କାଳିଆପାଣି : ନଗଡ଼ା ଶିଶୁ ମଡ଼କ ପଛରେ ବାଲ୍ୟ ବିବାହ ଏକ ପ୍ରମୁଖ କାରଣ ବୋଲି ବିବେଚନା କରାଯାଇଥିଲା। ସେଦିନଠୁ ସରକାରଙ୍କ ଫୋକସରେ ଥିବା ନଗଡ଼ାରେ ବାଲ୍ୟ ବିବାହକୁ ରୋକିବା ପାଇଁ ଜିଲ୍ଲା ଶିଶୁ ମଙ୍ଗଳ କମିଟି (ସିଡବ୍ଲ୍ୟୁସି), ଜିଲ୍ଲା ଶିଶୁ ସୁରକ୍ଷା ଓ ଅଧିକାର ୟୁନିଟ୍‌ (ଡିସିପିୟୁ), ଚାଇଲ୍ଡ ଲାଇନ୍‌ ଏବଂ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ନିରନ୍ତର ଉଦ୍ୟମ କରୁଛନ୍ତି। କିନ୍ତୁ ବାସ୍ତବ ସ୍ଥିତି ଓଲଟା। ଗତ ଅଢ଼େଇ ମାସ ମଧ୍ୟରେ ଏଠି ୯ଟି ଶିଶୁଙ୍କ ବିବାହ ଅନୁଷ୍ଠିତ ହୋଇଯାଇଛି।

Advertisment

ଗତ ୧୪ ତାରିଖ ପହିଲିରଜ ଦିନ ତୁମୁଣିର ଜଣେ ନାବାଳକ ତାଙ୍କ ଘର ସମ୍ମୁଖରେ ଥିବା ଅଙ୍ଗନବାଡ଼ି କର୍ମୀ ଚେମ ପ୍ରଧାନଙ୍କ ଘର ପାଖର ଜଣେ ନାବାଳିକାକୁ ବିବାହ କରିଛି। ଝିଅଟି ଏବର୍ଷ ଚିଙ୍ଗୁଡ଼ିପାଳ ଆଶ୍ରମ ସ୍କୁଲରୁ ଅଷ୍ଟମ ପାସ୍ କରିଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ଏ ସଂପର୍କରେ ପ୍ରଶାସନ କିମ୍ବା ଏଠାରେ କାର୍ଯ୍ୟ କରୁଥିବା ଏକାଧିକ ଏନ୍‌ଜିଓ ଟେର୍ ପାଇପାରି ନାହାନ୍ତି। ଏମିତିରେ ଗତ ଅଢ଼େଇ ମାସ ମଧ୍ୟରେ ନଗଡ଼ାରେ ୯ ଜଣ ଶିଶୁ ବାଲ୍ୟ ବିବାହ‌ରେ ବାନ୍ଧି ହୋଇଥିବା ସ୍ପଷ୍ଟ ହୋଇଛି। ସେମାନଙ୍କ ମଧ୍ୟରେ ତଳ ନଗଡ଼ାରୁ ୨ ଜଣ ନାବାଳକ ଏବଂ ମଝି ନଗଡ଼ା, ଉପର ନଗଡ଼ା ଓ ତୁମୁଣିରୁ ଜଣେ ଲେଖାଏଁ ଏମିତି ୫ ଜଣ ନାବାଳକ ବିବାହ କରିଥିବା ବେଳେ ଗୁହିଆଶାଳରୁ ୨ ଜଣ ନାବାଳିକା ଏବଂ ଅଶୋକଝର ଓ ତୁମୁଣିରୁ ଜଣେ ଲେଖାଏଁ କନ୍ୟାଙ୍କୁ ମିଶାଇ ୪ ଜଣ ବାଳିକା ବଧୂ ସାଜିଛନ୍ତି। ୬ଟି ସ୍ଥାନରେ ପ୍ରଶାସନ ଓ ପୁଲିସ ପକ୍ଷରୁ ଚଢ଼ଉ ହୋଇଛି। ଥାନାରେ ମାମଲା ରୁଜୁ ହୋଇଛି। ସଂପୃକ୍ତ ବରକନ୍ୟା ଉଦ୍ଧାର ହୋଇଛନ୍ତି ସତ, କିନ୍ତୁ ସବୁଠି ବାପପୁଅ ରାତି ଅନିଦ୍ରା, ମୁଗୁରା ପଛ ମେଲା ପରିସ୍ଥିତି ଦେଖିବାକୁ ମିଳିଛି। ସଂପୃକ୍ତ ୬ ଜଣଯାକ ଶିଶୁ ଏବେ ଏକାଠି ରହି ଘର ସଂସାର ଜଞ୍ଜାଳକୁ ଆବୋରି ନେଇଛନ୍ତି।