କୋଇଲା ସଙ୍କଟ, ବିପଦରେ ନାଲ୍‌କୋ

ଭୁବନେଶ୍ୱର : ରାଜ୍ୟରେ କୋଇଲା ସଙ୍କଟର ଜବରଦସ୍ତ ପ୍ରଭାବ ପଡିବାକୁ ଯାଉଛି। ନାଲ୍‌କୋର ଆଲୁମିନିୟମ୍‌ ସ୍ମେଲ୍‌ଟର ଓ ନିଜସ୍ୱ ବିଦ୍ୟୁତ ଉତ୍ପାଦନ କେନ୍ଦ୍ର (ସିପିପି)ରେ ଉତ୍ପାଦନ ପ୍ରଭାବିତ ହେବା ନେଇ ଆଶଙ୍କା ଉପୁଜିଲାଣି। ଏତେ ଗମ୍ଭୀର ଯେ ନାଲ୍‌କୋର ଉପଲବ୍ଧ କୋଇଲାର ପରିମାଣ ୩.୫ଲକ୍ଷ ଟନ୍‌ରୁ ଖସିଆସି ୫୫ ହଜାର ଟନ୍‌ରେ ପହ଼ଞ୍ଚିଛି। ସ୍ଥିତିରେ ପରିବର୍ତନ ନ ହେଲେ, ଆସନ୍ତା ୩ ଦିନ ମଧ୍ୟରେ କୋଇଲା ଶେଷ ହୋଇଯାଇପାରେ।

ହେଲେ ଦୁର୍ଭାଗ୍ୟଜନକ ଘଟଣା ହେଉଛି, କୋଇଲା ସଙ୍କଟକୁ ଦୃଷ୍ଟିରେ ରଖି ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ଭଳି ରାଜ୍ୟ ବାହାରକୁ କୋଇଲା ପଠାଇବା ଉପରେ କଟକଣା କରିଛନ୍ତି। ହେଲେ ଓଡ଼ିଶା ସରକାରଙ୍କ ପକ୍ଷରୁ ଏଭଳି କୌଣସି ନିଷେଧାଜ୍ଞା ଜାରି କରାଯାଇନାହିଁ। ପରିଣାମ ହେଉଛି, କେବଳ ନାଲ୍‌କୋ ନୁହେଁ, ରାଜ୍ୟର ଅନ୍ୟ ଶିଳ୍ପ ସଂସ୍ଥା ପ୍ରତି ମଧ୍ୟ ବିପଦ ସମ୍ଭାବନା ବଢିପାରେ। ମିଳିଥିବା ସୂଚନା ଅନୁସାରେ, ଅନୁଗୁଳସ୍ଥିତ ନାଲ୍‌କୋର ୧୨ଶହ ମେଗାଓ୍ଵାଟ୍‌ କ୍ଷମତା ବିଶିଷ୍ଟ ବିଦ୍ୟୁତ ଉତ୍ପାଦନ କେନ୍ଦ୍ର ସମ୍ପୂର୍ଣ୍ଣ ରୂପେ ଏମ୍‌ସିଏଲ୍‌ରୁ ଯୋଗାଣ ହେଉଥିବା କୋଇଲା ଉପରେ ନିର୍ଭରଶୀଳ ହୋଇଥାଏ। ୪.୬ଲକ୍ଷ ଟନ୍‌ କ୍ଷମତା ବିଶିଷ୍ଟ ଆଲୁମିନିୟମ୍‌ ସ୍ମେଲ୍‌ଟର ପାଇଁ ପ୍ରାୟ ୮୦୦ ମେଗାଓ୍ଵାଟ୍‌ ବିଦ୍ୟୁତ ଶକ୍ତିର ଆବଶ୍ୟକତା ରହିଛି। ପ୍ରତ୍ୟହ ଏଥିପାଇଁ ୧୮ହଜାର ମେଟ୍ରିକ୍‌ ଟନ୍‌ର କୋଇଲା ଆବଶ୍ୟକତା ରହିଛି। ମାତ୍ର ଗତ ଏକ ସପ୍ତାହ ଧରି ଏହାର ଅଧା ପରିମାଣର କୋଇଲା ଆସୁନାହିଁ। ନାଲ୍‌କୋକୁ କେବଳ ୮୦୦୦ ମେଟ୍ରିକ୍‌ ଟନ୍‌ କୋଇଲା ମିଳୁଛି। ଆସନ୍ତା ତିନି ଚାରି ଦିନ ମଧ୍ୟରେ କୋଇଲା ଯୋଗାଣ ସ୍ୱାଭାବିକ ନ ହେଲେ ନାଲ୍‌କୋର ଉତ୍ପାଦନ ଗୁରୁତର ଭାବେ ହ୍ରାସ ପାଇବ ବୋଲି ଆଶଙ୍କା ପ୍ରକାଶ ପାଇଲାଣି।

ରୋଇଲା ଯୋଗାଣରେ ଏହି ହ୍ରାସ ହେତୁ ନିରବଚ୍ଛିନ୍ନ ଭାବେ ୯୦୦ ଡିଗ୍ରି ସେଣ୍ଟିଗ୍ରେଡ୍‌ ତାପମାତ୍ରାରେ ପରିଚାଳିତ ହେଉଥିବା ୮୫୫ ପଟ୍‌ ବିଶିଷ୍ଟ ପଟ୍‌ଲାଇନ୍‌ର ସୁରକ୍ଷା ମଧ୍ୟ ସଙ୍କଟାପନ୍ନ ହେବାର ସମ୍ଭାବନା ରହିଛି। ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ବିଦ୍ୟୁତ ସରବରାହରେ ବ୍ୟାହତ ହେଲେ ପଟ୍‌ ପରିଚାଳନା ପାଇଁ ବିପଜ୍ଜନକ ପରିସ୍ଥିତି ଟାଣିଆଣିବ। ଏହା ନାଲ୍‌କୋ ପାଇଁ ଘାତକ ହେବ। ଏହାଦ୍ୱାରା କର୍ମଚାରୀ ଓ ଯନ୍ତ୍ରପାତିର ସୁରକ୍ଷା ପ୍ରତି ମଧ୍ୟ ସମସ୍ୟା ସୃଷ୍ଟି କରିପାରେ।

ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଏଭଳି ପରିସ୍ଥିତିରୁ ରକ୍ଷା ପାଇବା ପାଇଁ ନାଲ୍‌କୋ କର୍ତ୍ତୃପକ୍ଷ ଗୋଟିଏ ପଟ୍‌ ଲାଇନ୍‌ ବନ୍ଦ କରୁଥିବା ବିଷୟ ବିଚାର କରୁଛନ୍ତି। ଏହା ହେଲେ ଏଠାରେ କାର୍ଯ୍ୟ କରି ପରିବାର ପୋଷଣ କରୁଥିବା ହଜାର ହଜାର ଠିକା ଶ୍ରମିକଙ୍କ ଉପରେ ମଧ୍ୟ ଗଭୀର ଭାବେ ପ୍ରଭାବ ପଡିବ।

ଡିଜିଏମ୍‌ ତଥା ଲୋକସଂପର୍କ ବିଭାଗ ମୁଖ୍ୟ ଲଲାଟେନ୍ଦୁ ଦାସ କହିଛନ୍ତି, ସିପିପି ପାଇଁ ଆବଶ୍ୟକ ମୁତାବକ କୋଇଲା ଦେବା ଲାଗି ଖଣି ମନ୍ତ୍ରାଳୟକୁ ନାଲ୍‌କୋ ପକ୍ଷରୁ ଅନୁରୋଧ କରାଯାଇଛି। କିନ୍ତୁ କୋଇଲା ସଙ୍କଟ ଅବ୍ୟାହତ ରହିଥିବା କାରଣରୁ ଏବେ ସ୍ଥିତି ସଙ୍ଗିନ୍‌ ଆଡକୁ ଗତି କରୁଛି।

ସମ୍ବନ୍ଧିତ ଖବର