ଶ୍ରୀଧର ପାତ୍ର ହେଲେ ନାଲକୋ ଅଧ୍ୟକ୍ଷ

ଭୁବନେଶ୍ବର: ନାଲ୍‌କୋର ଅର୍ଥ ନିର୍ଦ୍ଦେଶକ ଶ୍ରୀଧର ପାତ୍ର କମ୍ପାନିର ନୂଆ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ (ସିଏମ୍‌ଡି) ଭାବେ ନିଯୁକ୍ତି ପାଇଛନ୍ତି। ଶ୍ରୀ ପାତ୍ରଙ୍କ ନିଯୁକ୍ତିକୁ କେନ୍ଦ୍ର ନିଯୁକ୍ତି ସଂକ୍ରାନ୍ତ କ୍ୟାବିନେଟ୍ କମିଟି ଆଜି ମଞ୍ଜୁରି ପ୍ରଦାନ କରିଛି। ସୋମବାର କାର୍ମିକ ଏବଂ ପ୍ରଶିକ୍ଷଣ ବିଭାଗ ପକ୍ଷରୁ ଏ ନେଇ ନିର୍ଦ୍ଦେଶନାମା ଜାରି ହୋଇଛି। ସେ ପ୍ରାୟ ୫ ବର୍ଷ ଏହି ପଦରେ ରହିବେ। ଦାୟିତ୍ବ ଗ୍ରହଣ କରିବା ଦିନଠାରୁ ୨୦୨୪ ମସିହା ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ କିମ୍ବା ଅନ୍ୟାଦେଶ ପର୍ଯ୍ୟନ୍ତ ସେ ଏହି ପଦବିରେ ରହିବେ ବୋଲି କୁହାଯାଇଛି।

ଶ୍ରୀ ପାତ୍ର ଚଳିତମାସ ୧ ତାରିଖରୁ ନାଲ୍‌କୋର ଅର୍ଥ ନିର୍ଦ୍ଦେଶକ ସହିତ ସିଏମ୍‌ଡି ଭାବେ ଅତିରିକ୍ତ ଦାୟିତ୍ବ ସମ୍ଭାଳି ଆସୁଛନ୍ତି। ଖଣି ଏବଂ ଧାତବ କ୍ଷେତ୍ର ସମେତ, ବିଦ୍ୟୁତ୍ ଏବଂ ତୈଳ ଓ ଗ୍ୟାସ ଭଳି କ୍ଷେତ୍ରରେ ଦୀର୍ଘ ୩୦ ବର୍ଷରୁ ଊର୍ଧ୍ବ କାର୍ଯ୍ୟ କରିବା ଅଭିଜ୍ଞତା ରହିଛି। ପୂର୍ବରୁ ସେ ଓଡ଼ିଶା ଖଣି ନିଗମ, ଇଣ୍ଡିଆନ୍ ରେୟାର ଆର୍ଥ ଲିମିଟେଡ, ଓଏନଜିସିର ସହାୟକ କମ୍ପାନି ମାଙ୍ଗାଲୋର ରିଫାଇନେରି ଆଣ୍ଡ ପେଟ୍ରୋକେମିକାଲ୍ସ ଲିମିଟେଡର ଗୁରୁତ୍ବପୂର୍ଣ୍ଣ ପଦବିରେ କାର୍ଯ୍ୟ କରିଛନ୍ତି। ନାଲକୋରେ ଯୋଗଦେବା ପୂର୍ବରୁ ଶ୍ରୀ ପାତ୍ର ଟିଏଚ୍‌ଡିସି ଇଣ୍ଡିଆ ଲିମିଟେଡର ଅର୍ଥ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ। ଉତ୍କଳ ବିଶ୍ବିଦ୍ୟାଳୟରୁ ବାଣିଜ୍ୟରେ ସ୍ନାତକ ଡିଗ୍ରି ହାସଲ କରିଥିବା ଶ୍ରୀ ପାତ୍ର ପେସାରେ ଜଣେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍। ବିଦ୍ୟାସାଗର ବିଶ୍ବବିଦ୍ୟାଳୟରୁ ସେ ଏମ୍‌ବିଏ (ମାନବ ସମ୍ବଳ) ଡିଗ୍ରି ମଧ୍ୟ ହାସଲ କରିଛନ୍ତି।

ସମ୍ବନ୍ଧିତ ଖବର