ବାତ୍ୟା ବିପନ୍ନଙ୍କୁ ନାଲ୍‌କୋ-‘ସମ୍ବାଦ’ ପକ୍ଷରୁ ରିଲିଫ୍

ପୁରୀ : ପ୍ରଳୟଙ୍କରୀ ବାତ୍ୟା ‘ଫନି’ ସମଗ୍ର ପୁରୀ ଜିଲ୍ଲାକୁ ଧ୍ବସ୍ତବିଧ୍ବସ୍ତ କରି ଦେଇଥିବା ବେଳେ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନାଲ୍‌କୋ ଏବଂ ଓଡ଼ିଶାର ସର୍ବାଧିକ ପ୍ରସାରିତ ଖବରକାଗଜ ‘ସମ୍ବାଦ’ର ମିଳିତ ସହଯୋଗରେ ଆଜି ପୁରୀରେ ବାତ୍ୟା ଦୁର୍ଗତଙ୍କୁ ରିଲିଫ ବଣ୍ଟନ କରାଯାଇଛି। ପ୍ରଥମ ଦିନରେ ଅଢେଇ ହଜାର ବିପନ୍ନଙ୍କୁ ରିଲିଫ୍ ବଣ୍ଟନ କରାଯାଇଛି। ‘ସମ୍ବାଦ’ ଗ୍ରୁପ୍‌ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ, ‘ସମ୍ବାଦ’ ବାର୍ତ୍ତା ବିଭାଗ ମୁଖ୍ୟ ଅରବିନ୍ଦ ଦାସ, ନାଲ୍‌କୋର ଡିଜିଏମ୍ (କର୍ପୋରେଟ୍‌ କମ୍ୟୁନିକେସନ୍‌) ଆଶୁତୋଷ ରଥ, ଡିଜିଏମ୍ (ପିଆର୍‌) ଲଲାଟେନ୍ଦୁ ଦାସ ପ୍ରମୁଖଙ୍କ ଉପସ୍ଥିତିରେ ରିଲିଫ୍ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା।

ନାଲ୍‌କୋର ସିଏମ୍‌ଡି ଡକ୍ଟର ତପନ ଚାନ୍ଦଙ୍କ ତତ୍ତ୍ବାବଧାନ‌ରେ ପୁରୀ ନୀଳଚକ୍ର ନଗର ବସ୍ତିରେ ଶ୍ରୀମତୀ ପଟ୍ଟନାୟକ ଓ ନାଲ୍‌କୋର ବରିଷ୍ଠ ଅଧିକାରୀମାନେ ବିପନ୍ନଙ୍କୁ ଭେଟି ରିଲିଫ୍ ବଣ୍ଟନ କରିଥିଲେ। ଆଜି ପୁରୀ ସହର ଓ ସଦର ବ୍ଲକ ଅଞ୍ଚଳର ବିଭିନ୍ନ ବସ୍ତି, ସାହିରେ ରିଲିଫ୍ ବଣ୍ଟନ କରାଯାଇଛି। ସେଗୁଡ଼ିକ ହେଲା ପୁରୀ ସହରର ହରଚଣ୍ଡୀ କଲୋନି, ଲେପର୍ସି କଲୋନି, ଜଗନ୍ନାଥ କଲୋନି, ବେଟ୍ରିକ୍ସ୍‌ ସ୍କୁଲ ବସ୍ତି, ଗଦାଧର ସ୍କୁଲ ବସ୍ତି, ଫେଣ୍ଡ୍ରସ୍‌ କ୍ଲବ ଗଳି, ବ୍ୟାଙ୍କ୍ କଲୋନି, ଅବକାଶ ଲେନ୍, ମହାପାତ୍ର ବଗିଚା, ମଳିକ ବସ୍ତି, କୁମ୍ଭାରପଡା, ବିଶେଶ୍ବରୀ ଲେନ୍, ଆଇଟିଆଇ ଗଳି, ମାତା ଗୋ‌ସେଇଁ ଗଳି, ନୋଳିଆ ବସ୍ତି, ଗଙ୍ଗାରାମ ନୂଆସାହି, ଚୁଡଙ୍ଗ ସାହି ଖୁଣ୍ଟିଆବଗିଚା, ନୀଳଚକ୍ର ନଗର, ଚକ୍ରବର୍ତ୍ତି ସାହି ପ୍ରଧାନ ସାହି, ଚାରିନଳା, ମଧୁବନ ବାଲିଆ, କୁମାରଡିହ ଓ ଯମୁନାକୁଦ। ଏଥିସହିତ ବ୍ରହ୍ମଗିରିର ଗଡରୋଡଙ୍ଗ ଓ ନହରବାଲି ଅଞ୍ଚଳରେ ମଧ୍ୟ ରିଲିଫ୍ ବଣ୍ଟନ କରାଯାଇଥିଲା। ‘ସମ୍ବାଦ’ ଟିମ୍, କନକ ନ୍ୟୁଜ୍, ରେଡ଼ିଓ ଚକ୍‌ଲେଟ୍ ଓ ପୁରୀ ହକର ସଂଘର ‌ପ୍ରତ୍ୟକ୍ଷ ସହଯୋଗରେ ଏହି କାର୍ଯ୍ୟକ୍ରମ ସୁରୁଖୁରରେ ସଂପନ୍ନ ହୋଇଥିଲା। ବାତ୍ୟା ପ୍ରଭାବିତ ଅଞ୍ଚଳରେ ‘ସମ୍ବାଦ’ ଓ ନାଲ୍‌କୋର ଏଭଳି ପ୍ରୟାସକୁ ବିପନ୍ନମାନେ ପ୍ରଶଂସା କରିବା ସହିତ ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ।

ସମ୍ବନ୍ଧିତ ଖବର