ବିନ‌ା ଭକ୍ତରେ ହେବ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ, ୨୬ ବର୍ଷ ପରେ ପଡ଼ୁଛି ଏହି ଦୁର୍ଲଭ ବେଶ

ଡିସେମ୍ବର ପର୍ଯ୍ୟନ୍ତ ଖୋଲିବନି ଶ୍ରୀମନ୍ଦିର!

ପୁରୀ: ଚଳିତ ବର୍ଷ ନଭେମ୍ବର ୨୭ରେ ପଡ଼ୁଥିବ‌ା ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ ଏଥର କରୋନା କଟକଣା ପାଇଁ ଆଡମ୍ବରରେ ହେବ ନ‌ାହିଁ। ରଥଯାତ୍ରା ଭଳି ବିନା ଭକ୍ତରେ ‌ମହାପ୍ରଭୁଙ୍କ ଏ ବେଶ ହେବ। ସାଧାରଣ ଭକ୍ତଙ୍କୁ ଦର୍ଶନ ଅନୁମତି ମିଳିବ ନାହିଁ। କରୋନା ସ୍ଥିତି ନିୟନ୍ତ୍ରଣକୁ ଆସୁନଥିବା ଓ ସରକାର ଏ ନେଇ ପୂର୍ବ ପ୍ରସ୍ତୁତି କରିନଥିବାରୁ ଏହାକୁ ବିନା ଭକ୍ତ‌ରେ କରିବାକୁ ଶ୍ରୀମନ୍ଦିର ପରିଚାଳନା କମିଟିରେ ଏ ନେଇ ଆଲୋଚନା ହୋଇଛି। ଆଲୋଚନାରୁ ଜଣାପଡ଼ିଛି, ବର୍ତ୍ତମାନର ସ୍ଥିତି ଯାହା ଆସନ୍ତା ଡିସେମ୍ବର ପର୍ଯ୍ୟନ୍ତ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରଖାଯିବ। ପରିସ୍ଥିତିକୁ ଦେଖିବା ପରେ ନିଷ୍ପତ୍ତି ନିଆଯିବ। ଅନ୍ୟପକ୍ଷରେ କଟକଣା ଭିତ୍ତିରେ ସ୍ଥାନୀୟ ଲୋକଙ୍କୁ କି ଭଳି ଏ ଦର୍ଶନ ମିଳିବ ସେଥି ପାଇଁ ପ୍ରଶାସନ ଚିନ୍ତା କରିବା ଉଚିତ ବୋଲି ମତ ପ୍ରକାଶ ପାଇଛି।

ଚଳିତ ବର୍ଷ କରୋନା ପାଇଁ ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା ବିନା ଭକ୍ତରେ ସଂପାଦିତ ହୋଇଥିଲା। କରୋନା ମହାମାରୀ ଯୋଗୁଁ ମାନ୍ୟବର ‌ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶରେ ଏହା କରାଗଲା। ତେବେ କରୋନାର ପ୍ରକୋପ ବଢ଼ୁଥିବାରୁ ଆଗାମୀ ନାଗାର୍ଜୁନ ବେଶକୁ ନେଇ ଏଭଳି ଅନିଶ୍ଚିତତା ଦେଖାଦେଇଛି। ରାଜ୍ୟରେ ସଂକ୍ରମଣ ବୃଦ୍ଧି ପାଉଥିବା ଦୃଷ୍ଟିରୁ ଶ୍ରୀମନ୍ଦିରକୁ ସାଧାରଣ ଭକ୍ତଙ୍କୁ କେବେ ପ୍ରବେଶ ଅନୁମତି ମିଳିବ ସେ ନେଇ ମଧ୍ୟ କିଛି ନିର୍ଦିଷ୍ଟ ସୂଚନା ଦିଆଯାଉନାହିଁ। ଅନ୍ୟ ପକ୍ଷରେ ମହାପ୍ରଭୁଙ୍କ ଏହି ବୀର ବେଶକୁ ଦେଖିବାକୁ ଚାହିଁ ବସିଥିବା‌ ଜଗନ୍ନାଥ ପ୍ରେମୀ ନିରାଶ ହୋଇଛନ୍ତି। ନାଗାର୍ଜୁନ ବେଶ ଦେଖିବା ପାଇଁ ପ୍ରାୟ ୬୦ ଲକ୍ଷରୁ ଅଧିକ ଭକ୍ତଙ୍କ ସମାଗମ ହେବାର ସମ୍ଭାବନା ଥାଏ। ମାତ୍ର ଚଳିତ ବର୍ଷ ଏହି ଦୁର୍ଲଭ ବେଶ ଦର୍ଶନରୁ ଲକ୍ଷ ଲକ୍ଷ ଭକ୍ତ ବଞ୍ଚିତ ହେବେ। ଶ୍ରୀମନ୍ଦିର ପ୍ରଶାସନ, ରାଜ୍ୟ ସରକାରଙ୍କ ପକ୍ଷରୁ ଏ ଯାଏ ଏ ନେଇ କୌଣସି ଆଲୋଚନା ମଧ୍ୟ ହୋଇନାହିଁ। ୧୯୯୪ରେ ଶେଷ ଥର ପାଇଁ ନାଗାର୍ଜୁନ ବେଶ ଅନୁଷ୍ଠିତ ହୋଇଥିଲା। ଉପୁଜିଥିବା ବ୍ୟବସ୍ଥାଗତ ତ୍ରୁଟି ଯୋଗୁଁ ଶ୍ରୀମନ୍ଦିରରେ ଦଳାଚକଟା ପରିସ୍ଥିତି ଉପୁଜିଥିଲା। ଏଥିରେ ୬ ଜଣ ଭକ୍ତ ପ୍ରାଣ ହରାଇଥିଲେ। ଶତାଧିକ ଲୋକ ଗୁରୁତର ଆହତ ହୋଇଥିଲେ। ପବିତ୍ର କାର୍ତ୍ତିକ ଦ୍ବାଦଶୀ ତିଥିରେ ଏହି ବେଶ ଅନୁଷ୍ଠିତ ହେବ। କାର୍ତ୍ତିକ ମାସରେ ଚଳିତ ବର୍ଷ ୬ ଦିନ ପଞ୍ଚକ ପଡ଼ୁଥିବାରୁ ଅତିରିକ୍ତ ଦିନରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ଅନୁଷ୍ଠିତ ହେବ।

ଏହି ବେଶରେ ମହାପ୍ରଭୁଙ୍କ ବୀର
ତଥା ପାର୍ବାତ୍ୟ ବେଶରେ ସଜ୍ଜିତ ହୋଇଥାନ୍ତି। ଅନ୍ୟ ବେଶ ଠାରୁ ଏହା ବିରଳ ଓ ଆକର୍ଷଣୀୟ। ମହାପ୍ରଭୁଙ୍କ ନାଗାର୍ଜୁନ ବେଶରେ ଦର୍ଶନ କରିବାକୁ ହଜାର ହଜାର ସଂଖ୍ୟାରେ ସାଧୁ ସନ୍ଥ ପୁରୀକୁ ଆସି ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶର ଦର୍ଶନ କରିଥାନ୍ତି। ବିଶେଷ କରି ହଜାର ହଜାର ସଂଖ୍ୟାରେ ନାଗା ସାଧୁ ଆସିଥାନ୍ତି। ତଥ୍ୟ ମୁତାବକ ୧୯୬୬, ୧୯୮୩ ,୧୯୯୩ ଓ ୧୯୯୪ରେ ଏହି ବେଶ ଅନୁଷ୍ଠିତ ହୋଇଥିଲା। ଏହା ପର ଠାରୁ ଏହି ତିଥି ପଡ଼ିନଥିଲା। ଏହାକୁ ମହାପ୍ରଭୁଙ୍କ ପର୍ଶୁରାମ ବେଶ ବୋଲି ମଧ୍ୟ କୁହାଯାଇଥାଏ। ହିମାଚଳ ପ୍ରଦେଶର ଜଣେ ସନାତନ ବ୍ରାହ୍ମଣ ଏହି ବେଶର ପ୍ରଚଳନ କରିଥିବା ଜଣାଯାଏ।

ସମ୍ବନ୍ଧିତ ଖବର