ଗଛରେ ପିଟିହେଲା କାର୍‌: ନାଲକୋ ଦମ୍ପତିଙ୍କ ଜୀବନ ଗଲା

ଅନୁଗୁଳ/ନାଲ୍‌କୋନଗର : ଅନୁଗୁଳ ସହର ଉପକଣ୍ଠ ଛେଳିଆପଡ଼ା ଛକ ନିକଟରେ ଆଜି ଘଟିଛି ଏକ ମର୍ମନ୍ତୁକ ସଡ଼କ ଦୁର୍ଘଟଣା। ରାସ୍ତା କଡ଼ ଏକ ନିମ ଗଛ ସହ କାର୍‌ ପିଟି ହୋଇ ନାଲ୍‌କୋ କର୍ମଚାରୀ ଶିବ ପଣ୍ଡା (୫୭) ଏବଂ ତାଙ୍କ ପତ୍ନୀ ପ୍ରମିଳା ପଣ୍ଡାଙ୍କର ଶୋଚନୀୟ ମୃତ୍ୟୁ ହୋଇଛି। ଉଲ୍ଲେଖଯୋଗ୍ୟ, ସମ୍ବଲପୁର ବୁର୍ଲା ଅଞ୍ଚଳରେ ଶ୍ରୀ ପଣ୍ଡାଙ୍କ ଘର। ନାଲ୍‌କୋର ସିପିପି ପ୍ଲାଣ୍ଟରେ ସେ ମେକାନିକାଲ ବିଭାଗରେ ଜୁନିୟର ଇଞ୍ଜିନିୟର ଚାକିରି କରୁଥିଲେ। ସପତ୍ନୀକ ଶ୍ରୀ ପଣ୍ଡା ଭୁବନେଶ୍ବର ସମ୍ପର୍କୀୟଙ୍କ ବାହାଘରକୁ ଯାଇଥିଲେ। ଆଜି ମଧ୍ୟାହ୍ନରେ ପୁରୁଣା କଟକ-ସମ୍ବଲପୁର ରାସ୍ତା ଦେଇ କାର୍‌ରେ (ଓଡି ୧୯ବି-୩୫୫୧) ଘରକୁ ଫେରୁଥିବା ବେଳେ ଛେଳିଆପଡ଼ା ଛକ ନିକଟରେ ହଠାତ୍‌ ତାଙ୍କ ଗାଡ଼ି ଭାରସାମ୍ୟ ହରାଇ ରାସ୍ତା କଡ଼ ଗଛରେ ପିଟି ହୋଇଥିଲା। ଗାଡ଼ି ଚଳାଉଥିବା ଶ୍ରୀ ପଣ୍ଡା ଗୁରୁତର ଆହତ ହୋଇଥିବା ବେଳେ ସ୍ତ୍ରୀ ପ୍ରମିଳାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା। ଗୁରୁତର ଅବସ୍ଥାରେ ଶ୍ରୀ ପଣ୍ଡାଙ୍କୁ ପ୍ରଥମେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ଏଠାରୁ କଟକ ସ୍ଥାନାନ୍ତର କରାଯାଇଥିଲା। ବାଟରେ ତାଙ୍କର ମଧ୍ୟ ମୃତ୍ୟୁ ହୋଇଛି। ଦୁଇ ପୁଅକୁ ନେଇ ଶ୍ରୀ ପଣ୍ଡାଙ୍କ ପରିବାର। ସେଥିରୁ ଜଣେ କଲିକତାରେ ଚାକିରି କରୁଥିବା ବେଳେ ଅନ୍ୟ ଜଣେ ସରାଙ୍ଗରେ ଇଞ୍ଜିନିୟରିଂ ପାଠ ପଢ଼ୁଛନ୍ତି। ସେ ନାଲକୋ ନନ-ଏକ୍‌ଜିକ୍ୟୁଟିଭ୍‌ ଏମ୍ପ୍ଲୋଇଜ୍‌ ୟୁନିୟନର କର୍ମକର୍ତା ଥିଲେ। ତାଙ୍କ ପରଲୋକରେ ନାଲ୍‌କୋ ଅଞ୍ଚଳରେ ଶୋକ ଖେଳିଯାଇଛି। ନାଲ୍‌କୋ ସିପିପି ପ୍ଲାଣ୍ଟର ଜି.ଏମ ଦେବ ମହାପାତ୍ର, ନାଲକୋ ନନ-ଏକ୍‌ଜିକ୍ୟୁଟିଭ୍‌ ଏମ୍ପ୍ଲୋଇଜ୍‌ ୟୁନିୟନର ସମ୍ପାଦକ ନିର୍ମଳ ଶତପଥୀ, କାର୍ଯ୍ୟକାରୀ ସଭାପତି ସୁଶାନ୍ତ ସାମଲଙ୍କ ସମେତ ବହୁ କର୍ମକର୍ତା ଶୋକ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର