ବିକାଶ ପାଇଁ ନାଲ୍‌କୋ ବ୍ୟୟ କରିବ ୩୦୦ କୋଟି

ଭୁବନେଶ୍ବର/କୋରାପୁଟ/ପଟାଙ୍ଗି : ନବରତ୍ନ ଆଲୁମିନିୟମ କଂପାନି ନାଲ୍‌କୋ ରାଜ୍ୟର ବିକାଶମୂଳକ କାର୍ଯ୍ୟରେ ୩୦୦ କୋଟି ଟଙ୍କା ବ୍ୟୟ କରିବାକୁ ଯୋଜନା ପ୍ରସ୍ତୁତ କରିଛି। କଂପାନି ନିଜେ କାର୍ଯ୍ୟ କରୁଥିବା ଅଞ୍ଚଳଗୁଡ଼ିକରେ ସ୍ବାସ୍ଥ୍ୟ ସେବା, ଭିତ୍ତିଭୂମି ବିକାଶ, ଗ୍ରାମାଞ୍ଚଳରେ ସଡ଼କ ନିର୍ମାଣ, ଶିକ୍ଷା, ପାନୀୟ ଜଳ ଯୋଗାଣ ଓ ସ୍ବୟଂ ସହାୟକ ଗୋଷ୍ଠି (ଏସ୍‌ଏଚ୍‌ଜି)ଗୁଡ଼ିକୁ ସଶକ୍ତ କରିବା ଦିଗରେ କାର୍ଯ୍ୟ କରୁଛି। ଆଗାମୀ ଦିନରେ ଏହି ସବୁ କାର୍ଯ୍ୟକୁ ନାଲ୍‌କୋ ତ୍ବରାନ୍ବିତ କରୁଥିବା ଜଣାଯାଇଛି।

ଦାମନ‌େଯୋଡ଼ିରେ ନାଲ୍‌କୋ ୬୦୦୦ କୋଟି ଟଙ୍କାର ସମ୍ପ୍ରସାରଣ ପ୍ରକଳ୍ପ ହାତକୁ ନେଇଛି। ଏହା ଜରିଆରେ କଂପାନି ଏହାର ଆଲୁମିନା ରିଫାଇନାରି ଉତ୍ପାଦନ କ୍ଷମତାକୁ ବଢ଼ାଇବ। ସେଥିପାଇଁ ବିପୁଳ ପରିମାଣର ବକ୍ସାଇଟ୍‌ର ଆବଶ୍ୟକତା ରହିଛି। ତାହାକୁ ଦୃଷ୍ଟିରେ ରଖି ୨୦୧୫ରେ ନାଲ୍‌କୋକୁ ଦାମନଯୋଡ଼ି ପାଖରେ ଥିବା ପଟାଙ୍ଗି ବକ୍ସାଇଟ୍‌ ଖଣି ଆବଣ୍ଟନ କରାଯାଇଥିଲା। ଏହି ଖଣି ସେଠାରେ ଥିବା କମ୍ପାନିର ୨୧ ଲକ୍ଷ ଟନ୍ କ୍ଷମତା ବିଶିଷ୍ଟ ଆଲୁମିନା ରିଫାଇନାରିର କଞ୍ଚାମାଲ ଆବଶ୍ୟକତା ପୂରଣ କରିବ। ଏହି ସମ୍ପ୍ରସାରଣ ପ୍ରକଳ୍ପକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଚଳିତ ମାସ ୧୯ରୁ ୨୨ ତାରିଖ ପର୍ଯ୍ୟନ୍ତ ଗ୍ରାମସଭା ଆୟୋଜନ କରାଯାଉଛି। ପଟାଙ୍ଗି ବ୍ଲକ୍‌ର ମଳିପୁଟ, ପଟାଙ୍ଗି, ନୂଆଗାଁ ଓ କୋଟିଆରେ ଏହି ସବୁ ଗ୍ରାମସଭା ଆୟୋଜନ କରାଯିବ। ଗତ ୧୯ ତାରିଖରେ ମଳିପୁଟରେ ଗ୍ରାମସଭା ଆୟୋଜନ କରାଯାଇଥିଲା। ସେଥିରେ ବହୁ ଗ୍ରାମବାସୀ ଯୋଗ ଦେଇ କଂପାନିର ପ୍ରକଳ୍ପକୁ ସମର୍ଥନ କରିଥିବାସୂଚନା ଦିଆଯାଇଛି।

ନାଲ୍‌କୋ ପକ୍ଷରୁ କୁହାଯାଇଛି ଯେ ବକ୍ସାଇଟ୍ ଖଣି ଦ୍ବାରା ଜଙ୍ଗଲ ଆଦୌ ପ୍ରଭାବିତ ହେବ ନାହିଁ। ପୂର୍ବରୁ ପଞ୍ଚପଟ୍ଟମାଳିରେ ଯେଭଳି କଂପାନି ତରଫରୁ ୩୫ ଲକ୍ଷ ବୃକ୍ଷରୋପଣ କରାଯାଇଥିଲା, ଏଠାରେ ମଧ୍ୟ ସେଭଳି ବଡ଼ ଧରଣର ବନୀକରଣ କରାଯିବ। କଂପାନି ଜଳ ପ୍ରଦୂଷଣ କରିବା ବଦଳରେ ଜଳ ସଂରକ୍ଷଣ ଉପରେ ଅଧିକ ଗୁରୁତ୍ବ ଦେବ। ଏହା ବର୍ଷା ଜଳକୁ ସଂରକ୍ଷଣ କରି ତାହାକୁ ଭୂତଳକୁ ଛାଡ଼ିବ। ଫଳରେ ଭୂ୍ତଳ ଜଳ ସ୍ତରରେ ବୃଦ୍ଧି ହେବ ବୋଲି କଂପାନି ପକ୍ଷରୁ କୁହାଯାଇଛି। ପଞ୍ଚପଟ୍ଟମାଳିରେ ଉନ୍ନତ ଖଣି କାର୍ଯ୍ୟ ଓ ପରିବେଶ ସୁରକ୍ଷା ପଦକ୍ଷେପ ଗ୍ରହଣ କରାଯାଇଥିବାରୁ ଭାରତ ସରକାରଙ୍କ ତରଫରୁ ତାହାକୁ ୫-ଷ୍ଟାର୍‌ ରେଟିଂ ପ୍ରଦାନ କରାଯାଇଛି। ସେହି ଢାଞ୍ଚାରେ କଂପାନି ପଟାଙ୍ଗି ଖଣିକୁ ବିକଶିତ କରିବ।

ଏହି ଖଣି ଯୋଗୁ ବିସ୍ଥାପିତ ହୋଇଥିବା ଲୋକମାନଙ୍କ ପାଇଁ କଂପାନି ପକ୍ଷରୁ ଏକ ବ୍ୟାପକ ପୁନର୍ବାସ ଓ ଥଇଥାନ ଯୋଜନା ପ୍ରସ୍ତୁତ କରାଯାଇଛି। ଦାମନଯୋଡ଼ିରେ ବିସ୍ଥାପିତ ହୋଇଥିବା ୬୦୦ ପରିବାରକୁ କଂପାନିରେ ପ୍ରତ୍ୟକ୍ଷ ନିଯୁକ୍ତି ପ୍ରଦାନ କରାଯାଇଛି। ଆମ୍ବେଦକର ନଗର ଓ ସହିଦ ଲକ୍ଷ୍ମଣ ନାୟକଙ୍କ ନାମରେ ନିର୍ମାଣ କରାଯାଇଥିବା ଥଇଥାନ କଲୋନିରେ ବିସ୍ଥାପିତ ପରିବାରଙ୍କୁ ବାସସ୍ଥାନ ପ୍ରଦାନ କରାଯାଇଛି। ବିସ୍ଥାପିତ ପରିବାରଗୁଡ଼ିକ ଉପରେ ନିର୍ଭରଶୀଳ ଥିବା ସଦସ୍ୟମାନଙ୍କୁ ନାଲ୍‌କୋର ଆନୁଷଙ୍ଗିକ ଏଜେନ୍ସିଗୁଡ଼ିକରେ ନିଯୁକ୍ତି ପ୍ରଦାନ କରାଯାଇଛି। ସ୍ବାସ୍ଥ୍ୟ ସେବା ପାଇଁ କଂପାନି ତରଫରୁ ବଡ଼ ଧରଣର ପଦକ୍ଷେପ ଗ୍ରହଣ କରାଯାଇଛି ଯଦ୍ବାରା ବର୍ଷକୁ ପାଖାପାଖି ୧ ଲକ୍ଷ ରୋଗୀ ଉପକୃତ ହେଉଛନ୍ତି ବୋଲି ନାଲ୍‌କୋ ପକ୍ଷରୁ କୁହାଯାଇଛି।

ସୂଚନାଯୋଗ୍ୟ, ୧୯ ତାରିଖରେ ମଳିପୁଟ ଓ ୨୦ ତାରିଖରେ ପଟ୍ଟାଙ୍ଗିରେ ଆୟୋଜିତ ଗ୍ରାମସଭାରେ ଯୋଗଦେଇ କିଛି ଲୋକ ଭିଟାମଟି ନଛାଡ଼ିବା ନେଇ ଯୁକ୍ତି ବାଢ଼ିଥିଲେ। ବିକାଶ ପାଇଁ ନାଲକୋ ତରଫରୁ ଶ୍ବେତପତ୍ର ଜାରି କରିବାକୁ ଦାବି କରିଥିଲେ। ତେଣୁକରି ନାଲକୋ ପକ୍ଷରୁ ଅଞ୍ଚଳର ବିକାଶ ଓ ପର୍ଯ୍ୟାବରଣକୁ ନେଇ ଦିଆଯାଇଥିବା ପ୍ରତିଶ୍ରୁତି ପରିପ୍ରେକ୍ଷୀରେ ପ୍ରକଳ୍ପ ଆଗେଇବା ନେଇ ସମ୍ଭାବନା ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର