ସମ୍ବଲପୁରରେ ୧୯୧ ନଗଡ଼ା! : ଗାଁ’କୁ ବାଟ ନାହିଁ, ପହଞ୍ଚୁନି ବିକାଶ, ବାଧକ ସାଜିଛି ନାଳ, ପାହାଡ଼, ଜଙ୍ଗଲ

ସର୍ଭେର ୫ ବର୍ଷ ପରେ ବି ବଦଳିନି ଚିତ୍ର

ସମ୍ବଲପୁର : ସମ୍ବଲପୁର ଜିଲ୍ଲାରେ ବି ୧୯୧ ଗାଁରେ ନଗଡ଼ା ଅବସ୍ଥା। କେଉଁଠି ନଦୀନାଳ, କେଉଁଠି ପାହାଡ଼ ତ ଆଉ କେଉଁଠି ଜଙ୍ଗଲ ଗାଁକୁ ବାଟ ଓଗାଳିଛି। ଫଳରେ ସେଠାରେ ପହଞ୍ଚି ପାରୁନି ସର୍ବନିମ୍ନ ବିକାଶ। ବିଡ଼ମ୍ବନାର ବିଷୟ ହେଲା, ୨୦୧୪ ମସିହାରେ କରାଯାଇଥିବା ଏକ ସର୍ଭେରୁ ଏହି ଅପହଞ୍ଚ ବିକାଶ କଥା ଜଣାପଡ଼ିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଆଖିଦୃଶିଆ କାମ କରାଯାଇପାରିନାହିଁ। ଏବେ ବି ଚିହ୍ନଟ ହୋଇଥିବା ୧୯୧ ଗାଁର ସ୍ଥିତି ସୁଧୁରି ନାହିଁ।

ପ୍ରଶାସନର ସର୍ଭେ ଅନୁସାରେ ଏହି ୧୯୧ ଗାଁ ମଧ୍ୟରୁ ଜମନକିରା ବ୍ଲକରେ ସର୍ବାଧିକ ୫୭, ବାମରାରେ ୪୪, ନାକ୍ଟିଦେଉଲରେ ୨୭, ରେଢାଖୋଲରେ ୨୬, ଯୁଯୁମୁରାରେ ୧୬, ଧନକଉଡ଼ାରେ ୯, ମାନେଶ୍ୱରରେ ୨ ଏବଂ ରେଙ୍ଗାଲିରେ ଗୋଟିଏ ଗାଁ ରହିଛି। ଏଥିମଧ୍ୟରୁ ୫୭ଟି ଜନବସତିକୁ ସାଇକେଲ ଚଲା ରାସ୍ତା ମଧ୍ୟ ନାହିଁ। ୪୭ ଗାଁ ପାଇଁ ପାହାଡ଼ ମୁଖ୍ୟ ବାଧକ ହେଉଛି।

ଏଥିମଧ୍ୟରେ ସମ୍ବଲପୁର ଜିଲ୍ଲାର ବିଚ୍ଛିନ୍ନାଞ୍ଚଳ କହିଲେ ଯେଉଁ ପ୍ରଥମ ନାଁ ସାମ୍ନାକୁ ଆସେ ତାହେଲା ଧନକଉଡ଼ା ବ୍ଲକ କୁଦଗୁଣ୍ଡେରପୁର ପଞ୍ଚାୟତ। ଏହାର ୬ଟି ଯାକ ଗାଁ କୁଦଗୁଣ୍ଡେରପୁର, କୁଦମହଦା, କୁଦପଟଖାଇ, କୁଦଜାମପାଲି, କୁଦତବଡ଼ା, କୁଦଅମଲିପାଲି ଯିବା ପାଇଁ ଜଳଯାତ୍ରା ଏକମାତ୍ର ମାଧ୍ୟମ। ୩୭୯ ଜନସଂଖ୍ୟା ବିଶିଷ୍ଟ କୁଦତବଡ଼ା ଗାଁ ଚିପିଲିମାରୁ ୧୨ କିଲୋମିଟର ଦୂରରେ ରହିଛି। ବର୍ତ୍ତମାନ ପ୍ରଶାସନ ପକ୍ଷରୁ ଏହି ନଦୀ ଉପରେ ସେତୁ ନିର୍ମାଣ ପାଇଁ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି।

ଜମନକିରା ବ୍ଲକର ବଡ଼ରମା ପଞ୍ଚାୟତର ଲଝରଗାଁର ସ୍ଥିତି ଜଟିଳ। ପାହାଡ଼, ଜଙ୍ଗଲ ଏବଂ ନାଳ ଅତିକ୍ରମ କଲେ ୧୩ କିଲୋମିଟର ଦୂରରେ ଜାତୀୟ ରାଜପଥ ରହିଛି। ୫୦ ଜନସଂଖ୍ୟା ବିଶିଷ୍ଟ ଏହି ଗାଁରେ ପାଣି ପାଇଁ ଗୋଟିଏ ନଳକୂଅ ହିଁ ଭରସା। ବଡ଼ରମା ପଞ୍ଚାୟତର ଘଞ୍ଚ ଜଂଗଲରେ ରହିଥିବା ତିଲେଇମାଲରେ ୧୧ କିଲୋମିଟର, ୨୦୦ ଜନସଂଖ୍ୟା ବିଶିଷ୍ଟ ବଡ଼ମାଲ ଗ୍ରାମପଞ୍ଚାୟତର ନୂଆଡିହିରେ ୮ କିଲୋମିଟର ଦୂରରେ ହିଁ ଏକମାତ୍ର ଗ୍ରାମ୍ୟ ରାସ୍ତା ରହିଛି।

ରେଢ଼ାଖୋଲର ୨୮ଟି ଗାଁରେ ସାଇକେଲଚଲା ରାସ୍ତା ଟିଏ ନାହିଁ। ଏହି ବ୍ଲକର ଲୁହାପଙ୍କ ପଞ୍ଚାୟତର ମିର୍ଧା ପଡ଼ା, ତ୍ରିବଣପୁରର କଞ୍ଚନପାଲ, ଗରଗଧାଲର ସେନଘାଟିରେ ୯ କିଲୋମିଟର ପର୍ଯ୍ୟନ୍ତ ଚାଲିକି ଯିବାକୁ ହୁଏ। କୁଚିଣ୍ଡା ବ୍ଲକର ୭ରୁ ୬ ଗାଁ ଇନ୍ଦୁପଡ଼ା, ଗୟାମାଲ ସର୍ଗିପଡ଼ା, ଜେନକା, ଦୋଭାୟା, ଅମିଲଚାଉନ, ପୁକୁଡ଼ାଜଙ୍ଗଲ ପାଦଚଲା ରାସ୍ତା ଉପରେ ନିର୍ଭରଶୀଳ। ଦେଢରୁ ୨ କିଲୋମିଟର ମଧ୍ୟରେ ଏହାର ଯୋଗାଯୋଗ ରହିଛି। ଯୁଯୁମୁରା ବ୍ଲକର ୬ ଗାଁରେ ସାଇକେଲ ଚଲା ରାସ୍ତାଟିଏ ମଧ୍ୟ ନାହିଁ। କୟାକୁଦର ଅନ୍ଧେରି ଗାଁ ନାଳା ଯୋଗୁଁ ବିଚ୍ଛିନ୍ନ ହୋଇ ରହିଛି। ୪୦ ଜନସଂଖ୍ୟା ବିଶିଷ୍ଟ ଏହି ଗାଁଠାରୁ ୭ କିଲୋମିଟର ପର୍ଯ୍ୟନ୍ତ କୌଣସି ଯୋଗାଯୋଗ ବ୍ୟବସ୍ଥା ନାହିଁ। ପାଦଚଲା ରାସ୍ତାହିଁ ଏହି ଅଞ୍ଚଳର ଭରସା।

ନାକ୍ଟିଦେଉଲର ୭ ଗାଁ ପାଇଁ ମଧ୍ୟ ସାଇକେଲ ଗଡ଼ାଇବା ରାସ୍ତାଟିଏ ନାହିଁ। କିସିଣ୍ଡାର ସୁଖକାନିରେ ୧୦ କିଲୋମିଟର ପରେ ନିର୍ଦିଷ୍ଟ ଯୋଗାଯୋଗ ବ୍ୟବସ୍ଥା ରହିଛି। ୧୮୦ ଜନସଂଖ୍ୟା ବିଶିଷ୍ଟ ଡଇଁଚାର ଗୋପାଲପୁର, ୯୭ ଜନସଂଖ୍ୟା ବିଶିଷ୍ଟ ଟିକିଲିପଡ଼ାରେ ୮ କିଲୋମିଟର ପରେ ଏହି ସୁବିଧା ରହିଛି। ବାମରା ବ୍ଲକର ୧୩୪୫ ଜନସଂଖ୍ୟା ବିଶିଷ୍ଟ ରଗବା ଗାଁ ତଥା ଅନ୍ୟାନ୍ୟ ଗାଁର ଜନସଂଖ୍ୟା ହାରାହାରି ୫୦୦ରୁ୩୦୦। ମାନେଶ୍ୱରର ଲରାସରା ଏବଂ ମହୁଲପାଲି, ଶିଳ୍ପାଞ୍ଚଳ ରେଙ୍ଗାଲି ବ୍ଲକ ସାଲଡ଼ ପଞ୍ଚାୟତର ଭଦ୍ରସ ପଡ଼ା ସମ୍ବଲପୁର ସହର ନିକଟବର୍ତ୍ତୀ ଥାଇ ମଧ୍ୟ ବିଚ୍ଛିନ୍ନ ହୋଇ ପଡ଼ିଛନ୍ତି।

ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି ଯେ, ଅପହଞ୍ଚ ଇଲାକାରେ ବିକାଶ କାର୍ଯ୍ୟ ନେଇ ବିଭାଗ ପରିବର୍ତ୍ତନ ହୋଇଛି। ପୂର୍ବରୁ ଏହା ଗ୍ରାମ୍ୟ ଉନ୍ନୟନ ବିଭାଗ ଅନ୍ତର୍ଭୁକ୍ତ ଥିଲା। ନୂଆ ନିର୍ଦେଶ ଜାରି ହେଲେ ସେହି ଅନୁଯାୟୀ କାର୍ଯ୍ୟ ହେବ।

ସମ୍ବନ୍ଧିତ ଖବର