ଅଣ୍ଟାରିଗୁଡ଼ା ସମେତ ୧୦ ଗାଁକୁ ବିପଦ ନାଗାବଳୀ : ୧୦ ବର୍ଷରେ ଖାଇଲାଣି ୨୦୦ ମିଟର କୂଳ

ବନ୍ୟା ନିୟନ୍ତ୍ରଣକାରୀ ପ୍ରକଳ୍ପକୁ ମିଳୁନି ସରକାରୀ ଅନୁଦାନ

ରାୟଗଡା : ଅଣ୍ଟାରିଗୁଡ଼ା ସମେତ ୧୦ ଗାଁ ପାଇଁ ବିପଦ ସାଜିଛି ନାଗାବଳୀ। ପ୍ରତି ବର୍ଷ ନଦୀ କୂଳ ଖାଇ ଗତିପଥ ପରିବର୍ତ୍ତନ କରୁଥିବାରୁ ନଦୀଗର୍ଭରେ ଲୀନ ହେବାକୁ ଯାଉଛି ଗାଁ। ନଦୀକୂଳ ମୂର୍ତ୍ତିକା କ୍ଷୟ ରୋକିବାକୁ ହୋଇଥିବା ଯୋଜନା ଦୀର୍ଘ ବର୍ଷ ହେଲା ଜଳସେଚନ ବିଭାଗରେ ପଡ଼ି ରହିଛି। ବିଭାଗୀୟ ଅନୁମୋଦନ ସହିତ ଯୋଜନା କାର୍ଯ୍ୟକାରୀ ପାଇଁ ଅନୁଦାନ ମିଳୁନଥିବାରୁ ୧୦ ବର୍ଷରେ ୨୦୦ ମିଟର କୂଳ ଖାଇଲାଣି ନାଗାବଳୀ। ଫଳରେ ରାୟଗଡ଼ା ସହର ପ୍ରତି ବିପଦ ସୃଷ୍ଟି ହୋଇଛି।

ରାୟଗଡ଼ା ପୌର ପରିଷଦର ୧୧ ନଂ ୱାର୍ଡରେ ରହିଛି ଅଣ୍ଟାରିଗୁଡ଼ା। ଗାଁରେ ୬୦ରୁ ଉର୍ଧ୍ବ ପରିବାର ବସବାସ କରୁଛନ୍ତି। ଗତ ୧୦ ବର୍ଷ ତଳେ ଗାଁଠୁ ୨୫୦ ମିଟର ଦୂରରେ ନଦୀ ପ୍ରବାହିତ ହେଉଥିଲା। ସମୟକ୍ରମେ ନଦୀ କୂଳ ଖାଇବା କାରଣରୁ ଗାଁ ଏବେ ନଦୀଠୁ ଆଉ ୬୦ ମିଟର ଦୂରରେ ରହିଛି। ଉପର ମୁଣ୍ଡରେ ବର୍ଷା ହେଲେ ନଦୀ ଫୁଲୁ ଥିବାରୁ ଗାଁ ପ୍ରତି ବିପଦ ବଢ଼ି ଚାଲିଛି। ଭିଟାମାଟିକୁ ବଞ୍ଚାଇବା ପାଇଁ ଗ୍ରାମବାସୀ ଜିଲ୍ଲା ପ୍ରଶାସନଠୁ ଆରମ୍ଭ କରି ନେତା, ମନ୍ତ୍ରୀ ସଭିଁଙ୍କୁ ଗୁହାରି କରି ସାରିଲେଣି। ପ୍ରତି ବର୍ଷ ବିପର୍ଯ୍ୟୟ ମୁକାବିଲା ବୈଠକରେ ନାଗାବଳୀ ନଦୀକୂଳରେ ଥିବା ଗ୍ରାମବାସୀଙ୍କ ସୁରକ୍ଷାକୁ ନେଇ ଆଲୋଚନା ହେଉଛି। ହେଲେ ପରବର୍ତ୍ତୀ ସମୟରେ କେହି ନାଗାବଳୀ ନଦୀର ସୁରକ୍ଷା, ମୂର୍ତ୍ତିକା କ୍ଷୟ ରୋକିବାକୁ ହୋଇଥିବା ଯୋଜନାର କାର୍ଯ୍ୟକାରୀ ଦିଗରେ ଦୃଷ୍ଟି ଦେଉନାହାନ୍ତି। ଯାହା ଫଳରେ ଗତ ୫ ବର୍ଷ ତଳେ ହୋଇଥିବା ଯୋଜନା ବାବଦକୁ ଏଯାବତ୍ ଟଙ୍କାଟିଏ ଅନୁଦାନ ମିଳି ପାରିନି। ଚଳିତ ବର୍ଷ ବର୍ଷା ବଢ଼ିଲେ କିମ୍ବା ଉପର ମୁଣ୍ଡରେ ବର୍ଷା ଯଦି ଲାଗି ରହେ ତେବେ ଯେକୌଣସି ସମୟରେ ନାଗାବଳୀ ନଦୀଗର୍ଭରେ ଅଣ୍ଟାରିଗୁଡ଼ା ଗ୍ରାମ ଲୀନ ହୋଇଯିବ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଭାବେ ବୟନ ଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ୍ ଦାୟିତ୍ବ ନେବା ପରେ ଅଣ୍ଟାରିଗୁଡା ଗାଁକୁ ଯାଇ ସ୍ଥିତି ଅନୁଧ୍ୟାନ କରି ତୁରନ୍ତ ଆଡ଼ିବନ୍ଧ ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଯାହା ପାଣିର ଗାର ହୋଇଛି। ଅନ୍ୟପକ୍ଷରେ ବିଷମକଟକ ବିଧାୟକ ତଥା ମନ୍ତ୍ରୀ ଜଗନ୍ନାଥ ସାରକା ଗ୍ରାମବାସୀଙ୍କୁ ଅଭିଯୋଗକୁ ଗୁରୁତର ସହ ବିଚାର କରି ଜଙ୍ଗଲ ଏବଂ ଜଳସେଚନ ବିଭାଗ ସହ ଆଲୋଚନା କରି ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦେଶ ଦେଇଛନ୍ତି।

YouTube

ଦୀର୍ଘ ୧୫ ବର୍ଷ ହେଲା ବର୍ଷା ଋତୁରେ ନାଗାବଳୀ କୂଳ ଲଂଘି ଚାଲିଛି। ଫଳରେ ବନ୍ୟା ଜଳରେ ଉବୁଟୁବୁ ହେଉଛନ୍ତି ରାୟଗଡା, କୋଲନରା, କଲ୍ୟାଣସିଂହପୁର ବ୍ଲକର ନଦୀକୂଳିଆ ଗ୍ରାମବାସୀ। କୋଲନରା ବ୍ଲକର ରେବତୀଗୁଡା ଗ୍ରାମଠୁ ୩ ଶହ ମିଟର ଦୂରରେ ବହି ଯାଉଥିଲା ନଦୀ। କିନ୍ତୁ ନଦୀ କୂଳ ଲଂଘିବା ଯୋଗୁ ଏବେ ଗାଁଠାରୁ ୫୦ ମିଟର ଦୂରରେ ରହିଛି। ବାରମ୍ବାର ନଦୀର ଗତିପଥ ପରିବର୍ତନ ଯୋଗୁ ଗାଁର କିଛି ଘର କାନ୍ଥରେ ଫାଟ ସୃଷ୍ଟି ହେବା ସହ କିଛି ଘର ଭୁଷୁଡିଲାଣି। ସେହିପରି ନଦୀ କୂଳରେ ଥିବା ବିରିବାଡି ଗ୍ରାମର ଅବସ୍ଥା ମଧ୍ୟ ସମାନ୍। ବନ୍ୟା ପାଣି ଗାଁ ଭିତରକୁ ମାଡୁଥିବାରୁ ଜୀବନ ଜୀବିକା ଛାଡି ଗ୍ରାମବାସୀ ବର୍ଷା ଦିନେ ଘରଦ୍ବାରକୁ ଜଗି ରହୁଛନ୍ତି। ୨୦୧୭ ବନ୍ୟାରେ କଲ୍ୟାଣସିଂହପୁର ବ୍ଲକର କୁମ୍ଭାରୀଗୁଡା ଗାଁ ନଦୀଗର୍ଭରେ ଲୀନ ହୋଇଥିଲା। ବନ୍ୟାରେ ଗାଁର ୩୬ ପରିବାର ସର୍ବସ୍ବାନ୍ତ ହୋଇ ପଡିଥିବା ବେଳେ ଆଜି ପର୍ଯ୍ୟନ୍ତ ସ୍ଥିତି ସୁଧୁରି ପାରିନି। ସେହିପରି ଜିଲୁଣ୍ଡା, କୋତାଗୁଡା, ଭେଜା ଗାଁ ସମେତ ବୁଡାଗୁଡା, କଲ୍ୟାଣସିଂହପୁର, ମାଝୀଗୁଡା ପଂଚାୟତ ନାଗାବଳୀ ନଦୀ ଦ୍ବାରା ପ୍ରଭାବିତ ହେଉଛି। ରାୟଗଡା ବ୍ଲକର ଜଗନ୍ନାଥପୁର, ବେହେରାଗୁଡା, ବେଡେଲି, ଗୋସାଇଁକଣ୍ଟୁଆ, ଉମୁରାବାଲି ପ୍ରଭୃତି ଗାଁ ନାଗାବଳୀ ନଦୀ ଦ୍ବାରା ପ୍ରଭାବିତ ହେଉଛି। ୨୦୧୭ ବନ୍ୟାରେ ଜଗନ୍ନାଥପୁର, ଗୋସାଇଁକଣ୍ଟୁଆ ଗ୍ରାମରେ ବନ୍ୟା ପାଣି ପଶିଥିଲା। ସାନଚାନ୍ଦିଲି, କୋତପେଟା, କୁମୁଟିପେଣ୍ଠ, ଦେବଦୋଳା ଗାଁ ମଧ୍ୟ ବର୍ଷା ଦିନରେ ନାଗାବଳୀ ଦ୍ୱାରା ପ୍ରଭାବିତ ହେଉଛନ୍ତି।

ସମ୍ବନ୍ଧିତ ଖବର