କରୋନା ଆକ୍ରାନ୍ତ ନାଲକୋ ଡିଜିଏମ୍‌ଙ୍କ ମୃତ୍ୟୁ, ଭିସୁଟ୍‌ରେ ଅଧ୍ୟାପିକା ଥିବା ପତ୍ନୀ ବି ପଜିଟିଭ୍‌

ନାଲକୋନଗର/ତାଳଚେର, ୩୦/୬ (ଇମିସ): ଅନୁଗୁଳ ଜିଲ୍ଲାରେ ପ୍ରଥମ କରୋନାଜନିତ ମୃତ୍ୟୁ ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ଗତକାଲି ନବରତ୍ନ କମ୍ପାନି ନାଲକୋର ଡିଜିଏମ୍‌ ପାହ୍ୟାର ଅଧିକାରୀଙ୍କ ଦେହରେ ଭୂତାଣୁ ଚିହ୍ନଟ ହୋଇଥିବା ଘଟଣା ପଦାକୁ ଆସିଥିଲା। ସେ ବୁର୍ଲାର ବଡ଼ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ରିପୋର୍ଟ ପଜିଟିଭ୍‌ ଆସିବା ପରେ ଗତକାଲି ରାତିରେ ହିଁ ତାଙ୍କୁ ବୁର୍ଲାରୁ ତାଳଚେର କୋଭିଡ୍ ହସ୍ପିଟାଲକୁ ଅଣାଯାଇଥିଲା। ଏଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଯେହେତୁ ତାଙ୍କର ସ୍ବାବ୍‌ କରୋନା ପଟିଜିଟ୍ ଆସିଥିଲା, ତେଣୁ ଏହା ଅନୁଗୁଳ ଜିଲ୍ଲାର ପ୍ରଥମ କରୋନାଜନିତ ମୃତ୍ୟୁ ବୋଲି ଅନୁଗୁଳ ଜିଲ୍ଲାପାଳ ମନୋଜ କୁମାର ମହାନ୍ତି ‘ସମ୍ବାଦ’କୁ କହିଛନ୍ତି।

ନାଲକୋ ଅଫିସ୍‌ ସିଲ୍, ହେଲା ବିଶୋଧନ
ଡେରାରେ ବିରୋଧ, ଶବ ଗଲା ଭୁବନେଶ୍ବର
୨୫୫ରୁ ଅଧିକ ଲୋକଙ୍କ ସଂସ୍ପର୍ଶରେ ଆସିଛନ୍ତି

ଘଟଣା ଜଣାପଡ଼ିବା ପରେ ନାଲକୋନଗରରେ ଭୟର ବାତାବରଣ ଖେଳିଯାଇଛି। ମୃତ ଡିଜିଏମ୍‌ ଜଣକ ନାଲକୋ ସିପିପିର ଯେଉଁ ଅଫିସ୍‌ରେ କାମ କରୁଥିଲେ ତାକୁ ସିଲ୍ କରି ଦିଆଯାଇଛି। ଅଫିସ୍‌ ଦିନେ/ଦୁଇଦିନ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନାଲକୋ ପ୍ରଶାସନକୁ ନିର୍ଦେଶ ଦିଆଯାଇଛି। ସେହି ଅଞ୍ଚଳକୁ ବିଶୋଧନ କରିବାକୁ ମଧ୍ୟ କୁହାଯାଇଛି। ମୃତ ଡିଜିଏମ୍‌ ଜଣକ କେବଳ ଅନୁଗୁଳରେ ୨୫୫ରୁ ଅଧିକ ଲୋକଙ୍କ ସଂସ୍ପର୍ଶର ଆସିଥିବା କୁହାଯାଉଛି।ଡିଜିଏମ୍‌ଙ୍କ ମୃତ୍ୟୁ କରୋନା ଜନିତ ହୋଇଥିବାରୁ ଜିଲ୍ଲା ପ୍ରଶାସନ ହେପାଜତରେ ଶବଦାହ କରିବାକୁ ଉଦ୍ୟମ ହୋଇଥିଲା। ପ୍ରଥମେ ତାଳଚେର ଡେରାସ୍ଥିତ ଶିବମନ୍ଦିର ପଛ ପାଖ ଶ୍ମଶାନରେ ଶବଦାହ କରିବାକୁ ନିଷ୍ପତ୍ତି ହୋଇଥିଲା। କିନ୍ତୁ ସ୍ଥାନୀୟ ସରପଞ୍ଚ ଏହାକୁ ବିରୋଧ କରିଥିଲେ। ପରବର୍ତ୍ତୀ ସମୟରେ ପରିବାର ଲୋକେ ଭୁବନେଶ୍ବର ସତ୍ୟନଗରରେ ଶବ ସଂସ୍କାର କରିବାକୁ କହିବାରୁ ଶବକୁ ଭୁବନେଶ୍ବରକୁ ପଠାଯାଇଛି ବୋଲି ଜିଲ୍ଲାପାଳ ଶ୍ରୀ ମହାନ୍ତି କହିଛନ୍ତି। ଦୁର୍ଭାଗ୍ୟ କ୍ରମେ, ଭିସୁଟ୍‌ରେ ଅଧ୍ୟାପିକା ଥିବା ମୃତ ଡିଜିଏମ୍‌ଙ୍କ ଧର୍ମପତ୍ନୀଙ୍କ ସ୍ବାବ୍‌ ପଜିଟିଭ୍‌ ଆସିଛି। ଚିକିତ୍ସା ପାଇଁ ତାଙ୍କୁ ଅଶ୍ବିନୀ ହସ୍ପିଟାଲକୁ ପଠାଯାଇଛି।

ସମ୍ବନ୍ଧିତ ଖବର