ନକୁଳ ଚନ୍ଦ୍ର ସ୍ବତନ୍ତ୍ର ଦୃଷ୍ଟିହୀନ ବିଦ୍ୟାଳୟ କେଳେଙ୍କାରୀ: କାର୍ଯ୍ୟାନୁଷ୍ଠାନ ପାଇଁ ସରକାରଙ୍କ ନିର୍ଦ୍ଦେଶ

ସଂସ୍ଥାକୁ ବିଦା କର, ନୂଆ ଏନ୍‌ଜିଓକୁ ଦାୟିତ୍ବ ଦିଅ

ବଅଁରପାଳ : ଅନୁଗୁଳ ଜିଲ୍ଲା ପ୍ରଶାସନର ଚିଠି ପରେ ବଅଁରପାଳ ବ୍ଲକ ବଳରାମପ୍ରସାଦ ସ୍ଥିତ ନକୁଳ ଚନ୍ଦ୍ର ସ୍ବତନ୍ତ୍ର ଦୃଷ୍ଟିହୀନ ବିଦ୍ୟାଳୟ ବିରୋଧରେ କଡ଼ା ପଦକ୍ଷେପ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର। ରାଜ୍ୟ ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତକରଣ ନିର୍ଦ୍ଦେଶକ ବ୍ରତତୀ ହରିଚନ୍ଦନ ସ୍କୁଲ ପରିଚାଳନା କମିଟିକୁ ତୁରନ୍ତ ପରିବର୍ତ୍ତନ କରିବା ସହିତ ବିଭିନ୍ନ କେଳେଙ୍କାରୀ ପାଇଁ କମିଟି ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ସରକାରଙ୍କ ଚିଠି ପରେ ଜିଲ୍ଲା ପ୍ରଶାସନ ବିଦ୍ୟାଳୟର ବ୍ୟାଙ୍କ୍ ଏକାଉଣ୍ଟ ଅଚଳ କରିବାକୁ ଚିଠି ଲେଖିବା ସହିତ ବିଦ୍ୟାଳୟ ପରିଚାଳନା ବାବଦରେ ସରକାର ଦେଇଥିବା ଅନୁଦାନର ହିସାବ ତୁରନ୍ତ ଦେବାକୁ ସମ୍ପାଦିକାଙ୍କୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। କେବଳ ପରିଚାଳନା କମିଟି ଉପରେ ନୁହେଁ, ସ୍କୁଲର ଶିକ୍ଷକମାନଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ପାଇଁ ବିଭାଗ ଅଣ୍ଟା ଭିଡ଼ିଥିବା ଜଣାପଡ଼ିଛି।

ଉଲ୍ଲେଖଯୋଗ୍ୟ, ନକୁଳ ଚନ୍ଦ୍ର ସ୍ବତନ୍ତ୍ର ଦୃଷ୍ଟିହୀନ ବିଦ୍ୟାଳୟର ଯାବତୀୟ କେଳେଙ୍କାରୀ ନେଇ ସ୍କୁଲର ଶିକ୍ଷକମାନେ ପଦାକୁ ଆସିଥିଲେ। ବିଶେଷ କରି ଭିନ୍ନକ୍ଷମ ପିଲାଙ୍କୁ ଶ୍ରମିକ ଭଳି ସ୍କୁଲରେ ଖଟାଇବା, ଗୋ-ପାଳନରେ ବ୍ୟବହାର କରିବା, ସରକାରୀ ଖାଦ୍ୟ ତାଲିକା ଅନୁସାରେ ପିଲାଙ୍କୁ ଖାଦ୍ୟ ନ ଯୋଗାଇବା, ପିଲାଙ୍କ ପୋଷାକ ଟଙ୍କା‌ ହଡ଼ପ, ପିଲାଙ୍କ ବାପା ମାଙ୍କ ଏକାଉଣ୍ଟକୁ ଦିଆଯିବାକୁ ଥିବା ଟଙ୍କାକୁ ବାଟମାରଣା କରିବା ଭଳି ବିଦ୍ୟାଳୟର ଲମ୍ବା ଦୁର୍ନୀତି ବଖାଣିଥିଲେ ଶିକ୍ଷକଗଣ। ଏହାର ପ୍ରତିବାଦରେ ଶିକ୍ଷକମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଧାରଣା ଦେଇଥିଲେ। ଜିଲ୍ଲା ପ୍ରଶାସନ ଉଭୟ ସ୍କୁଲ ପରିଚାଳନା କମିଟି ଏବଂ ଶିକ୍ଷକମାନଙ୍କୁ ଡାକି ଘଟଣା ସମ୍ପର୍କରେ ଆଲୋଚନା କରିବା ପରେ ସ୍କୁଲକୁ ଦିଆଯାଉଥିବା ସରକାରୀ ଅନୁଦାନ ବନ୍ଦ କରିବାକୁ ଜିଲ୍ଲା ପ୍ରଶାସନ ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତକରଣ ବିଭାଗକୁ ପ୍ରସ୍ତାବ ଦେଇଥିଲା। ଯାହାର ଉତ୍ତରରେ ବିଭାଗୀୟ ନିର୍ଦ୍ଦେଶକ ଜୁଲାଇ ୮ତାରିଖ ଦିନ ଚିଠି ନମ୍ବର ୫୨୮୧ରେ ଜିଲ୍ଲାପାଳଙ୍କୁ ସ୍କୁଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସ୍କୁଲ ପରିଚାଳନା ଦାୟିତ୍ବରେ ଥିବା ଏନ୍‌ଜିଓ ‘ପୁଣ୍ୟାଶ୍ରମକୁ ତୁରନ୍ତ ପରିବର୍ତ୍ତନ କରି ସ୍କୁଲର ଦାୟିତ୍ବ ଅନ୍ୟ ସଂସ୍ଥାକୁ ଅଥବା ବିଭାଗ ଜରିଆରେ ସ୍କୁଲ ପରିଚାଳନା କରିବାକୁ କୁହାଯାଇଛି।

ପିଲାଙ୍କୁ ଶ୍ରମିକ ଭାବେ ଖଟାଇବା, ଟଙ୍କା ଆତ୍ମସାତ୍‌ ଭଳି ବିଭିନ୍ନ ଅନିୟମିତତା ଘଟଣାରେ ସଂସ୍ଥା ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ସ୍କୁଲରେ ପ୍ରାୟ ୮୦ରୁ ଅଧିକ ପିଲା ପାଠ ପଢ଼ୁଛନ୍ତି। କୋଭିଡ୍ ସମୟରେ ପିଲାଙ୍କ ଖାଦ୍ୟ ଏବଂ ଅନ୍ୟାନ୍ୟ ସାମଗ୍ରୀ ବାବଦକୁ ପ୍ରତି ପିଲାଙ୍କ ପିଛା ସରକାର ୧୨୪୫ଟଙ୍କା ପଠାଇଥିଲେ। ଏହି ଟଙ୍କା ପିଲାଙ୍କ ଏକାଉଣ୍ଟକୁ ପଠାଇବାକୁ ସଂସ୍ଥାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଇତିମଧ୍ୟରେ ସରକାର ଟଙ୍କା ପଠାଇବାର ପ୍ରାୟ ବର୍ଷେ ପୂରିବାକୁ ଯାଉଛି, କିନ୍ତୁ କେଉଁ ପିଲାଙ୍କର ଟଙ୍କା ତାଙ୍କ ବାପା-ମାଙ୍କ ଏକାଉଣ୍ଟକୁ ଦିଆଯାଇଛି ସେନେଇ ସମ୍ପୃକ୍ତ ସଂସ୍ଥା କୌଣସି ତଥ୍ୟ ଦେଉନାହିଁ। ତାହା ମଧ୍ୟ ତଦାରଖ କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି।

ନିର୍ଦ୍ଦେଶକଙ୍କ ଏହି ଚିଠି ପରେ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ସ୍କୁଲ ସମ୍ପାଦିକା ରେଣୁବାଳା ସାହୁଙ୍କୁ ସାନି ଚିଠି ଲେଖିଛି। ପିଲାଙ୍କ ଟଙ୍କାର ତୁରନ୍ତ ହିସାବ ଦେବାକୁ ଚିଠିରେ ନିର୍ଦ୍ଦେଶ ଦିଆଯାଇଛି। ସ୍କୁଲ୍‌ ଏକାଉଣ୍ଟରୁ ଟଙ୍କା ଉଠାଣ ହେବା ପୂର୍ବରୁ ତାକୁ ଅଚଳ କରିବାକୁ ବିଭାଗ ବ୍ୟାଙ୍କ୍‌କୁ ଚିଠି ଲେଖିଥିବା ଜଣାପଡ଼ିଛି।

କେବଳ ପରିଚାଳନା କମିଟି ନୁହେଁ, ସ୍କୁଲ ଶିକ୍ଷକଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନେବାକୁ ବିଭାଗ ଅଣ୍ଟା ଭିଡ଼ିଛି। ଯେଉଁ ଚାରି ଦିନ କାଳ ଶିକ୍ଷକମାନେ ପାଠପଢ଼ା ଛାଡ଼ି ଧାରଣାରେ ବସିଥିଲେ ସେହି ଦିନର ଦରମା କାଟିବାକୁ ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର