ନାଲ୍‌କୋ ପାଚେରି କାମକୁ ବିରୋଧ

ମାଥାଲପୁଟ : ଦାମନଯୋଡି ନାଲ୍‌କୋ ପାଚେରି ନିର୍ମାଣ କାମକୁ ସ୍ଥାନୀୟ ଆମ୍ବଗାଁ ଗ୍ରାମବାସୀ ତୀବ୍ର ବିରୋଧ କରିଛନ୍ତି। ଏଥିଯୋଗୁଁ ଆଜି କାର୍ଯ୍ୟ ବନ୍ଦ ରହିଥିବା ଜଣାପଡିଛି। ଦାବି ପୂରଣ ନହେବା ପର୍ଯ୍ୟନ୍ତ କାର୍ଯ୍ୟ କରାଇ ଦିଆଯିବ ନାହିଁ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି।

ସୂଚନା ଅନୁଯାୟୀ, ଦାମନଯୋଡି ନାଲ୍‌କୋ ସଂପ୍ରସାରଣ ନିମନ୍ତେ ନାଲ୍‌କୋ ପକ୍ଷରୁ ଆମ୍ବଗାଁ ଗ୍ରାମ ନିକଟରେ ପାଚେରି ନିର୍ମାଣ କରାଯାଉଛି। ତେବେ ଦୀର୍ଘ ୩୫ବର୍ଷ ପରେ ମଧ୍ୟ ନାଲ୍‌କୋ ପକ୍ଷରୁ ଏହି ଗ୍ରାମକୁ କୌଣସି ସର୍ବନିମ୍ନ ମୌଳିକ ସୁବିଧା ମିଳିନଥିବା ଦର୍ଶାଇ ଗ୍ରାମବାସୀ ଏହାକୁ ବିରୋଧ କରିଛନ୍ତି। ଗତ ଅଗଷ୍ଟ ମାସରେ ଏହି ପାଚେରି କାମ ଆରମ୍ଭ କରାଯାଇଥିଲା। ତେବେ ଗ୍ରାମବାସୀ ଏହି କାର୍ଯ୍ୟକୁ ତୀବ୍ର ବିରୋଧ କରିଥିଲେ। ଏହାପରେ ପ୍ରଶାସନ ପକ୍ଷରୁ ଅଞ୍ଚଳରେ ୧୪୪ଧାରା ଜାରି ହୋଇଥିଲା। ସମସ୍ୟାର ସମାଧାନ ନିମନ୍ତେ ଆମ୍ବଗାଁ ଗ୍ରାମବାସୀଙ୍କୁ ନେଇ କୋରାପୁଟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆଲୋଚନା ହୋଇଥିଲା। ଗ୍ରାମବାସୀଙ୍କ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଏହି ସ୍ଥାନରେ କାର୍ଯ୍ୟ ବନ୍ଦ ରଖିବାକୁ ସ୍ଥିର ହୋଇଥିଲା। ଗ୍ରାମବାସୀଙ୍କ ଦାବି ପୂରଣ ହୋଇନଥିବା ବେଳେ ତେବେ ଗତକାଲି ଠାରୁ ପୁଣି ଥରେ ପାଚେରି କାମ ଆରମ୍ଭ ହୋଇଥିଲା। ଏହା ଦେଖିବା ପରେ ଆଜି ସକାଳେ ସମସ୍ତ ଗ୍ରାମବାସୀ କାର୍ଯ୍ୟସ୍ଥଳୀରେ ପହଞ୍ଚି କାର୍ଯ୍ୟକୁ ତୀବ୍ର ବିରୋଧ କରିଥିଲେ।

ସମ୍ବନ୍ଧିତ ଖବର