ପୁରୀ : ଶୁକ୍ରବାର ଦିନ (୨୭ ତାରିଖ) ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ। ଏଥିପାଇଁ ପ୍ରସ୍ତୁତି ପର୍ବ ଶେଷ ହୋଇଛି। ଗୁରୁବାର ରାତି ପ୍ରାୟ ୧୨ଟାରେ ରାତ୍ର ପହୁଡ଼ ପରେ ରାତି ୨ଟାରେ ନାଗାର୍ଜୁନ ବେଶ ନୀତିକାନ୍ତି ଆରମ୍ଭ ହେବ। ଦ୍ବାରଫିଟା ପରେ ବେଶ ପୂର୍ବରୁ ଭିତରଶୋଧ, ମଙ୍ଗଳଆଳତି, ତଡ଼ପଲାଗି ଓ ଅବକାଶ ଆଦି ନୀତି ସଂପନ୍ନ ହେବ।
ପ୍ରଥମଥର ପାଇଁ ବିନା ଭକ୍ତରେ ଅନୁଷ୍ଠିତ ହେବ ସମସ୍ତ ନୀତିକାନ୍ତି। ଅନ୍ୟପଟେ ସମ୍ଭାବ୍ୟ ଭିଡ଼କୁ ନଜରରେ ରଖି ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ୧୪୪ ଧାରା ଲାଗୁ କରାଯାଇଛି। ଗୁରୁବାର ରାତି ୨ଟାରୁ ଶୁକ୍ରବାର ବେଶ ଓଲାଗି ପର୍ଯ୍ୟନ୍ତ ଏହି କଟକଣା ଜାରି ରହିବ। ଏଥିପାଇଁ ୨୫ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି। ନିର୍ଘଣ୍ଟ ନୀତି ଅନୁଯାୟୀ, ଗୁରୁବାର ରାତି ୨ଟାରେ ଦ୍ବାରଫିଟା ନୀତି, ୨ଟା ୨୦ରେ ଭିତରଶୋଧ, ସାଢ଼େ ୨ଟାରେ ମଙ୍ଗଳା ଆଳତି, ୩ଟାରେ ତଡ଼ପଲାଗି, ସାଢ଼େ ୩ଟାରେ ଅବକାଶ ନୀତି ସଂପନ୍ନ ହୋଇଛି। ରାତି ପ୍ରାୟ ୨ଟାରେ କଡ଼ା ସୁରକ୍ଷା ଭିତରେ ହରଚଣ୍ଡୀ ସାହିରୁ ବେଶକୁ ଘଣ୍ଟଘଣ୍ଟା, କାହାଳୀ ସହକାରେ ଶ୍ରୀମନ୍ଦିର ନିଆଯିବ। ସେହି ଅନୁଯାୟୀ ଅନ୍ୟାନ୍ୟ ନୀତି ବଢ଼ିବ।
ଭୋର ୪ଟାରୁ ମଇଲମ ଓ ନାଗାର୍ଜୁନ ବେଶ ଆରମ୍ଭ ହେବ। ୩ ଘଣ୍ଟା ଧରି ବେଶ ଲାଗି କାର୍ଯ୍ୟ ଚାଲିବ। ସକାଳ ୭ଟାରେ ବେଶ ଶେଷ ହେବ। ୧୬ ପ୍ରକାର ଆୟୁଧ ମହାପ୍ରଭୁଙ୍କୁ ଲାଗି ହେବ। ସେହିଭଳି ଭୋର ସାଢ଼େ ୪ଟାରେ ରୋଷହୋମ, ସକାଳ ୫ଟାରେ ସୂର୍ଯ୍ୟପୂଜା, ୫ଟା ୧୫ରେ ଦ୍ବାରପାଳ ପୂଜା, ୮ଟାରେ ଗୋପାଳବଲ୍ଲଭ, ସାଢ଼େ ୮ଟାରୁ ୧୦ଟା ଭିତରେ ସକାଳଧୂପ (କେବଳ କୋଠଭୋଗ), ସାଢ଼େ ୧୦ଟାରେ ବାଳଧୂପ ସହ ଭୋଗମଣ୍ଡପ ଉଠିବ।
ଅପରାହ୍ଣ ସାଢ଼େ ଗୋଟାଏରେ ଭୋଗମଣ୍ଡପ ଶେଷ ହେବ। ଅପରାହ୍ଣ ୨ଟାରେ ବେଶ ମଇଲମ ଓ ଅପରାହ୍ଣ ୩ଟାରେ ବେଶ ଶେଷ ହେବ। ଅପରାହ୍ଣ ସାଢ଼େ ୩ଟାରୁ ୫ଟା ଭିତରେ ମଧ୍ୟାହ୍ନଧୂପ (କେବଳ କୋଠଭୋଗ), ସାଢ଼େ ୪ଟାରୁ ସାଢ଼େ ୫ଟା ଭିତରେ ଦ୍ବିତୀୟ ଭୋଗମଣ୍ଡପ, ସାଢ଼େ ୫ଟାରେ ଦକ୍ଷିଣିଘର ଭୋଗ, ସଂଧ୍ୟା ୬ଟାରୁ ରାତି ୭ଟା ଭିତରେ ମଇଲମ ଓ ବେଶ, ରାତି ସାଢ଼େ ୭ଟାରେ ସଂଧ୍ୟା ଆଳତି, ୮ଟାରୁ ସାଢ଼େ ୯ଟା ଭିତରେ ସଂଧ୍ୟାଧୂପ(କେବଳ କୋଠଭୋଗ), ୧୦ଟାରେ ମଇଲବ, ସାଢ଼େ ୧୦ଟାରେ ଚନ୍ଦନଲାଗି, ସାଢ଼େ ୧୧ଟାରେ ବଡ଼ସିଂହାର ବେଶ, ୧୨ଟାରେ ବଡ଼ସିଂହାର ଭୋଗ ଓ ସାଢ଼େ ୧୨ଟାରେ ପହୁଡ଼ ହେବ। ସମସ୍ତ ନୀତିକାନ୍ତି ଶୃଙ୍ଖଳିତ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପରିଚାଳନା କମିଟି ସଦସ୍ୟ, ଛତିଶାନିଯୋଗ, ନୀତି ସଂପୃକ୍ତ ସେବକଙ୍କ ସହଯୋଗ ଲୋଡ଼ିଛି।
ଦୀର୍ଘ ୨୬ ବର୍ଷ ପରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ପଡ଼ୁଥିବାରୁ ଏହି ବେଶ ଦର୍ଶନ ପାଇଁ ଅନେକ ଆଶା ବାନ୍ଧିଛନ୍ତି। କିନ୍ତୁ କରୋନା ମହାମାରୀକୁ ଦୃଷ୍ଟିରେ ଏହି ବେଶ ଦର୍ଶନକୁ ବନ୍ଦ କରି ଦିଆଯାଇଛି। ତଥାପି ଭିଡ଼ ଆଶଙ୍କା ରହିଥିବାରୁ ଶ୍ରୀମନ୍ଦିର ଚାରିପଟେ ଅର୍ଥାତ୍ ମରିଚିକୋଟ ଛକ, ଜହ୍ନିମୁଣ୍ଡିଆ ଛକ, କାକୁଡ଼ିଖାଇ ଛକ, ଧାନକୁଟି ସାହି (ରଘୁନାଥ ଆଶ୍ରମ ନିକଟସ୍ଥ), ଗାଣ୍ଡୁଆ ଚଉରା ଛକ, ଗଡ଼ନ୍ତି ଛକ, ଦୋଳବେଦି କୋଣଠାରେ ୧୪୪ ଧାରା ଜାରି କରାଯାଇଥିବା ଜିଲ୍ଲାପାଳ ବଲୱନ୍ତ ସିଂ ସୂଚନା ଦେଇଛନ୍ତି।
କେବଳ ନୀତି ସଂପୃକ୍ତ ସେବାୟତ, ସରକାରୀ ଅଧିକାରୀ, କର୍ମଚାରୀ, ଜେଟିପିଙ୍କୁ ଏହି ଅଞ୍ଚଳରେ ପ୍ରବେଶ ଅନୁମତି ମିଳିଛି। ଅନ୍ୟମାନଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି। ଶ୍ରୀମନ୍ଦିର ଭିତରକୁ ମୋବାଇଲ୍, କ୍ୟାମେରା ଆଦି ନେବା ଉପରେ ନିଷେଧାଦେଶ ଜାରି କରାଯାଇଛି। ମୋବାଇଲ୍, କ୍ୟାମେରା ଆଦି ଚେକିଂ ପାଇଁ ଶ୍ରୀମନ୍ଦିର ଭିତରେ ଏକ ସୁରକ୍ଷା ବଳୟ ସୃଷ୍ଟି କରାଯାଇଛି। ଏକାଧିକ ଅଧିକାରୀଙ୍କୁ ଏହି ଯାଞ୍ଚ ପାଇଁ ମୁତୟନ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/Nagarjuna-besha-2.jpg)