ବାଲୁଗାଁ : ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ୍ ଅନ୍ତର୍ଗତ ନଈରୀ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ଥିତି ଦୟନୀୟ ହୋଇଛି। ଫଳରେ ଏହି ସ୍ବାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରୁଥିବା ୮ଟି ପଞ୍ଚାୟତବାସୀ ଉପଯୁକ୍ତ ସେବା ପାଇ ପାରୁ ନାହାନ୍ତି। ସ୍ବାସ୍ଥ୍ୟକେନ୍ଦ୍ରରେ ଥିବା ଭିତ୍ତିଭୂମି ସମସ୍ୟାଗୁଡ଼ିକର ସମାଧାନ ଦିଗରେ ଆଗାମୀ ୧୫ଦିନ ମଧ୍ୟରେ ପଦକ୍ଷେପ ନିଆ ନଗଲେ ସ୍ବାସ୍ଥ୍ୟକେନ୍ଦ୍ରରେ ତାଲା ପକାଇ ଆନ୍ଦୋଳନ କରିବାକୁ ସ୍ଥାନୀୟ ଲୋକେ ଚେତାବନୀ ଦେଇଛନ୍ତି।

Advertisment

୧୯୯୬ ମସିହାରେ ସ୍ଥାପିତ ହୋଇଥିବା ନଈରୀ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ପ୍ରତି ଜିଲ୍ଲା ପ୍ରଶାସନ ବାରମ୍ବାର ଅବହେଳା କରି ଆସୁଥିବା ଅଭିଯୋଗ ହେଉଛି। ଅଧିକାଂଶ ସମୟରେ ଏଠାରେ ଡାକ୍ତର, ନର୍ସ ରହୁ ନଥିବା ଏବଂ ଆମ୍ବୁଲାନ୍ସ ସେବା ଉପଲବ୍‌ଦ ହେଉ ନଥିବା ଅଭିଯୋଗ ହେଉଛି। ଏପରିକି, ପ୍ରତିଦିନ ୪୦ ରୁ ୫୦ଜଣ ରୋଗୀ ସ୍ବାସ୍ଥ୍ୟ ସେବା ନ ପାଇ ବାଧ୍ୟ ହୋଇ ବାଲୁଗାଁ, ଖୋର୍ଦ୍ଧା କିମ୍ବା ଭୁବନେଶ୍ବର ସ୍ବାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରିବାକୁ ପଡୁଛି। ଗରିବ ଶ୍ରେଣୀର ବ୍ୟକ୍ତିମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଧାର ଉଧାର କରି ବେସରକାରୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ହେବା ପାଇଁ ବାଧ୍ୟ ହେଉଛନ୍ତି। ପ୍ରତି ଦିନ ରୋଗୀମାନେ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇ ଡାକ୍ତରଙ୍କୁ ଅପେକ୍ଷା କରି ବାଧ୍ୟ ହୋଇ ଘରକୁ ଫେରୁଥିବା ଦେଖାଦେଇଛି। ଏ ସଂପର୍କରେ ସ୍ବାସ୍ଥ୍ୟକେନ୍ଦ୍ରର ଚିକିତ୍ସା ଅଧିକାରୀ ରୂପେଶ କୁମାର ବଳବନ୍ତରାୟଙ୍କ ସହ ଯୋଗାଯୋଗ କରିବାରେ ଏହା ସରକାର କିମ୍ବା ସିଡିଏମ୍‌ଙ୍କ କାର୍ଯ୍ୟ ବୋଲି ଜଣାଇଥିଲେ।

୧୯୯୬ରେ କଂଗ୍ରେସ ଦଳ ଶାସନରେ ଥିବାବେଳେ ସେ ସମୟର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ରାଉତ ଓ ଚିଲିକା ବିଧାୟକ ତଥା ମୁଖ୍ୟ ସଚେତକ ଡ. ଦେବେନ୍ଦ୍ରନାଥ ମାନସିଂହ ଏହି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଉଦ୍‌ଘାଟନ କରିଥିଲେ। ବାରମ୍ବାର ଡାକ୍ତରମାନଙ୍କ ଅନୁପସ୍ଥିତ ଏପରିକି ମାଗଣା ଔଷଧ ବଣ୍ଟନ ନ ହେବା ଦ୍ବାରା ସ୍ଥାନୀୟ ବାସିନ୍ଦା ଦୁର୍ଦ୍ଦଶା ଭୋଗୁଛନ୍ତି।