ରାୟଗଡ଼ା: ନାଗାବଳୀ ନଦୀରୁ ଦୈନିକ ଶହଶହ ଟ୍ରିପ୍ ବାଲି ଆନ୍ଧ୍ରକୁ ଚାଲାଣ ହେଉଛି। ଲିଜ୍‌ ଅଞ୍ଚଳ ବାହାରୁ ରାତି ଅଧିଆ ମାଫିଆ ଏହି ଲୁଟ୍ କରୁଛନ୍ତି। ଜେସିବି ମାଧ୍ୟମରେ ବାଲି ଖୋଳି ଟିପର୍‌, ହାଇୱାରେ ଲୋଡ୍ କରୁଛନ୍ତି। ରାଜପଥକୁ ଲାଗି ନାଗାବଳୀ ବୋହି ଯାଇଥିବା ବେଳେ ପ୍ରଶାସନର ଜାଣତରେ ଚାଲିଛି ଲୁଟ୍। ବିସ୍ତୀର୍ଣ୍ଣ ନଦୀଶଯ୍ୟାରୁ ବାଲି ଚାଲାଣ ବଢ଼ୁଥିବାରୁ ବର୍ଷା ଦିନରେ ନଦୀ ଗତିପଥ ବଦଳିବାର ସମ୍ଭାବନା ରହିଛି। ରାୟଗଡ଼ା ବ୍ଲକ୍‌ର ହଂଶା, ଗୁରୁରାଜଗୁଡ଼ା, ଖିଲମିସିଗୁଡ଼ା, କୁମୁଟିପେଣ୍ଠ, କାଦମ୍ବରିଗୁଡ଼ା, କଲ୍ୟାଣସିଂହପୁର ବ୍ଲକ୍‌ର ବେଲକଣା, କୃଷ୍ଣପାତ୍ରଗୁଡ଼ା, ଲେକାଗୁଡ଼ା ବାଲିଘାଟକୁ ପ୍ରଶାସନ ଲିଜ୍ ସୂତ୍ରରେ ଦେଇଛି। ନାଗାବଳୀ ବାଲି ଉତ୍କୃଷ୍ଟମାନର ହୋଇଥିବାରୁ ଆନ୍ଧ୍ରର ବଡ଼ ବଡ଼ ପ୍ରକଳ୍ପ, ଆପାର୍ଟମେଣ୍ଟ୍ ନିର୍ମାଣରେ ଏହି ବାଲିକୁ ବ୍ୟବହାର କରାଯାଉଛି।

Advertisment

ପ୍ରତି ଟିପର୍‌, ହାଇୱା ବାବଦରେ ଲିଜ୍‌ଧାରୀ ମାଫିଆଙ୍କ ମାଧ୍ୟମରେ ୧୦ ହଜାରରୁ ଊର୍ଦ୍ଧ୍ବ ଟଙ୍କା ନେଉଛନ୍ତି। ନଦୀଶଯ୍ୟାରୁ  ବେଆଇନ ବାଲି ଚାଲାଣ ରୋକିବାକୁ ବାରମ୍ବାର ଅଭିଯୋଗ ସତ୍ତ୍ବେ କାର୍ଯ୍ୟାନୁଷ୍ଠାନ ତ ଦୂର କଥା, ଚଢ଼ଉ ବି କରୁନି ଖଣି ବିଭାଗ। ପୂର୍ବରୁ ଲଘୁ ଖଣିଜ ରାଜସ୍ବ ବିଭାଗ ଦାୟିତ୍ବରେ ଥିଲା। ରାଜସ୍ବ ନିରୀକ୍ଷକ ବେଆଇନ ଚାଲାଣ ବାବଦକୁ ଜରିମାନା ଆଦାୟ କରୁଥିଲେ। ଖଣି ବିଭାଗ ଏଥିରେ ବିଫଳ ହୋଇଥିବାରୁ ମାଫିଆ ଦିନରାତି ଚୋରା ଚାଲାଣ ଜାରି ରଖିଛନ୍ତି। ଯାହା ନାଗାବଳୀ ନଦୀ ସମେତ ନଈକୂଳିଆ ଗ୍ରାମବାସୀଙ୍କ ପାଇଁ ବିପଦ ପାଲଟିଛି। ବାଲି ଖନନ ଓ ପରିବହନ ଦ୍ବାରା ନଦୀ ଗତିପଥ ବଦଳିବାର ସମ୍ଭାବନା ରହିଛି। ବର୍ଷାରେ ଜଳସ୍ରୋତ ପ୍ରଖର ରହୁଥିବାରୁ ଅଧିକାଂଶ ସମୟରେ କୂଳ ଲଂଘିଥାଏ ନାଗାବଳୀ। ଖଣି, ଇସ୍ପାତ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଛନ୍ତି, ବାଲି ଚୋରି ରୋକିବାକୁ ଖୁବ୍‌ଶୀଘ୍ର ଓଆଇଏସ୍ଏଫ୍ ଯବାନଙ୍କୁ ନିୟୋଜିତ କରାଯିବା ସହ ଏନ୍‌ଫୋର୍ସମେଣ୍ଟକୁ ବ୍ୟାପକ କରାଯିବ।