୍ୟବହାର କରନ୍ତି। ଶ୍ରବଣ ଶକ୍ତି ପାଇଁ କାନରେ ଗୋମୂତ୍ର ପକାନ୍ତି। ସେହିଭଳି ଆଖିକୁ ସୁସ୍ଥ ରଖିବା ପାଇଁ ଦୈନିକ ଏକ ଗ୍ଲାସ୍ ଥଣ୍ତା ପାଣିରେ ଗୋଟିଏ ଲେମ୍ବୁ ବ୍ୟବହାର କରୁଥିବା ବେଳେ ଦାନ୍ତକୁ ସୁସ୍ଥ ରଖିବା ପାଇଁ ଗୋବର ଘସି ପାଉଁଶରେ ଦାନ୍ତ ଘସନ୍ତି। ଜୈବିକ ଖତରେ ପ୍ରସ୍ତୁତ ଲାଉ, ଅମୃତ ଭଣ୍ତା, ଖଡ଼ା, ପାଳଙ୍ଗ ଶାଗକୁ ଖାଦ୍ୟ ରୂପେ ବ୍ୟବହାର କରନ୍ତି। ଇଠା ଫଳକୁ ସେ ସାବୁନ ଭାବେ ବ୍ୟବହାର କରନ୍ତି। ତେବେ ଏସବୁ ଖାଦ୍ୟ ସତ୍ତ୍ବେ କାମନା, ଭବିଷ୍ୟତ ଓ ଚିନ୍ତା ଦୂର କରିବା ଦ୍ବାରା ସେ ଦୀର୍ଘ ଜୀବନ ଲାଭ କରିପାରିଥିବା ନିଜ ପ୍ରତିକ୍ରିୟାରେ ‘ସମ୍ବାଦ’କୁ ଜଣାଇଛନ୍ତି।
ପ୍ରଫୁଲ୍ଲ କୁମାର ପଣ୍ଡା
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/Nagaram-at-The-Age-of-114_Thumbnail.jpg)