ନାଲ୍‌କୋ, ବେଦାନ୍ତ, ହିଣ୍ଡାଲ୍‌କୋ ମାମଲା ଶୁଣାଣିରେ ପୂର୍ଣ୍ଣଚ୍ଛେଦ: ମିଳିତ ବୈଠକରେ ଗୃହୀତ ପ୍ରସ୍ତାବ କାର୍ଯ୍ୟକାରୀ ପାଇଁ ନିର୍ଦ୍ଦେଶ

କଟକ : ହାଇକୋର୍ଟ ନାଲ୍‌କୋ ଏବଂ ବେଦାନ୍ତ ଓ ହିଣ୍ଡାଲ୍‌କୋ ମାମଲା ଶୁଣାଣିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ଏଥିସହିତ, ମିଳିତ ବୈଠକ ନିଷ୍ପତ୍ତି କାର୍ଯ୍ୟକାରୀ ଉପରେ ଗୁରୁତ୍ବାରୋପ କରିଛନ୍ତି।

ଆଜି ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ୍‌ ଏସ୍‌. ମୁରଲୀଧର ଓ ଜଷ୍ଟିସ୍‌ ଆର୍‌.କେ. ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଉଭୟ ମାମଲାର ଶୁଣାଣି ହୋଇଥିଲା। ନାଲ୍‌କୋ ମାମଲାର ଶୁଣାଣି ସମୟରେ ନାଲ୍‌କୋ ଅଫିସର୍ସ ଆସୋସିଏସନ୍, ନାଲ୍‌କୋ ଓ ମହାନଦୀ କୋଲ ଫିଲଡ୍‌ସ୍ ଲିମିଟେଡ୍‌ (ଏମ୍‌ସିଏଲ୍‌) ତରଫରୁ ପୃଥକ୍‌ ସତ୍ୟପାଠ ଦାଖଲ ହୋଇଥିଲା। ଏପ୍ରିଲ ୨୭ରୁ ମେ ୧୦ ଭିତରେ ନାଲ୍‌କୋର ଅନୁଗୁଳସ୍ଥିତ କ୍ୟାପଟିଭ୍ ପାୱାର୍‌ ପ୍ଲାଣ୍ଟ (ସିପିପି) ୟୁନିଟ୍‌କୁ ହାରାହାରି ପ୍ରତିଦିନ ୧୭,୭୫୩ ମେଟ୍ରିକ୍‌ ଟନ୍ କୋଇଲା ଯୋଗାଣ ହୋଇଥିବା ଏଥିରୁ ସ୍ପଷ୍ଟ ହୋଇଥିଲା। ମେ ୫ରୁ କୋଇଲା ଯୋଗାଣ ହ୍ରାସ ପାଇଛି। ମେ ୧୦ରେ ଆବଶ୍ୟକ ଥିବାବେଳେ ୧୮ହଜାର ମେଟ୍ରିକ୍ ଟନ୍ କୋଇଲା ବଦଳରେ ଅନୁଗୁଳସ୍ଥିତ ସିପିପି ୮୯୯୪ ମେଟ୍ରିକ ଟନ୍ କୋଇଲା ପାଇଥିଲା। ମିଳିତ ବୈଠକରେ ଗୃହୀତ ପ୍ରସ୍ତାବ କାର୍ଯ୍ୟକାରୀ ସପକ୍ଷରେ ପାଇଁ ନାଲ୍‌କୋ ଓ ଆବେଦନକାରୀ ଯୁକ୍ତି ଦର୍ଶାଇଥିଲେ। ମିଳିତ ବୈଠକରେ ଗୃହୀତ ପ୍ରସ୍ତାବ କାର୍ଯ୍ୟକାରୀ ଉପରେ ହାଇକୋର୍ଟ ଗୁରୁତ୍ବାରୋପ କରିବା ସହିତ ଏଭଳି ସ୍ଥିତିରେ ମାମଲାରେ ଆଉ କୌଣସି ନିର୍ଦ୍ଦେଶ ପ୍ରଦାନର ଆବଶ୍ୟକତା ନାହିଁ ବୋଲି କହିଛନ୍ତି। ଏଥିସହିତ ହାଇକୋର୍ଟ ମାମଲା ଶୁଣାଣିରେ ଅନ୍ତ ଘଟାଇଛନ୍ତି। ଆବେଦନକାରୀ ନାଲ୍‌କୋ ଅଫିସର୍ସ ଆସୋସିଏସନ୍ ତରଫରୁ ଆଇନଜୀବୀ ସୁବୀର ପାଲିତ୍‌ ମାମଲା ପରିଚାଳନା କରୁଥିବା ବେଳେ ଆଇନଜୀବୀ ଅମିତାଭ ମିଶ୍ର ସହାୟତା କରୁଥିଲେ।

ଏଥିସହିତ, ଆଲୁମିନିୟମ୍‌ ଶିଳ୍ପକୁ କୋଇଲା ଯୋଗାଣ ହ୍ରାସ ପ୍ରସଂଗକୁ ନେଇ ଦାୟର ସମସ୍ତ ଚାରିଟି ମାମଲାର ଶୁଣାଣିରେ ହାଇକୋର୍ଟ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ଆଜି ମାମଲାର ଶୁଣାଣି ସମୟରେ କେନ୍ଦ୍ର ସରକାରଙ୍କ ତରଫରୁ ଦର୍ଶାଯାଇଥିଲା ଯେ ହାଇକୋର୍ଟଙ୍କ ମେ ୨ ନିର୍ଦ୍ଦେଶ ପାଳନ କରି ଅନୁଷ୍ଠିତ ‌ଯୁଗ୍ମ ବୈଠକରେ ବେଦାନ୍ତ ଲିମିଟେଡ୍‌, ହିଣ୍ଡାଲ୍‌କୋ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍‌ (ଏଚ୍‌ଆଇଏଲ୍‌) ଓ ଉତ୍କଳ ଆଲୁମିନିୟମ୍‌ ଇଣ୍ଟରନ୍ୟାସନାଲ୍‌ ଲିମିଟେଡ୍‌ (ୟୁଏଆଇଏଲ୍‌)କୁ କୋଇଲା ଯୋଗାଣ ପ୍ରସଂଗରେ କେତେକ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଆଲୁମିନିୟମ୍‌ ଶିଳ୍ପ ସମେତ ଅଣଶକ୍ତି କ୍ଷେତ୍ରକୁ ଆବଶ୍ୟକ କୋଇଲା ଯୋଗାଣ ପାଇଁ ଉଦ୍ୟମ କରାଯିବ। ଯଦି ରୢାକ୍ ଉପଲବ୍ଧ ନ ହୁଏ ତେବେ ସଡ଼କ ପଥରେ କୋଇଲା ଯୋଗାଣ କରାଯିବ ବୋଲି ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ରେଲୱେ ବୋର୍ଡ ଅଧ୍ୟକ୍ଷ, ‌କେନ୍ଦ୍ର ଖଣି ସଚିବ, କୋଇଲା ସଚିବ, ଶକ୍ତି ସଚିବ ଓ ମହାନଦୀ କୋଲ ଫିଲ୍ଡସ୍ ଲିମିଟେଡ୍‌ (ଏମ୍‌ସିଏଲ୍‌) ପ୍ରତିନଧିଙ୍କ ସହିତ ବେଦାନ୍ତ, ହିଣ୍ଡାଲ୍‌କୋ, ୟୁଏଆଇଏଲ୍‌ ଓ ଅନ୍ୟ ଦୁଇ ଆବେଦନକାରୀ ମିଳିତ ବୈଠକରେ ସାମିଲ ହୋଇଥିଲେ। ଏହି ବୈଠକରେ କିନ୍ତୁ ଶିଳ୍ପ ସଂସ୍ଥାର କୋଇଲା ସମସ୍ୟା ଦୂର ହୋଇ ନାହିଁ ବୋଲି ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିଲା। କୋଇଲା ପରିବହନ ପାଇଁ ରେଳବାଇ ତରଫରୁ ‌ରୢାକ୍ ଉପଲବ୍ଧ ନ ହେବା ସମସ୍ୟା ପ୍ରସଂଗରେ ହାଇକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଦୁଇ ଆଲୁମିନିୟମ୍‌ ଶିଳ୍ପକୁ କୋଇଲା ଯୋଗାଣ ପ୍ରସଂଗରେ ବୈଠକରେ ଗ୍ରହଣ କରାଯାଇଥିବା ପ୍ରସ୍ତାବ କାର୍ଯ୍ୟକାରୀ ପାଇଁ ହାଇକୋର୍ଟ କହିଛନ୍ତି। ବୈଠକରେ ଗ୍ରହଣ କରାଯାଇଥିବା ପ୍ରସ୍ତାବ ଆଧାରରେ ନିର୍ଦ୍ଦିଷ୍ଟ ଦାବି ପୂରଣ ପାଇଁ କମ୍ପାନି ଚାହିଁଲେ ସଂପୃକ୍ତ ମନ୍ତ୍ରାଳୟ ଦ୍ବାରସ୍ଥ ହୋଇପାରିବେ। ଏହାବାଦ୍‌ ଏହି ମାମଲାରେ ଆଉ କୌଣସି ନିର୍ଦ୍ଦେଶ ଦେବାକୁ ହାଇକୋର୍ଟ ମନା କରିବା ସହିତ ଏ ସଂପର୍କିତ ଚାରିଟି ଆବେଦନର ଶୁଣାଣିରେ ଅନ୍ତ ଘଟାଇଛନ୍ତି।

ସମ୍ବନ୍ଧିତ ଖବର