ଅବସରପ୍ରାପ୍ତ କର୍ମଚାରୀଙ୍କ ଠାରୁ ନାଇଜେରିଆର ଯୁବକ ଠକିଥିଲା ୩୦ ଲକ୍ଷ, ଗିରଫ କଲା ବାଲେଶ୍ବର ସାଇବର ପୁଲିସ

ବାଲେଶ୍ବର: ଅନଲାଇନରେ ବିଦେଶୀ ମହିଳାଙ୍କ ନାଁରେ ଫେସବୁକ, ହ୍ବାଟସଆପ ଆକାଉଣ୍ଟ ଖୋଲି ଚାଟିଂ କରିବା ୩୦ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ବାଲେଶ୍ବର ସାଇବର ପୁଲିସ ଦିଲ୍ଲୀରୁ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ବ୍ୟକ୍ତି ହେଲେ ସାମସନ ଏମିକେ ଆଲିଗା। ନାଇଜେରିଆର ଏହି ଯୁବକ ଦିଲ୍ଲୀର କିଶନଗଡରେ ରହି ଅନଲାଇନରେ ବିଦେଶୀ ମହିଳାଙ୍କ ନାଁରେ ଜାଲ ଫେସବୁକ ଓ ହ୍ବାଟସଆପ ଆକାଉଣ୍ଟ ଖୋଲି ଚାଟିଂ କରି ନାନା ପ୍ରଲୋଭନ ଦେଖାଇ ଅର୍ଥ ଲୁଟୁଥିଲା। ଏପରିକି ମହିଳାଙ୍କ ଫଟୋ ସହ ଆପତ୍ତିଜନକ ଫଟୋ ଦେଖାଇ ବନ୍ଧୁତା ସ୍ଥାପନ କରି ନାନା ଆଳରେ ଅର୍ଥ ଲୁଟୁଥିଲା।

ବାଲେଶ୍ବର ବାଲିଆ ଅଞ୍ଚଳର ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଏହି ଜାଲରେ ଫସି ୩୦ ଲକ୍ଷ ଟଙ୍କା ଠକେଇର ଶିକାର ହୋଇଥିଲେ। ପରେ ସେ ବାଲେଶ୍ବର ସାଇବର ଥାନାର ଦ୍ବାରସ୍ଥ ହୋଇଥିଲେ। ସାଇବର ଥାନାଧିକାରୀଣୀ ମୀନା ବିନ୍ଧାଣୀ ଟଙ୍କା ଜମା ହୋଇଥିବା ଆକାଉଣ୍ଟକୁ ଫ୍ରିଜ କରି ଆସିଥିବା ଫୋନ ନମ୍ବର ଓ ଫେସବୁକ ନଂବର ଖୋଳତାଡ଼ କରିବା ପରେ ଗୋଟିଏ ନମ୍ବରକୁ ଟ୍ରାକ କରି କିଛି ତଥ୍ୟ ହାତେଇ ଥିଲେ। ପରେ ଏହି ଠକେଇର ଜଣେ ପ୍ରମୁଖ ଅଭିଯୁକ୍ତ ସାମସନକୁ ଦିଲ୍ଲୀରୁ ଗିରଫ କରି ୩ ଦିନିଆ ଟ୍ରାନଜିଟ ରିମାଣ୍ଡରେ ବାଲେଶ୍ବର ଅଣାଯାଇଛି। ଆଜି ବାଲେଶ୍ବର ଏସଡିଜେଏମଙ୍କ କୋର୍ଟରେ ସାମସନ ଏମିକେ ଆଲିଗାକୁ ହାଜର କରାଯିବ ବୋଲି ସାଇବର ଥାନା ଅଧିକାରୀଣୀଙ୍କ ଠାରୁ ସୂଚନା ମିଳିଛି। ଗିରଫ ସାମସନଠାରୁ ଏକ ମୋବାଇଲ, ସେ ବ୍ୟବହାର କରୁଥିବା ଲାପଟପ ସହ କିଛି ନକଲି ସିମ ଜବତ ହୋଇଛି। ୨୦୧୮ମସିହାରୁ ସାମସନର ପାସପୋର୍ଟର ଅବଧି ସରିଛି ଓ ମିଳିଥିବା ଅନ୍ୟ ଏକ ପାସପୋର୍ଟ ନକଲି ବୋଲି ସନ୍ଦେହ କରାଯାଉଛି। ଏହି ଠକେଇରେ ଏକାଧିକ ବ୍ୟକ୍ତିଙ୍କର ସଂପୃକ୍ତି ଥିବାର ସାଇବର ପୁଲିସ ଛାନଭିନ ଆରମ୍ଭ କରିଛି। ସୂଚନାଥାଉକି ୩୦ଲକ୍ଷ ଠକେଇ ମଧ୍ୟରୁ ପୁଲିସ ଫ୍ରିଜ କରିଥିବା ଆକାଉଣ୍ଟରେ ୬ ଲକ୍ଷ ଜମା ରହିଛି। ତେବେ ବାଲେଶ୍ବରରେ ଏପରି ଏକାଧିକ ଆକାଉଣ୍ଟଧାରୀ ଶିକାର ହୋଇଥିବାର ସନ୍ଦେହ କରାଯାଉଛି।

ସମ୍ବନ୍ଧିତ ଖବର