କରଞ୍ଜିଆ/କରଞ୍ଜିଆ ଗୋଲେଇ/ସିଙ୍ଗଡ଼ା: ଝଲମଲ ରଂଗିନ ଲାଇଟ୍ ଜଳୁଥିଲା। ଫୁଲ୍ ବେସ୍ରେ ଡିଜେ ଗୀତ ‘ନାଗିନ ନାଗିନ...’ ବାଜୁଥିଲା। ବରଯାତ୍ରୀମାନେ ରିତିମତ ନାଚ କରୁଥିଲେ। ଆଉ ସେମାନଙ୍କ ସହ ନାଚୁଥିଲା ଏକାଧିକ ସତସତିକା ନାଗ। ଆଜ୍ଞା ହଁ.. ଆପଣ ଯାହା ଶୁଣିଲେ ଠିକ୍ ଶୁଣିଲେ। ମୟୂରଭଞ୍ଜ ଜିଲ୍ଲାରେ ଏପରି ଏକ ଘଟଣା ସାମ୍ନାକୁ ଆସିଛି।
ବୁଧବାର ରାତି କରଂଜିଆରେ ଏକ ବାହାଘର ଶୋଭାଯାତ୍ରା ହେଉଥିଲା। ଏହି ଶୋଭାଯାତ୍ରାରେ ଗୋଟିଏ ପରେ ଗୋଟିଏ ଡିଜେ ଗୀତ ବାଜୁଥିଲା। ବରଯାତ୍ରୀମାନେ ଧୂଳି ଉଡ଼ା ନାଚ କରୁଥିଲେ। ଡିଜେ ଗୀତ ଭିତରେ ‘ନାଗିନ ନାଗିନ...’ ଗୀତ ବି ବାଜୁଥିଲା। ଶୋଭାଯାତ୍ରାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ବରପକ୍ଷ ସତସତିକା ନାଗର ବ୍ୟବସ୍ଥା କରିଥିଲେ। ଜଣେ କେଳା ବରଯାତ୍ରୀଙ୍କ ଭିଡ଼ରେ ତିନି ତିନିଟି ନାଗସାପକୁ ନଚାଇଥିଲେ। ତେବେ ଗୀତନାଚର ମାହୋଲ ଭିତରେ ସମସ୍ତେ ଭୁଲି ଯାଇଥିଲେ ଯଦି ନାଗସାପଟି ପେଡ଼ିରୁ ବାହାରି ଆସିଥାଆନ୍ତା, ତେବେ କେଡ଼େ ବଡ଼ ଅଘଟଣ ଯେ ଘଟି ଯାଇଥାଆନ୍ତା!
ବରଯାତ୍ରୀଙ୍କ ସହ ସାପକୁ ନଚାଇବା ଭିଡିଓ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଥିଲା। ଫଳରେ ବନଖଣ୍ଡ ଅଧିକାରୀ ଶ୍ରୀକାନ୍ତ ନାୟକଙ୍କ ନିର୍ଦେଶ କ୍ରମେ କରଞ୍ଜିଆ ବାନଞ୍ଚଳ ଅଧିକାରୀ ପ୍ରବୀର କୁମାର ମୁର୍ମୁ ଟିମ୍ ସହ ଶୋଭାଯାତ୍ରାରେ ଚଢ଼ଉ କରିଥିଲେ। ଏହି ସମୟରେ ଡିଜେ ଗାଡ଼ି ସହ ୩ଟି ନାଗ ସାପ ଜବତ ହୋଇଥିଲା। ସେହିପରି ଯାଜପୁର ଜିଲ୍ଲା କୋରେଇ ଅଞ୍ଚଳର କେଳା ରାମ ସିଂ ଏବଂ ଅନ୍ୟ ଚାରିଜଣଙ୍କୁ ଅଟକ ରଖାଯାଇଥିଲା। ତେବେ ପଚରାଉଚରା ପରେ ସମସ୍ତଙ୍କୁ ଛାଡ଼ି ଦିଆଯାଇଥିବା ବେଳେ ରାମଙ୍କୁ କୋର୍ଟ ଚାଲାଣ କରାଯିବା ନେଇ ଏସିଏଫ୍ ଫାଲ୍ଗୁନୀ ବେହେରା ସୂଚନା ଦେଇଛନ୍ତି। ସମସ୍ତେ ବାହାଘର ଶୋଭାଯାତ୍ରାରେ ମତୁଆଲା ହୋଇ ଆସନ୍ନ ବିପଦ କଥା ଭୁଲିଗଲେ। ଏହା ସହିତ ପ୍ରାଣୀ ସୁରକ୍ଷା ଆଇନକୁ ବି ବାଏଁ ବାଏଁ ଉଡ଼ାଇ ନାଗ ସହ ନାଚ କଲେ। ତେବେ ଏହି ଘଟଣାକୁ ବୁଦ୍ଧିଜୀବୀମାନେ ନିନ୍ଦା କରିଥିବା ବେଳେ ସଭ୍ୟ ସମାଜ କିଛି ଶିକ୍ଷା ନେବ ବୋଲି କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/cbcb58a0-a725-4c7c-b4a9-9e8d4b26f87d.jpg)