ପୁରୀ : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ହାତରେ ଶଙ୍ଖ ଓ ଚକ୍ର। ବଡ଼ଠାକୁର ବଳଭଦ୍ରଙ୍କ ହାତରେ ହଳ, ମୁଷଳ। ମସ୍ତକରେ ହାଣ୍ଡିଆ ସାଙ୍ଗକୁ ୧୬ ପ୍ରକାରର ଆୟୁଧ। ଶ୍ରୀଅଙ୍ଗରେ ଶ୍ରୀଭୁଜ, ଶ୍ରୀପୟର, କିରୀଟ, ବାଘନଖୀ ମାଳି, ହରିଡ଼ାମାଳ, ନାକଚଣା, ଚନ୍ଦ୍ର ଓ ସୂର୍ଯ୍ୟ ଭଳି ନାନାଦି ସୁବର୍ଣ୍ଣ ଅଳଙ୍କାର।
ଦୀର୍ଘ ୨୬ ବର୍ଷ ପରେ ଶୁକ୍ରବାର ପବିତ୍ର ଶୁକ୍ଳ ତ୍ରୟୋଦଶୀ ତିଥିରେ ଏଭଳି ବୀର ବେଶରେ ସଜେଇ ହୋଇଥିଲେ ଶ୍ରୀଜିଉ। ଆଖି ଝଲସାଇ ଦେଲା ଭଳି ଦୁର୍ଲଭ ନାଗାର୍ଜୁନ ବେଶରେ ଦର୍ଶନ ଦେଇଥିଲେ ମହାବାହୁ। କିନ୍ତୁ ଶ୍ରୀମନ୍ଦିରରେ ନଥିଲା କୋଳାହଳ। ଦର୍ଶନ ପାଇଁ ନଥିଲେ ଜଗାର ପ୍ରିୟ ଭକ୍ତବୃନ୍ଦ। ଏକବିଂଶ ଶତାଦ୍ଦୀରେ ପ୍ରଥମ ଥର ପାଇଁ ପଡ଼ୁଥିବା ଏହି ଦୁର୍ଲଭ ବେଶ ଆଜି ବିନା ଭକ୍ତରେ ସଂପନ୍ନ ହୋଇଥିଲା।
ହରଚଣ୍ଡୀ ସାହିରେ ଶ୍ରୀଜିଉଙ୍କ ନାଗାର୍ଜୁନ ବେଶ ପ୍ରସ୍ତୁତି ଶେଷ ପରେ ସଂକଳ୍ପ ଓ ସ୍ବତନ୍ତ୍ର ପୂଜାର୍ଚ୍ଚନା ପରେ ଶୁକ୍ରବାର ଭୋର ୪ଟା ୧୦ରେ ଘଣ୍ଟଘଣ୍ଟା, ଛତା, କାହାଳୀ ସହକାରେ ଶ୍ରୀମନ୍ଦିରକୁ ବେଶ ବିଜେ କରିଥିଲା। ଏଥି ପାଇଁ ହରଚଣ୍ଡୀ ସାହିରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ଦୁଇ ପାର୍ଶ୍ବରୁ କର୍ଡନ କରି ପୁଲିସ ବାହିନୀ ଶ୍ରୀମନ୍ଦିର ପର୍ଯ୍ୟନ୍ତ ବେଶକୁ ନେବାରେ ସୁରକ୍ଷା ଦେଇଥିଲେ। ସେପଟେ ସମ୍ଭାବ୍ୟ ଅଘଟଣକୁ ଏଡ଼ାଇବା ପାଇଁ ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ୧୪୪ ଧାରା ଜାରି କରାଯାଇଥିଲା। ଚାରିଆଡ଼େ ମାଳମାଳ ପୁଲିସ ଜଗି ରହିଥିଲେ।
/sambad/media/post_attachments/wp-content/uploads/2020/11/DSC_1615-300x200.jpg)
ଶ୍ରୀଜିଉଙ୍କ ନାଗାର୍ଜୁନ ବେଶ ପାଇଁ ଗତକାଲି ରାତିରୁ ହିଁ ନୀତିକାନ୍ତି ଆରମ୍ଭ ହୋଇଯାଇଥିଲା। କିନ୍ତୁ ଆରମ୍ଭରୁ ବିଭ୍ରାଟ ଦେଖା ଦେଇଥିଲା। ରାତି ୨ଟା ବଦଳରେ ରାତି ୨ଟା ୪୫ରେ ଦ୍ବାରଫିଟା ନୀତି ସଂପନ୍ନ ହୋଇଥିଲା। ସେହି ଅନୁଯାୟୀ ଅନ୍ୟାନ୍ୟ ନୀତି ବି ବିଳମ୍ବ ହୋଇଥିଲା। ରାତି ୩ଟା ୨୫ରେ ଭିତରଶୋଧ, ୩ଟା ୪୦ରେ ମଇଲମ, ୩ଟା ୪୫ରେ ମଙ୍ଗଳା ଆଳତି, ଭୋର ୪ଟାରେ ତଡ଼ପଲାଗି ନୀତି ସଂପନ୍ନ ହୋଇଥିଲା। ଏହାପରେ ଶ୍ରୀମନ୍ଦିର ଭିତରେ ବେଶକୁ ନେଇ ବିବାଦ ତେଜିଥିଲା। ଅଳଙ୍କାର ଲାଗିକୁ ନେଇ ଟଣାଓଟରା ହୋଇଥିଲା। ଶ୍ରୀମନ୍ଦିର ପ୍ରଶାସନ ଉପସ୍ଥିତିରେ ଅପୋଷ ବୁଝାମଣା ପରେ ନୀତିକାନ୍ତି ଆରମ୍ଭ ହୋଇଥିଲା। ସେତେବେଳକୁ କିନ୍ତୁ ତିନି ଘଣ୍ଟା ବିଳମ୍ବ ହୋଇଯାଇଥିଲା। ଭୋର ୪ଟାରେ ଆରମ୍ଭ ହେବାକୁ ଥିବା ନାଗାର୍ଜୁନ ବେଶ ସକାଳ ୭ଟାରେ ଆରମ୍ଭ ହୋଇଥିଲା।
ହାତରେ ବାଙ୍କଛୁରୀ, କଟାରି, ରଂଜକ ଦାନି, ସିଙ୍ଗଡ଼ା, ସିଙ୍ଗା, ଖଣ୍ଡା, ଢ଼ାଲ, ତ୍ରିଶୁଳ, ତେଣ୍ଟା ଆଦି ଧାରଣ କରିଥିଲେ ମହାପ୍ରଭୁ। ଦାଢ଼ି ସହ ଓଳମାଳି ବି ଲାଗି କରାଯାଇଥିଲା। ସକାଳ ୭ଟାରେ ବେଶ ଶେଷ ହେବାକୁ ଥିଲାବେଳେ ପୂର୍ବାହ୍ଣ ୧୦ଟା ୧୫ରେ ଏହା ସଂପନ୍ନ ହୋଇଥିଲା। ସେହି ଅନୁଯାୟୀ ଅନ୍ୟାନ୍ୟ ନୀତି ବି ବିଳମ୍ବରେ ଶେଷ ହୋଇଥିଲା। ପୂର୍ବାହ୍ଣ ୧୧ଟା ୫ରେ ଗୋପାଳବଲ୍ଲଭ, ମଧ୍ୟାହ୍ନ ୧୨ଟା ୨୫ରେ ସକାଳ ଧୂପ, ଅପରାହ୍ଣ ୧ଟା ୪୫ରେ ବାଳଧୂପ, ୩ଟାରେ ପ୍ରଥମ ଭୋଗମଣ୍ଡମ ଶେଷ ହୋଇଥିଲା।
ପ୍ରାୟ ସାଢ଼େ ୫ ଘଣ୍ଟା ନାଗାର୍ଜୁନ ବେଶରେ ଦର୍ଶନ ଦେବା ପରେ ଓଲାଗି ନୀତି ଆରମ୍ଭ ହୋଇଥିଲା। ଅପରାହ୍ଣ ୩ଟା ୫୫ରେ ବେଶ ଓଲାଗି ଆରମ୍ଭ ହୋଇ ଅପରାହ୍ଣ ୫ଟାରେ ଶେଷ ହୋଇଥିଲା। ପରେ ମଧ୍ୟାହ୍ନଧୂପ, ଦ୍ବିତୀୟ ଭୋଗମଣ୍ଡପ, ଦକ୍ଷିଣୀଘର ଭୋଗ, ମଇଲମ ଓ ବେଶ, ସଂଧ୍ୟା ଆଳତି, ସଂଧ୍ୟାଧୂପ, ମଇଲମ, ଚନ୍ଦନଲାଗି, ବଡ଼ସିଂହାର ବେଶ, ବଡ଼ସିଂହାର ଭୋଗ ଓ ଶେଷରେ ରାତ୍ର ପହୁଡ଼ ନୀତି ସଂପନ୍ନ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/nagarjuna-bhesa.jpg)