ପୁରୀ: ମହାପ୍ରଭୁ ରଥାରୂଢ଼ ହୋଇ ନବଦିନ ବ୍ୟାପୀ ଜନ୍ମବେଦିକୁ ଆସିବା ବେଳେ ଗୁଣ୍ଡିଚାମନ୍ଦିରର ସିଂହଦ୍ବାର ବାଟେ ପହଣ୍ଡି ହୋଇ ଆଡ଼ପମଣ୍ଡପକୁ ବିଜେ କରନ୍ତି। ମାତ୍ର ବାହୁଡ଼ିବା ବେଳେ ରଥ ଦକ୍ଷିଣ ମୋଡ଼ ହୋଇ ନାକଚଣା ଦ୍ବାର ନିକଟକୁ ଯାଏ ଏବଂ ନାକଚଣା ଦ୍ବାର ଦେଇ ବାହୁଡ଼ାଯାତ୍ରାରେ ଚତୁର୍ଦ୍ଧାବିଗ୍ରହ ପହଣ୍ଡି ହୋଇ ରଥାରୂଢ଼ ହୁଅନ୍ତି। ଦକ୍ଷିଣ ମୋଡ଼ ପରେ ତିନି ରଥ ନାକଚଣା ଦ୍ବାର ସମ୍ମୁଖରେ ରୁହେ। ଗୁଣ୍ଡିଚାମନ୍ଦିରର ମୋଟ୍ ୩ଟି ଦ୍ବାର ରହିଥିବା ବେଳେ ଅନ୍ୟ ଏକ ଦ୍ବାରର ନାମ ‘ନାକଚଣା’ ହେବା ପଛରେ ରହିଛି ଭିନ୍ନ ଭିନ୍ନ ଜନଶ୍ରୁତି। ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ରାଣୀ ଗୁଣ୍ଡିଚାଦେବୀଙ୍କର ସ୍ବର୍ଣ୍ଣ, ହୀରା ଖଚିତ ମୂଲ୍ୟବାନ ରତ୍ନ ଅଳଙ୍କାରରେ ନିର୍ମିତ ନାକଚଣା ବିକ୍ରି ଲବ୍ଧ ଅର୍ଥରେ ଏହି ଦ୍ବାରଟି ନିର୍ମିତ ହୋଇଥିବାରୁ ତା’ର ନାମ ନାକଚଣା ହୋଇଥିବା କୁହାଯାଏ।
ଗବେଷକଙ୍କ ମତରେ ରାଜା କପିଳେଶ୍ବର ଦେବଙ୍କ ପର୍ଯ୍ୟନ୍ତ ପ୍ରାୟ ୧୩୮୨ ଖ୍ରୀଷ୍ଟାବ୍ଦ ପୂର୍ବ ସମୟ ପର୍ଯ୍ୟନ୍ତ ଗୁଣ୍ଡିଚା ଘରର ଗୋଟିଏ ମାତ୍ର ଦ୍ବାର ଥିଲା। ରାଜା କପିଳେଶ୍ବର ଦେବଙ୍କ ରାଣୀ ନାକଚଣା ବିନିମୟରେ ଏହି ଦ୍ବାରଟି ଗଢ଼ାଇଥିଲେ ବୋଲି ଗବେଷକମାନେ କୁହନ୍ତି। ସେହିଭଳି ହେରାପଞ୍ଚମୀ ଦିନ ମହାଲକ୍ଷ୍ମୀ ତାଙ୍କୁ ରଥଯାତ୍ରାରେ ନଆଣିବା ଅଭିମାନରେ ସିଂହଦ୍ବାର ତଥା ପଶ୍ଚିମ ଦ୍ବାର ବାଟେ ପ୍ରବେଶ କରି ଦକ୍ଷିଣ ଦ୍ବାରରେ ବାହାରିବା ସମୟରେ ତାଙ୍କର ଚଣାକୃତି ନାକର ଅଳଙ୍କାର ସେଇ ଦ୍ବାର ନିକଟରେ ଖସି ପଡ଼ିଥିଲା। ସେଥିପାଇଁ ଲକ୍ଷ୍ମୀଙ୍କ ଆଗମନର ସ୍ମୃତି ଅର୍ଥେ ଦକ୍ଷିଣ ଦ୍ବାରର ନାମ ନାକଚଣା ଦ୍ବାର ରହିଛି ବୋଲି କୁହାଯାଏ। ନୃସିଂହ ମନ୍ଦିର ନିକଟରେ ଗୁଣ୍ଡିଚା ମନ୍ଦିରର ଉତ୍ତର ଦ୍ବାର ଅନ୍ୟ ଦୁଇ ଦ୍ବାର ଅପେକ୍ଷା ଛୋଟ।
ଗବେଷକ ତଥା ଲେଖକ ଭାସ୍କର ମିଶ୍ରଙ୍କ ତଥ୍ୟ ମୁତାବକ, ହାଲ ବନ୍ଦୋବସ୍ତ ରେକର୍ଡ ଅନୁଯାୟୀ ମୋଟ୍ ୧୭ଟି ପ୍ଲଟରେ ସମୁଦାୟ ୫ ଏକର ୪୦୨ ଡେସିମାଲ୍ ପରିମିତ ଜମିରେ ଗୁଣ୍ଡିଚା ମନ୍ଦିର ରହିଛି। ମୁଖ୍ୟ ମନ୍ଦିରଟି ୫୫ ଫୁଟରେ ୪୬ ଫୁଟ ପରିମିତ ସ୍ଥାନ ଉପରେ ରହିଛି। ମନ୍ଦିରର ଗର୍ଭଗୃହ ୩୬ ଫୁଟ ୮ଇଞ୍ଚରେ ୨୭ ଫୁଟ ପରିମିତ ଭୂମି ଉପରେ ରହିଛି। ପୀଢ଼ ଶୈଳୀରେ ନିର୍ମିତ ଏହି ମନ୍ଦିରର ଚାରିଟି ଭାଗ ରହିଛି। ବିମାନ, ଜଗମୋହନ, ନାଟମଣ୍ଡପ ଓ ଭୋଗ ମଣ୍ଡପ ରହିଛି। ଶ୍ରୀବିଗ୍ରହମାନେ ବାହୁଡ଼ାଯାତ୍ରା ଦିନ ପହଣ୍ଡି ବିଜେ ହୋଇ ରତ୍ନବେଦିରୁ ଜଗମୋହନ, ନାଟମଣ୍ଡପ ଦେଇ ଗରୁଡ଼ସ୍ତମ୍ଭ ସିଧାରେ ରହିଥିବା ଦ୍ବାର ପଟେ ଭିତର ବେଢ଼ା ଓ ନାକଚଣା ଦ୍ବାର ବାଟେ ଆସି ରଥରେ ଅଧିଷ୍ଠିତ ହୁଅନ୍ତି।