ପୁରୀ: ୨୬ ବର୍ଷ ପରେ ଶ୍ରୀକ୍ଷେତ୍ରରେ ସଂପନ୍ନ ହୋଇଛି ଶ୍ରୀଜିଉଙ୍କ ଦୁର୍ଲଭ ନାଗାର୍ଜୁନ ବେଶ । ଏ ନେଇ ପୁରୀ ଜିଲ୍ଲାପାଳ ବଲଓ୍ୱନ୍ତ ସିଂ ସୂଚନା ଦେଇଛନ୍ତି। ଆଜି ରତ୍ନ ସିଂହାସନରେ ମହାପ୍ରଭୁଙ୍କ ବୀର ବେଶ ବା ପର୍ଶୁରାମ ବେଶ ଅନୁଷ୍ଠିତ ହୋଇଛି । ମଙ୍ଗଳ ଆଳତି, ଅବକାଶ ଓ ମଇଲମ ପରେ ବେଶ ଅନୁଷ୍ଠିତ ହୋଇଛି ନାଗାର୍ଜୁନ ବେଶ । ପରମ୍ପରା ଅନୁସାରେ ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ନାଗା ବେଶରେ ସଜ୍ଜିତ ହୋଇଥିବା. ବେଳେ ଦେବୀ ସୁଭଦ୍ରା ବିଭିନ୍ନ ସ୍ବର୍ଣ୍ଣ ଅଳଙ୍କାର ଭୂଷିତା ହୋଇ ତ୍ରିଭୁବନେଶ୍ବରୀ ବେଶରେ ସଜ୍ଜିତା ହୋଇଛନ୍ତି। ତେବେ ଏଥର କରୋନା ଯୋଗୁଁ କଟକଣା ଭିତରେ ଅନୁଷ୍ଠିତ ହୋଇଛି ବେଶ। ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଥିବାରୁ କେବଳ ସେବକ ଓ ନିୟୋଜିତ ପ୍ରଶାସକ ଏହି ବିରଳ ବେଶ ଦର୍ଶନର ସୁଯୋଗ ପାଇବେ। ପୁରୀ ଜିଲ୍ଲାପାଳ ବଲଓ୍ୱନ୍ତ ସିଂଙ୍କୁ ଗଣମାଧ୍ୟମ ପକ୍ଷରୁ ବେଶ ଦର୍ଶନର ଅନୁଭୂତି ସଂପର୍କରେ ପ୍ରଶ୍ନ କରାଯିବା ପରେ ସେ ‘‘ଏହା ଅବର୍ଣ୍ଣନୀୟ’’ ବୋଲି କହିଥିଲେ।
ଶ୍ରୀମନ୍ଦିରର ପ୍ରମୁଖ ସେବକ ଭିତରଛ ମହାପାତ୍ର, ତଳିଛ ମହାପାତ୍ରଙ୍କ ଉପସ୍ଥିତିରେ ପୁଷ୍ପାଳକ ସେବକମାନେ ଏହି ବେଶ କରାଇଛନ୍ତି। ଏଥିରେ ଖୁଣ୍ଟିଆ ଓ ମେକାପ ସେବକମାନେ ସହାୟତା କରିଥିବା ବେଳେ ଏହା ଏକ ଜଜମାନି ବେଶ ହୋଇଥିବା ହେତୁ ବେଶ ସାମଗ୍ରୀ ଯୋଗାଣକାରୀ ଦାତା, ବେଶ କାରିଗର ଉପସ୍ଥିତ ରହିଥିଲେ ।
ଆଜି ନାଗାର୍ଜୁନ ବେଶରେ ହାଣ୍ଡିଆ ଶିରସ୍ତ୍ରାଣକୁ ଭଣ୍ଡି ଫୁଲ ଓ କଦମ୍ବ ଫୁଲ କାଠିରେ ସଜାଇ ଶ୍ରୀ ବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କ ମସ୍ତକରେ ଖଞ୍ଜି ଦିଆଯାଇଛି । ହାଣ୍ଡିଆ ଉପରେ ପାଉଳି, ଚନ୍ଦ୍ରହାର, ବେଙ୍ଗପାଟିଆ, ସୂର୍ଯ୍ୟ, ଚନ୍ଦ୍ର ଇତ୍ୟାଦିରେ ସଜିତ ହୋଇଛି। ମହାପ୍ରଭୁଙ୍କ ପୃଷ୍ଠଦେଶର ଉଭୟ ପାର୍ଶ୍ବରେ ତୀରପୂର୍ଣ୍ଣ ତୁଣୀର ସହିତ ଅନ୍ୟାନ୍ୟ ଅସ୍ତ୍ରମାନ ଖଂଜା ଯାଇଛି। ପ୍ରାରମ୍ଭରେ ବେଶକାରୀମାନେ ଠାକୁରମାନଙ୍କୁ ପାଟବସ୍ତ୍ର, ସିରକାପଡ଼ା, ଫୁଟା ପହରଣ, ବଳା ଇତ୍ୟାଦି ଲାଗି କରିବା ପରେ ସିଲ୍କ କନାରେ ପ୍ରସ୍ତୁତ ବେଶ ପିନ୍ଧାଇଥିଲେ।
ସୂଚନାଯୋଗ୍ୟ, ୩ ଘଣ୍ଟା ବିଳମ୍ବରେ ଆରମ୍ଭ ହୋଇଥିଲା ବେଶ କାର୍ଯ୍ୟ । ଭୋର ୪ଟା ପରିବର୍ତେ ସକାଳ ୭ଟାରେ ଆରମ୍ଭ ହୋଇଥିଲା ବେଶ । ମହାପ୍ରଭୁଙ୍କ ସୁନାଅଳଙ୍କାର ଗଣତିକୁ ନେଇ ବିବାଦ କାରଣରୁ ବେଶ ବିଳମ୍ବିତ ହୋଇଥିଲା । ସୂଚନା ଅନୁସାରେ ଭଣ୍ଡାର ମେକାପ ଓ ଖୁଂଟିଆ ସେବାୟତଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା । ଅଧିକ ସଂଖ୍ୟକ ସେବାୟତ ନିୟୋଜନ ନେଇ ବିବାଦ ହୋଇଥିଲା ଓ ପରେଶ୍ରୀମନ୍ଦିର ପ୍ରଶାସକଙ୍କ ହସ୍ତକ୍ଷେପ ଓ ବୁଝାଶୁଝା ପରେ ଆରମ୍ଭ ହୋଇଥିଲା ବେଶ ଲାଗି ।
ମହାବାହୁଙ୍କ ନାଗା ବେଶ ପାଇଁ ଶ୍ରୀମନ୍ଦିର ପରିସର ବାହାରେ .ଦେଖିବାକୁ ମିଳିଛି ଭକ୍ତିମୟ ପରିବେଶ । ଘଣ୍ଟଘଣ୍ଟା ସହ ବୀର ବାଦ୍ୟରେ କମ୍ପିଥିଲା ସିଂହଦ୍ୱାର । ସେପଟେ ଭଗବାନଙ୍କୁ ଦେଖି ନପାରି ଭାବ ବିହ୍ୱଳ ହୋଇଛି ଭକ୍ତ । ୨୫ ବର୍ଷ ପରେ ଦୁର୍ଲଭ ବେଶ ହେଉଥିବା ବେଳେ ଭକ୍ତ ଭଗବାନଙ୍କ ଦର୍ଶନରୁ ବଞ୍ଚିତ ହୋଇଛି । ତେଣୁ ୧୪୪ ଧାରା ଲାଗିବା ସତ୍ୱେ ଭକ୍ତି ଟାଣି ଆଣିଛି ଭାବର ବଡ଼ ଦାଣ୍ଡକୁ । ଆଉ ଭକ୍ତ କାନ୍ଦି କାନ୍ଦି ଭଗବାନକୁ ନିଜ ଅଭିମାନ ଜଣାଉଛି।
ମଳ ତିଥିରେ ନାଗାର୍ଜୁନ ବେଶ: ନାଗାର୍ଜୁନ ବେଶର ବିଶେଷତ୍ବ ହେଲା, ଏହା ସବୁ ବର୍ଷ ପଡ଼ିନଥାଏ। ମହାପ୍ରଭୁଙ୍କ ଅନ୍ୟ ବେଶ ପ୍ରତି ବର୍ଷ ପଡ଼ୁଥିବା ବେଳେ କେବଳ ନାଗାର୍ଜୁନ ଓ ରଘୁନାଥ ବେଶ ବହୁ ବର୍ଷର ଅନ୍ତରରେ ପଡ଼ିଥାଏ। ସେଥି ପାଇଁ ବେଶକୁ ନେଇ ଉତ୍ସୁକତା ଥାଏ। ୧୯୯୪ରେ ଶେଷ ଥର ପାଇଁ ଏହି ବେଶ ପଡ଼ିଥବା ବେଳେ ୨୬ ବର୍ଷ ପରେ ଚଳିତ ବର୍ଷ ଏ ବେଶ ପଡ଼ିଛି। ଯେଉଁ ବର୍ଷ କାର୍ତ୍ତିକ ମାସରେ ପଞ୍ଚକ ପାଞ୍ଚ ଦିନ ନ ହୋଇ ୬ ଦିନ ପଡ଼ିଥାଏ, ଅର୍ଥାତ କାର୍ତ୍ତିକ ଶୁକ୍ଳ ଏକାଦଶୀ ଠାରୁ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ପଞ୍ଚକର ଯେଉଁ ତିଥିରେ ମଳ ପଡ଼େ, ସେହି ମଳ ତିଥିରେ ହିଁ ଠାକୁରମାନଙ୍କ ନାଗାର୍ଜୁନ ବେଶ କରାଯାଏ। ଏଥର ଦ୍ବାଦଶୀରେ ମଳ ତିଥି ଥିବାରୁ ଆସନ୍ତାକାଲି ଏହି ବେଶ ହେଉଛି।
ତେବେ ଏହି ମଳ ତିଥି ପଡ଼ୁଥିବା ଦିବସର ନିର୍ଦ୍ଧାରଣ ବେଳେ ନିର୍ଦ୍ଦିଷ୍ଟ ଦିଗ ପ୍ରତି ମଧ୍ୟ ଦୃଷ୍ଟି ଦିଆଯାଏ। ସୂର୍ଯ୍ୟ ଗୋଟିଏ ଦିନ ପରିବର୍ତ୍ତେ ଦୁଇ ଦିନ ଭୋଗ କଲେ ଅର୍ଥାତ ପୂର୍ବ ଦିନ ଓ ପରଦିନ ସୂର୍ଯ୍ୟ ଉଦୟ ପର୍ଯ୍ୟନ୍ତ ସମୟକୁ ମଳ ତିଥି କୁହାଯାଏ। ସୁତରାଂ ଯେଉଁ ବର୍ଷ କାର୍ତ୍ତିକ ମାସ ପଞ୍ଚକ ମଳ ତିଥି ୬ ଦିନ ହୁଏ, ସେହି ବର୍ଷ ମଳ ତିଥିରେ ହିଁ ନାଗାର୍ଜୁନ ବେଶ କରାଯିବାର ପରମ୍ପରା ରହିଛି।
କେବେ ଆରମ୍ଭ ହେଲା ନାଗାର୍ଜୁନ ବେଶ: ନାଗାର୍ଜୁନ ବେଶର ସମୟ କେବେ ଓ ଏହା କେବେଠୁ ଶ୍ରୀମନ୍ଦିରରେ ପ୍ରଚଳନ ହେଉଛି ସେ ନେଇ କୌଣସି ପ୍ରମାଣିକ ତଥ୍ୟ ନଥିଲେ ବି ୧୯୬୬ ଠାରୁ ବେଶ ସଂପର୍କରେ ବିବରଣୀ ରହିଛି। ଗଙ୍ଗବଂଶ ରାଜତ୍ବ ସମୟରୁ ବେଶ ହେଉଥିଲା କି ନା ତା’ର ପ୍ରମାଣ ନାହିଁ। କୁହାଯାଏ, ଗଙ୍ଗବଂଶ ରାଜାଙ୍କ ନିର୍ଦ୍ଦେଶକ୍ରମେ ଗଜପତି ମହାରାଜାଙ୍କ ଆଜ୍ଞାପ୍ରାପ୍ତ ହୋଇ ଚକ୍ରକୋଟ ଖୁଣ୍ଟିଆ ସେବକ ନାଗାର୍ଜୁନ ବେଶ କରୁଥିଲେ। ଚକ୍ରକୋଟ ଖୁଣ୍ଟିଆ ୧୯୬୮ ମସିହା ପର୍ଯ୍ୟନ୍ତ ନାଗାର୍ଜୁନ ବେଶ କରିଥିବା ଜଣାଯାଏ। ମାତ୍ର ଶ୍ରୀମନ୍ଦିର କାର୍ଯ୍ୟାଳୟ ରେକର୍ଡ ରୁମ ତଥ୍ୟ ମୁତାବକ, ୧୯୬୬ ମସିହାରୁ ଏହି ବେଶ କରାଯିବାର ସୂଚନା ରହିଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ୧୯୬୦ ମସିହା ଠାରୁ ରାଜ୍ୟ ସରକାର ଶ୍ରୀମନ୍ଦିର ପରିଚାଳନ ଭାର ଗ୍ରହଣ କରିବା ପରେ ୧୯୬୬ ମସିହା କାର୍ତ୍ତିକ ଶୁକ୍ଳ ପଞ୍ଚମୀ ମଳ ତିଥିରେ ନାଗାର୍ଜୁନ ବେଶ ହୋଇଥିଲା। ତେବେ ଚକ୍ରକୋଟ ଖୁଣ୍ଟିଆଙ୍କ ଘରେ ଉପଲବ୍ଧ ହେଉଥିବା ତାଳପତ୍ର ହୁକୁମନାମା ଓ କାଗଜାତରୁ ଏହି ବେଶ ତିନି ଶହ ବର୍ଷରୁ ପୁରୁଣା ବୋଲି ଜଣାଯାଏ।
ତଥ୍ୟ ମୁତାବକ, ୫୪ ବର୍ଷ ପୂର୍ବେ ଠାକୁରମାନଙ୍କ ବେଶ ଅନୁଷ୍ଠିତ ହୋଇଥିଲା। ୧୯୬୬ ନଭେମ୍ବର ୨୬ ତାରିଖ ମଳ ତ୍ରୟୋଦଶୀ ତିଥି, ୧୯୬୭ ନଭେମ୍ବର ୧୬ ମଳ ଚତୁର୍ଦ୍ଦଶୀ ତିଥି, ୧୯୬୮ ନଭେମ୍ବର ୩ ତାରିଖରେ ଏହି ବେଶ ଅନୁଷ୍ଠିତ ହୋଇଥିଲା। ଏହାର ୨୬ ବର୍ଷ ପରେ ମଳ ଦ୍ବାଦଶୀ ତିଥିରେ ଅର୍ଥାତ ୧୯୯୩ ନଭେମ୍ବର ୨୬ ତାରିଖ, ୧୯୯୪ ନଭେମ୍ବର ୧୬ ତାରିଖ ଦିନ ମଳ ତ୍ରୟୋଦଶୀ ତିଥିରେ ଏହି ବେଶ ଶେଷ ଥର ପାଇଁ ହୋଇଥିଲା।।