ଜଙ୍ଗଲ ସୁରକ୍ଷା ସଚେତନତା ବାର୍ତ୍ତା ବାଣ୍ଟିଲେ ବନପାଳ; ନାଏକେ ବାବାଙ୍କୁ କଲେ ସମ୍ବର୍ଦ୍ଧିତ

ବିଶୋଇ: ଆଦିବାସୀ ବାହାବଙ୍ଗା ପର୍ବ ଅବସରରେ ପ୍ରତ୍ୟେକ ଗ୍ରାମର ଜାହେରା ଶାଳ(ପୂଜା ସ୍ଥଳୀ)କୁ ଯାଅ ନାଏକେ ବାବାମାନଙ୍କୁ ସମ୍ବର୍ଦ୍ଧିତ କରି ଅବିନବ ଉପାୟରେ ଜଙ୍ଗଲ ସୁରକ୍ଷା ସଚେତନତା ଆରମ୍ଭ କରାଉଛନ୍ତି ବିଶୋଇ ବନ୍ୟପ୍ରାଣ ବନାଞ୍ଚଳ ଅନ୍ତର୍ଗତ ସରଗଡା ବନପାଳ ଜୀବନ ବଲ୍ଲଭ ପାତ୍ର। ନିଜ ବନାଞ୍ଚଳର ୧୬ ଗୋଟି ଗ୍ରାମର ପ୍ରାୟ ୫୦ରୁ ଊର୍ଦ୍ଧ୍ବ ଜାହେରା ଶାଳ(ପୂଜା ସ୍ଥଳୀକୁ)କୁ ଯାଇ ଗ୍ରାମ ନାଏକେ ବାବାଙ୍କୁ ହାତ ଯୋଡି କରି ଜଙ୍ଗଲ ସୁରକ୍ଷା ପାଇଁ ଗୁହାରି କରିବା ସହିତ ଉତ୍ତରାୟ ଓ ପାରମ୍ପରିକ ବସ୍ତ୍ର ପ୍ରଦାନ ପୂର୍ବକ ଆର୍ଥିକ ସହାୟତା ପ୍ରଦାନ କରି ଏହି ସଚେତନତା ଅଭିଯାନ ଆରମ୍ଭ କରିଛନ୍ତି ବନପାଳ।

ରାଇରଙ୍ଗପୁୁର ବନଖଣ୍ଡ ଅଧିକାରୀ ନଳିନୀକାନ୍ତ ବେହେରାଙ୍କ ନିର୍ଦ୍ଦେଶକ୍ରମେ ତଥା ବିଶୋଇ ବନ୍ୟପ୍ରାଣୀ ବନାଞ୍ଚଳ ଅଧିକାରୀ ପ୍ରମୋଦ କୁମାର ସେଠୀଙ୍କ ନେତୃତ୍ୱରେ ଆଜି ବନପାଳ ଶ୍ରୀ ପାତ୍ର ସରଗଡା ସେକ୍ସନର ସାରଣ୍ଡା ଓ ଦଳେଇଡ଼ିହି ଗ୍ରାମରେ ବାହାବଙ୍ଗା ପର୍ବ ଅବସରରେ ଜାହେରାଶାଳକୁ ପହଞ୍ଚି ନାଏକେ ବାବା(ପୂଜକ)ଙ୍କୁ ପାରମ୍ପାରିକ ବସ୍ତ୍ର ଓ ଆର୍ଥିକ ରାଶି ଦେଇ ସମ୍ବର୍ଦ୍ଧିତ କରିଛନ୍ତି। ଗ୍ରାମରେ ଶାନ୍ତି ବଜାୟ ରଖିବା ସହିତ ବାହ୍ୟ ବିପଦରୁ ରକ୍ଷା ପାଇଁ ନାଏକେ ବାବାମାନେ ନିକ ଗ୍ରାମର ପ୍ରତ୍ୟେକ ଜାହିରା ଶାଳ ଠାରେ ପୂଜାର୍ଚ୍ଚନା କରୁଥିବାର ପରମ୍ପରା ରହିଛି।

ତେବେ ନିଜ ଗ୍ରାମର ସୁରକ୍ଷା ସହିତ ନିଜର ଜଙ୍ଗଲର ରକ୍ଷଣାବେକ୍ଷଣ କରିବାର ଏକମାତ୍ର ମାଧ୍ୟମ ହୋଉଛନ୍ତି ଏହି ନାଏକେ ବାବା। ଏହିପରି ଭାବରେ  ନାଏକେ ବାବା ପ୍ରତି ଉଦାସୀନତା ଓ ଭଲପାଇବା ଯୋଗୁ ଜଙ୍ଗଲ ଓ ଗ୍ରାମବାସୀ ମଧ୍ୟରେ ଉତ୍ତମ ସମ୍ପର୍କ ସ୍ଥାପନ ହୋଇ ଆଗାମୀ ଦିନରେ ଜଙ୍ଗଲ ସୁରକ୍ଷା କରିବା ଦିଗରେ ଗ୍ରାମବାସୀ ମାନେ ବିଶେଷ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ ବୋଲି ବନପାଳ କହିଛନ୍ତି। କେବଳ ସେତିକି ନୁହଁ ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ପାଇଁ ବନପାଳ ଜୀବନବଲ୍ଲଭ ଜଙ୍ଗଲ ସନ୍ନିକଟ ଜନସାଧାରଣଙ୍କ ନିକଟରେ ପହଁଞ୍ଚି ଆଦିବାସୀ ନାଚଗୀତ ଜରିଆରେ ପୁର୍ବରୁ ସଚେତନତା କରାଇଥିବାର ଦେଖିବାକୁ ମିଳିଛି। ତତସହିତ ବନପାଳ ଗ୍ରାମ ଲୋକଙ୍କ ସୁଖ ଦୁଃଖର ସାଥି ହୋଇ ଜଙ୍ଗଲକୁ ସୁରକ୍ଷା ପ୍ରଦାନ ପାଇଁ ବିନତି କରୁଛନ୍ତି। ବନପାଳଙ୍କ ଏହି ଅଭିନବ ଉପାୟର ସଚେତନତା କାର୍ଯ୍ୟକ୍ରମକୁ ପଡୋଶୀ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ରାଜ୍ୟରେ ବନବିଭାଗ ପ୍ରେରଣା ଯୋଗାଉଛି ବୋଲି ସୂଚନା ସେଠାକାର ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି। ସମାଜ ସେବା କାର୍ଯ୍ୟ ସହିତ ନିଆରା ଢଙ୍ଗରେ ବନପାଳଙ୍କ ଏହିପରି ଜଙ୍ଗଲ ସୁରକ୍ଷା ସଚେତନତା କାର୍ଯ୍ୟଶୈଳୀ ଯୋଗୁ ବନପାଳ ଶ୍ରୀଯୁକ୍ତ ପାତ୍ର ରାଜ୍ୟରେ ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛନ୍ତି।

ସମ୍ବନ୍ଧିତ ଖବର