ଖୋର୍ଧା : ଖୋର୍ଧାବାସୀ ଯେଉଁ ସ୍ନେହ ଶ୍ରଦ୍ଧା ଦେଇଛନ୍ତି ତାହା କଦାପି ଭୁଲି ପାରିବି ନାହିଁ। ଖୋର୍ଧା ଓ ଖୋର୍ଧାବାସୀଙ୍କ ପ୍ରତି ମୋର ସ୍ୱତନ୍ତ୍ର ଦୁର୍ବଳତା ରହିଛି। ଖୋର୍ଧାବାସୀଙ୍କ ଏହି ବିରଳ ସମ୍ମାନକୁ କେବେ ତଳେ ପକାଇବାକୁ ଦେବି ନାହିଁ। ତାହାକୁ ଅତୁଟ ରଖି ଖୋର୍ଧାର ବିକାଶ ପାଇଁ କାର୍ଯ୍ୟ କରିବି ବୋଲି ନବନିର୍ବାଚିତ ରାଜ୍ୟସଭା ସାଂସଦ ତଥା ‘ସମ୍ବାଦ’ ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ କହିଛନ୍ତି।

Advertisment

ଆଜି ସନ୍ଧ୍ୟାରେ ସ୍ଥାନୀୟ ଗୀତା ଭବନ ସାମନା ପଡ଼ିଆରେ ଖୋର୍ଧା ନାଗରିକ ମଞ୍ଚ ପକ୍ଷରୁ ତାଙ୍କୁ ଦିଆଯାଇଥିବା ସମ୍ବର୍ଧନା ଅବସରରେ ଶ୍ରୀ ପଟ୍ଟନାୟକ ଆହୁରି କହିଥିଲେ, ସେ ଖୋର୍ଧା ମାଟିରେ ଜନ୍ମ ହୋଇନଥିଲେ ମଧ୍ୟ ପାରିବାରିକ ଜୀବନ ଓ ପ୍ରଥମ ସାଂସଦ ଜୀବନର ଅଂଶବିଶେଷ ହୋଇଥିବା ଦୃଷ୍ଟିରୁ ଏହି ମାଟି ପ୍ରତି ତାଙ୍କର ସ୍ୱତନ୍ତ୍ର ଦୁର୍ବଳତା ରହିଛି। ସମ୍ବର୍ଧନା ସମାରୋହରେ ବହୁ ସଂଖ୍ୟାରେ ଲୋକଙ୍କର ଉପସ୍ଥିତି ଓ ଉତ୍ସାହ ମଧ୍ୟରେ ସେ କହିଥିଲେ, ମୁଖ୍ୟମନ୍ତ୍ରୀଙ୍କ ନିକଟରେ ମୁଁ କୃତଜ୍ଞ। ରାଜ୍ୟସଭା ସଦସ୍ୟ ଭାବେ ନିର୍ବାଚିତ ହୋଇନଥିଲେ ମୋ ପ୍ରତି ଲୋକଙ୍କର ଏତେ ଶ୍ରଦ୍ଧା ଓ ସମ୍ମାନ ଥିବା ମୁଁ ଜାଣିପାରିନଥା’ନ୍ତି। ବହୁ ବର୍ଷ ହେଲା ମୁଁ ତାଙ୍କୁ ସମାଲୋଚନା କରିଆସୁଥିଲେ ମଧ୍ୟ ମୋତେ ରାଜ୍ୟସଭା ସାଂସଦ ଭାବେ ପଠାଇ ସେ ମହାନୁଭବତାର ପରିଚୟ ଦେଇଛନ୍ତି।

ଉତ୍ତର ଓଡ଼ିଶାର ପ୍ରାକ୍ତନ କୁଳପତି ମେଜର କ୍ଷୀରୋଦ ପ୍ରସାଦ ମହାନ୍ତିଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି ସମ୍ବର୍ଧନା ସଭାରେ ଖୋର୍ଧା ବିଧାୟକ ରାଜେନ୍ଦ୍ର କୁମାର ସାହୁ, ଖୋର୍ଧା ପୌରାଧ୍ୟକ୍ଷା ସଂଯୁକ୍ତା ସାହୁ, ଖୋର୍ଧା ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ଦଳେଇ, ପୂର୍ବତନ ବିଧାୟକ ଡ.ଦିଲ୍ଲୀପ ଶ୍ରୀଚନ୍ଦନ, ବିଶିଷ୍ଟ ଡାକ୍ତର ବିମଳ ରଥ, ଯୁବନେତା ସଂଜୟ ପଟ୍ଟନାୟକ, ପ୍ରକାଶ କୁମାର ସାମନ୍ତରାୟ, ନରେନ୍ଦ୍ର କୁମାର ପୃଷ୍ଟି ପ୍ରମୁଖ ଭାଷଣ ଦେଇ ସାଂସଦ ଶ୍ରୀ ପଟ୍ଟନାୟକଙ୍କ ବହୁମୁଖୀ ପ୍ରତିଭା ଉପରେ ଆଲୋକପାତ କରିଥିଲେ।

ଏହି ସଭାରେ ଖୋର୍ଧା ପୌର ପରିଷଦର ଚେୟାରମ୍ୟାନ ଓ ସମସ୍ତ କାଉନସିଲର, ଖୋର୍ଧା ବାର ଆସୋସିଏସନ, ବ୍ୟବସାୟୀ ସଂଘ, ଖୋର୍ଧା ସାହିତ୍ୟ ଘର, ପାଇକ ସଂଗଠନ, ମହାନ ଆଦିବାସୀ ଓ ଦଳିତ ପରିବାର, କ୍ରସର ଆସୋସିଏସନ, ଖୋର୍ଧା କ୍ଲବ, ବ୍ରହ୍ମାକୁମାରୀ ଖୋର୍ଧା ସେବା କେନ୍ଦ୍ର, ସଂଖ୍ୟାଲଘୁ ସମ୍ପ୍ରଦାୟ, ବିଭିନ୍ନ ଶିକ୍ଷାନୁଷ୍ଠାନ, ସାମାଜିକ ଅନୁଷ୍ଠାନ ସମେତ ପ୍ରାୟ ୬୦ରୁ ଅଧିକ ସଂଗଠନ ପକ୍ଷରୁ ଶ୍ରୀ ପଟ୍ଟନାୟକଙ୍କୁ ସମ୍ବର୍ଧିତ କରାଯାଇଥିଲା। ଖୋର୍ଧା ବ୍ୟାଙ୍କ ଛକଠାରୁ ଏକ ବିରାଟ ଶୋଭାଯାତ୍ରାରେ ତାଙ୍କୁ ସଭାମଞ୍ଚ ପର୍ଯ୍ୟନ୍ତ ପାଛୋଟି ନିଆଯାଇଥିଲା। ଏହି ଅବସରରେ ତାଙ୍କୁ ଉପଢୌକନ, ମାନପତ୍ର, ଓ ପାଇକମାନଙ୍କ ପକ୍ଷରୁ ଖଣ୍ଡା ଉପହାର ପ୍ରଦାନ ପୂର୍ବକ ସମ୍ବର୍ଧନା ଜ୍ଞାପନ କରାଯାଇଥିଲା। ସମ୍ବର୍ଧନା ସଭାରେ ଖୋର୍ଧା ସହର ତଥା ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ହଜାର ହଜାର ବୁଦ୍ଧିଜୀବୀ, ଆଇନଜୀବୀ, ଶିକ୍ଷାବିତ୍‌ ଏବଂ ଜନସାଧାରଣ ଉପସ୍ଥିତ ଥିଲେ।