କାର୍‌ ସହ ଟ୍ରାକ୍ଟର ଧକ୍କା : ପତ୍ନୀଙ୍କ ସହ ନାଲ୍‌କୋ ସିଏମ୍‌ଡି ଆହତ

ଧଉଳି : ଶନିବାର ମଧ୍ୟରାତ୍ରିରେ ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ସିଫା ମୁଖ୍ୟଗେଟ୍‌ ନିକଟରେ ଗୋଟିଏ ଟ୍ରାକ୍ଟର ଏବଂ କାର୍‌ ମଧ୍ୟରେ ଧକ୍କା ହେବାରୁ କାର୍‌ରେ ଥିବା ନାଲ୍‌କୋ ସିଏମ୍‌ଡି ତପନ କୁମାର ଚାନ୍ଦ ଓ ତାଙ୍କ ପତ୍ନୀ ପ୍ରୀତି ରାୟ ଆହତ ହୋଇଛନ୍ତି। ଉଭୟଙ୍କ ଶରୀର ଓ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ଉଭୟଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତି କରାଯାଇଛି। ସେମାନେ ଏବେ ବିପଦମୁକ୍ତ ଥିବା ଉକ୍ତ ହସ୍ପିଟାଲ୍‌ ସୂତ୍ରରୁ ଜଣାଯାଇଛି।

ରାତିରେ ଦୁର୍ଘଟଣା ସଂପର୍କରେ ଖବର ପାଇ ନାଲ୍‌କୋର ବରିଷ୍ଠ କର୍ମକର୍ତାମାନେ ଦୁର୍ଘଟଣାସ୍ଥଳ ଏବଂ ଥାନାରେ ପହଞ୍ଚିଥିଲେ। ପୁଲିସ ଦୁର୍ଘଟଣାଗ୍ରସ୍ତ ଗାଡ଼ି ଦୁଇଟିକୁ ଜବତ କରି ପରେ ଛାଡ଼ି ଦେଇଥିବା ଜଣେ ଅଧିକାରୀ ସୂଚନା ଦେଇଛନ୍ତି । ଇନ୍ସପେକ୍ଟର ଶରତ ସାହୁଙ୍କ ସୂଚନାନୁସାରେ ପୁରୀ ରେଳ ଷ୍ଟେସନରେ ନାଲ୍‌କୋ ପକ୍ଷରୁ ପ୍ରଦତ୍ତ ୪ଚକିଆ ବ୍ୟାଟେରି ଚାଳିତ ଗାଡ଼ିର ଲୋକାର୍ପଣ ଉତ୍ସବରେ ଯୋଗ ଦେଇ ଶ୍ରୀ ଚାନ୍ଦ ଓ ତାଙ୍କ ପତ୍ନୀ କାର୍‌ (ଓଡି ୩୩ ଇ ୫୦୧୭) ଯୋଗେ ଭୁବନେଶ୍ୱର ଫେରୁଥିଲେ। ରାତି ପ୍ରାୟ ୧୧.୪୦ ମିନିଟ୍‌ରେ ସିଫା ଗେଟ୍‌ ସମ୍ମୁଖରେ ବିପରୀତ ଦିଗରୁ ଭୁଲ ପାର୍ଶ୍ୱରେ ଆସୁଥିବା ଏକ ନମ୍ବରବିହୀନ ମାଟି ବୋଝେଇ ଟ୍ରାକ୍ଟର ସହ କାର୍‌ର ମୁହାଁମୁହିଁ ଧକ୍କା ଲାଗିଥିଲା। କାର୍‌ର ଆଗପଟ ଭାଙ୍ଗି ଚୂରମାର୍‌ ହୋଇ ଯାଇଥିବା ବେଳେ ଶ୍ରୀ ଚାନ୍ଦ ଓ ତାଙ୍କ ପତ୍ନୀ ଏଥିରେ ଚାପି ହୋଇ ରହିଯାଇଥିଲେ। ସ୍ଥାନୀୟ ଲୋକମାନେ ସେମାନଙ୍କୁ ଉଦ୍ଧାର କରିଥିଲେ।

ସମ୍ବନ୍ଧିତ ଖବର