ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରେ ୬ମାସ ହେଲା ବର୍ଷା‌ ନାହିଁ। ଯାହାର ପ୍ରଭାବ ଛୋଟବଡ଼ ନଈ ଓ ନାଳ ଉପରେ ପଡ଼ିଛି। ନଦୀରେ ଝର ନଥିବାରୁ ଚୁଆ ଖୋଳି ଲୋକ ପାଣି ସଂଗ୍ରହ କରୁଛନ୍ତି। ଏମିତି ସ୍ଥିତିରେ ରବି ଫସଲ ଉଜୁଡ଼ିବା ନେଇ ଚିନ୍ତାରେ ରହିଛନ୍ତି ଚାଷୀ। ନବରଙ୍ଗପୁର ଜିଲ୍ଲାର ଅର୍ଥନୀତି କୃଷି ଉପରେ ନିର୍ଭର କରୁଛି। ରବି ଋତୁରେ ଚାଷୀମାନେ ମକା ଚାଷ କରନ୍ତି। ଜିଲ୍ଲାରେ ୧୦ହଜାର ହେକ୍ଟର ଜମିରେ ମକା ଚାଷ ହେଉଛି। ଯଦି ଜଙ୍ଗଲ ଜମିରେ ହେଉଥିବା ଚାଷକୁ ମିଶାଇ ଦିଆଯିବ ତେବେ ପ୍ରାୟ ୨୦ହଜାର ହେକ୍ଟର ଜମିରେ ମକା ଚାଷ କରାଯାଉଛି। ଡିସେମ୍ବର ଓ ଜାନୁଆରି ମାସରେ ମକା ବିହନ ବୁଣିଲେ ମାର୍ଚ୍ଚ ଓ ଏପ୍ରିଲ୍ ମାସ ବେଳକୁ ଗଛରେ ଫୁଲ ଆସିଥାଏ। ମେ’ ମାସରେ ମକା ଉତ୍ପାଦନ ହୋଇଥାଏ। ମକା ଚାଷ ପାଇଁ ନିୟମିତ ବ୍ୟବଧାନରେ ବର୍ଷା କିମ୍ବା ପାଣି ମଡ଼ାଇବାକୁ ପଡ଼ିଥାଏ। ବିଶେଷ କରି ଗଛରେ ଫୁଲ ଧରିବା ସମୟରେ ପର୍ଯ୍ୟାପ୍ତ ପାଣିର ଆବଶ୍ୟକ ହୁଏ। ବିଡ଼ମ୍ବନା ହେଲା ଗତ ଅକ୍ଟୋବର ମାସରୁ ଜିଲ୍ଲାରେ ଆଦୌ ବର୍ଷା ନାହିଁ। ଅକ୍ଟୋବରରେ ମାତ୍ର ୩୩ମିମି ବର୍ଷା ହୋଇଥିବା ବେ‌ଳେ ନଭେମ୍ବରରେ ଆଦୌ ବର୍ଷା ହୋଇନଥିଲା। ଡିସେମ୍ବରରେ ୫୪ମିମି ବର୍ଷା ହୋଇଥିବା ବେଳେ ଜାନୁଆରିରୁ ମାର୍ଚ୍ଚ ମଧ୍ୟରେ ଆଦୌ ବର୍ଷା ହୋଇନାହିଁ। ତେଣୁ ଫେବ୍ରୁଆରି ମାସରୁ ସମସ୍ତ ନଈନାଳ ଶୁଖିଲା ପଡ଼ିଛି। 

Advertisment

ବର୍ଷା ଅଭାବ ଯୋଗୁଁ ଭୂତଳ ଜଳସ୍ତର କମିଯାଇଛି। ତେଣୁ ଗଭୀର ନଳକୂପରୁ ବି ଆବଶ୍ୟକ ପାଣି ବାହାରୁ ନାହିଁ। ମକା ଫସଲ ଶୁଖି ହଳଦିଆ ପଡ଼ିଲାଣି। ଫଳରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ଚାଷୀ ଫସଲ ଉଜୁଡ଼ିବା ଅାଶଙ୍କାରେ ଚିନ୍ତାରେ ପଡ଼ିଛନ୍ତି। ଜିଲ୍ଲାର ମୁଖ୍ୟ ନଦୀ ଚନ୍ଦାହାଣ୍ଡିର ତେଲ, ଭଣ୍ଡାର, ଝରିଗାଁର ସତୀ, ଫୁଫୁଗାଁ, ଉମରକୋଟର ଭାଷ୍କେଲ, ଡାବୁଗାଁର ଅଙ୍ଗି, ଭାଷ୍କେଲ, ପାପଡ଼ାହାଣ୍ଡିର ଟୁରୀ, ନବରଙ୍ଗପୁର ଦେଇ ଇନ୍ଦ୍ରାବତୀ ଓ ଗୁନଥାଟ୍ ନଦୀ ସମେତ ଜିଲ୍ଲାର ସମସ୍ତ ବ୍ଲକରେ ପ୍ରାୟ ଶହେରୁ ଅଧିକ ନାଳ ପ୍ରବାହିତ ହୋଇଛି। ଏବେ ସମସ୍ତ ନଦୀନାଳ ଶୁଷ୍କ ଅବସ୍ଥାରେ ରହିଛି। ନଈନାଳର ଉପରମୁଣ୍ଡରେ ଚେକ୍‌ଡ୍ୟାମ କିମ୍ବା ବ୍ୟାରେଜ୍ ନଥିବାରୁ ଖରା ଦିନେ ପାଣି ସଞ୍ଚିତ ହୋଇ ରହୁନି। ନଦୀ ଶଯ୍ୟାରେ ଚାଷୀ ପାଣି ଟିକେ ପାଇବା ପାଇଁ ଜେସିବି ଲଗାଇ ଖାତ ‌ଖୋଳୁଥିବା ବେଳେ ସେହି ପାଣି ବି ନିଅଣ୍ଟ ପଡ଼ୁଛି। ବଡ଼ ପୋଖରୀ ଓ ଜଳଉତ୍ସ ବି ଶୁଖିଲାଣି। ଯଦି କାଳବୈଶାଖୀ ବର୍ଷା ନହୁଏ ତେବେ ମକା ଚାଷ ସଂପୂର୍ଣ୍ଣ ନଷ୍ଟ ହୋଇଯିବ। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାରେ ପ୍ରସ୍ତାବିତ ସମସ୍ତ ଜଳସେଚନ ପ୍ରକଳ୍ପକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ଚାଷୀ ଦାବି କରିଛନ୍ତି।