ଯାଜପୁର/ପାଣିକୋଇଲି: ଯାଜପୁର ଜିଲ୍ଲାର କେତେକ ଥାନା ଓ ଫାଣ୍ଡିର ପୁଲିସ ଅଧିକାରୀ ଓ କର୍ମଚାରୀଙ୍କ ବିଶୃଙ୍ଖଳ ଆଚରଣ ବିଭାଗ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି। ପାଣିକୋଇଲି ଥାନା ପରିସରରେ ଅଧିକାରୀ ଓ କର୍ମଚାରୀଙ୍କର ମତୁଆଲା ନାଗିନ୍ ଗ୍ରୁପ୍ ଡ୍ୟାନ୍ସ ସମସ୍ତ ଶୃଙ୍ଖଳା ସୀମାକୁ ଟପିଯାଇଛି। ହୋଲିରେ ପାଣିକୋଇଲି ଥାନାଧିକାରୀ ସମେତ ଅନ୍ୟ ଅଧିକାରୀ, ହୋମଗାର୍ଡ ପୁରୁଷ ଓ ମହିଳା କର୍ମଚାରୀ ପୁଲିସ ପୋଷାକରେ ମତୁଆଲା ନାଚ ନାଚିନାଚି ଭିଡ଼ିଓ ଭାଇରାଲ କରିବା ପରେ ତାକୁ ନେଇ ବିଭିନ୍ନ ମହଲରେ ଚିନ୍ତା ପ୍ରକଟ କରାଯାଇଛି। ଯାହାର ତଦନ୍ତ ପାଇଁ ଏସ୍ପି ରାହୁଲ ପିଆର ନିର୍ଦ୍ଦେଶ ଦେଇଛନ୍ତି। ପ୍ରାଥମିକ ତଦନ୍ତ ପରେ ଏଏସ୍ଆଇ ସଂଜୟ ଦାସଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି। ଅଧିକ ତଦନ୍ତ ଜାରି ରହିଛି।
ପାଣିକୋଇଲି ଥାନାଧିକାରୀ ସମେତ ଅନ୍ୟ ଅଧିକାରୀ, କର୍ମଚାରୀ, ହୋମଗାର୍ଡ ପୁରୁଷ ଓ ମହିଳା ପୁଲିସ ପୋଷାକରେ ରଙ୍ଗ ବୋଳି ହୋଇ ନାଗି୍ନ ଡ୍ୟାନ୍ସ ଭାଇରାଲ ହେବା ପରେ ଏହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ପ୍ରାଥମିକ ଯାଞ୍ଚ ପରେ ଏଏସଆଇଙ୍କୁ ସସପେଣ୍ଡ କରାଯାଇଛି। ସଂପୂର୍ଣ୍ଣ ଘଟଣାର ତଦନ୍ତ ପାଇଁ ଏସ୍ପି ନିର୍ଦେଶ ଦେଇଛନ୍ତି।
ଏସମ୍ପର୍କରେ ଅବସରପ୍ରାପ୍ତ ବରିଷ୍ଠ ପୁଲିସ ଅଧିକାରୀ ବିଷ୍ଣୁ ଚରଣ ସାହୁ କହିଛନ୍ତି ପୁଲିସ ପୋଷାକରେ ଥିବା ବେଳେ ଆଇନ୍ ଶୃଙ୍ଖଳା ରକ୍ଷା କରିବା ମୁଖ୍ୟ ଦାୟିତ୍ବ। ପୁଲିସ ପୋଷାକ ପରିଧାନ କରି ମଜାମସ୍ତି କରିପାରିବେ ନାହିଁ। ଏହା କଲେ ତାହା ଓଡ଼ିଶା ପୁଲିସ ରୁଲ୍ ର ଉଲ୍ଲଂଘନ କରିବ। ତେଣୁ ଏହା ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ବ୍ୟବସ୍ଥା ରହିଛି।
ସୂଚନାଯୋଗ୍ୟ ଯେ କିଛିଦିନ ହେଲା ଯାଜପୁର ଜିଲ୍ଲାର ବିଭିନ୍ନ ଥାନା ଓ ଫାଣ୍ଡି ଅଧିକାରୀ ଓ କର୍ମଚାରୀମାନଙ୍କର କାର୍ଯ୍ୟକଳାପ ପୁଲିସ ବିଭାଗ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି। ନିକଟରେ ଜାରକା ପାଣ୍ଡିର ୪ ଜଣ କର୍ମଚାରୀ ମଦ୍ୟପାନ କରିଥିବା ବେଳେ ଏସ୍ପି ରାହୁଲ ପିଆରଙ୍କ ଦ୍ବାରା ଧରାପଡ଼ି ନିଲମ୍ବିତ ହେଇଥିଲେ। ସେହିପରି ବାଲିଚନ୍ଦ୍ରପୁର ଥାନା ପୁଲିସ ଫୋର୍ସ ଉପସ୍ଥିତିରେ ଭରତପୁର ମତାମତ ମଠପୋଲ ନିକଟରେ ଦୁଇ ଦୁଇଟି ଭ୍ୟାନକୁ ଗୋଷ୍ଠୀ ସଂଘର୍ଷରେ ପୋଡ଼ିଦିଆଗଲା। ସେଠାରେ ଉପସ୍ଥିତି ପୁଲିସ ଅଧିକାରୀ ନିରବ ରହିଲେ। ଫଳରେ ଏସଆଇ ମନୋଜ ପଣ୍ଡାଙ୍କୁ ଏସ୍ପି ନିକଟରେ ନିଲମ୍ବିତ କରିଛନ୍ତି। ସେହିପରି ଦଶରଥପୁରର ଝୁମ୍ପୁରି ବିଟ୍ ହାଉସର ଏଏସଆଇ ବିଜୟ କୁମାର ସ୍ବାଇଁ ଜଣେ ମହିଳାଙ୍କୁ ଅସଦ୍ ବ୍ୟବହାର କରିବାରୁ ଗତକାଲି ନିଲମ୍ବନ କରାଯାଇଛି।