ଯୋଡ଼ା : କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ୍ ଅନ୍ତର୍ଗତ ନମ୍ବିରା ଗ୍ରାମରେ ଜିଓଲୋଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆ (ଜିଏସ୍ଆଇ) ପକ୍ଷରୁ ୧୯୭୬ ମସିହାରେ ଚିହ୍ନଟ ହୋଇଥିବା ପିଲୋଲାଭା ଉଦ୍ଗିରଣସ୍ଥଳକୁ ଜିଓ ହେରିଟେଜ୍ ଅଞ୍ଚଳ ମାନ୍ୟତା ମିଳିସାରିଛି। ଏହାକୁ ପର୍ଯ୍ୟଟନସ୍ଥଳ ଭାବେ ବିକାଶ କରିବା ପାଇଁ ଜିଓଲୋଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆ ଆଜି ଘୋଷଣା କରିଛି।
ଜିଏସ୍ଆଇର ଡେପୁଟି ଡାଇରେକ୍ଟର ଜେନେରାଲ ଶୈବାଳ ଚନ୍ଦ୍ର ମିତ୍ର, ଡାଇରେକ୍ଟର କେ.କେ. ନାୟକ, କେନ୍ଦୁଝର ଡିଏଫ୍ଓ ଏଚ୍ଡି ଧନରାଜ୍, ଭୂତତ୍ତ୍ଵବିତ୍ ହିମାଂଶୁ ପାତ୍ରଙ୍କ ଉପସ୍ଥିତରେ ନମ୍ବିରାରେ ଆଜି ଏକ ବୈଠକ ହୋଇଥିଲା। ଏହି ବୈଠକରେ କୁହାଯାଇଛି ଯେ, ୩.୨୨ ମିଲିଅନ୍ ବର୍ଷ ପୂର୍ବରୁ ନମ୍ବିରା ଅଞ୍ଚଳ ଏକ ବିଶାଳ ସମୁଦ୍ର ଥିଲା। ସମୁଦ୍ର ଗର୍ଭରେ ଥିବା ଆଗ୍ନେୟଗିରି ବିସ୍ଫୋରଣରେ ପିଲୋଲାଭା ଉଦ୍ଗିରଣ ହୋଇଥିଲା। ୧୯୭୬ରେ ଜିଏସ୍ଆଇ ପକ୍ଷରୁ ଟାଟା କମ୍ପାନି ସୋହଯୋଗରେ ଉକ୍ତ ଅଞ୍ଚଳକୁ ଜିଏସ୍ଆଇର ଏକ ଗବେଷଣା ସ୍ଥାନ ଭାବେ ପରିଗଣିତ କରାଯାଇଥିଲା। ୧୯୪୨ ମସିହାରେ ଏହି ସ୍ଥାନକୁ ବ୍ରିଟେନର ଭୂବୈଜ୍ଞାନିକ ଜୋନ୍ସ ଓ କ୍ୟାନସ ଆବିଷ୍କାର କରିଥିଲେ। ୨୦୨୨ରେ କେନ୍ଦ୍ର ସରକାର ଜିଏସ୍ଆଇ ଦ୍ବାରା ଚିହ୍ନଟ ହୋଇଥିବା ୯୦ଟି ସ୍ଥାନକୁ ଜିଓ ହେରିଟେଜ୍ ମାନ୍ୟତା ଦେଇଥିଲେ। ଭୂତତ୍ତ୍ବବିତ୍ମାନଙ୍କର ଗବେଷଣା ସମେତ ଏହି ଅଞ୍ଚଳକୁ ପର୍ଯ୍ୟଟନସ୍ଥଳ ଭାବେ ବିକାଶ କରିବାପାଇଁ ଏକ ବିଲ୍ ଆଗତ ହୋଇଛି। ରାଜ୍ୟସଭା ଓ ଲୋକସଭାରେ ଏହି ବିଲ୍କୁ ଅନୁମୋଦନ ମିଳିବା ପରେ ଏହା କାର୍ଯ୍ୟକାରୀ କରାଯିବ ବୋଲି ଉପସ୍ଥିତ ଅଧିକାରୀମାନେ କହିଥିଲେ।
ଏହି ବୈଠକରେ ଭୂତତ୍ତ୍ବବିଜ୍ଞାନ ପଢ଼ୁଥିବା ବଡ଼ବିଲ ମହାବିଦ୍ୟାଳୟର ବହୁ ଛାତ୍ରଛାତ୍ରୀ ଯୋଗଦେଇଥିଲେ। ମହାବିଦ୍ୟାଳୟର ପ୍ରାଧ୍ୟାପକ ପ୍ରଫୁଲ୍ଲ କୁମାର ପଣ୍ଡା ଛାତ୍ରଛାତ୍ରୀଙ୍କୁ ଲାଭା ଉଦ୍ଗିରଣ ସମ୍ପର୍କରେ ବୁଝାଇଥିଲେ। ଏହାର ଆକାର ପିଲୋ (ତକିଆ) ପରି ହୋଇଥିବାରୁ ଏହାକୁ ପିଲୋ ଲାଭା କୁହାଯାଉଥିବା ଜିଏସ୍ଆଇ ଅଧିକାରୀମାନେ ସ୍ପଷ୍ଟ କରିଥିଲେ। ଓଡ଼ିଶାର ଯୋଡ଼ା ବ୍ଲକ୍ ନମ୍ବିରା ଓ କର୍ଣ୍ଣାଟକର ମାରାଡିହାଲି ଜିଓ ହେରିଟେଜ୍ର ସର୍ବପୁରାତନ ସ୍ଥାନ ବୋଲି ଜିଏସ୍ଆଇର ଡେପୁଟି ଡାଇରେକ୍ଟର ଶ୍ରୀ ମିତ୍ର କହିଥିଲେ। ଉଦ୍ଗିରଣରୁ ବାହାରିଥିବା ଲାଭା ମୁଗୁନିପଥର ବା ବାସାଲଟ୍ ବୋଲି ଜିଏସ୍ଆଇ ଅଧିକାରୀମାନେ ସୂଚନା ଦେଇଥିଲେ।
ଡିଏଫ୍ଓ ଏଚ୍ଡି ଧନରାଜ କହିଥିଲେ, ଜିଓ ହେରିଟେଜ୍ ଅଞ୍ଚଳ ପର୍ଯ୍ୟଟନସ୍ଥଳରେ ପରିଣତ ହେଲେ ଏହି ଅଞ୍ଚଳର ବିକାଶ ସାଙ୍ଗକୁ ଲୋକଙ୍କ ଜୀବିକା ଉପାର୍ଜନର ଉତ୍ସ ହୋଇପାରିବ। ଏହାଛଡ଼ା ଅନ୍ତର୍ଜାତୀୟ ସ୍ତରରେ ଯୋଡ଼ା ବ୍ଲକ୍ର ନମ୍ବିରା ଗ୍ରାମ ଖ୍ୟାତି ଅର୍ଜନ କରିବ। ଉଦ୍ଗିରଣ ପରେ ବାହାରିଥିବା ଲାଭାକୁ ଭୂତତ୍ତ୍ଵବିତ୍ଙ୍କ ଭାଷାରେ ରିଫ୍ଟିଂ ମେକାନିଜିମ୍ ବୋଲି କୁହାଯାଏ। ୟୁନେସ୍କୋ ଦ୍ବାରା କରାଯାଇଥିବା କାର୍ଯ୍ୟକ୍ରମରେ ଭାରତ ଅଂଶଗ୍ରହଣ କରି ଦେଶରେ ଜିଏସ୍ଆଇ ଦ୍ଵାରା ଚିହ୍ନଟ ସମସ୍ତ ସ୍ଥାନକୁ ସଂରକ୍ଷିତ ଓ ସୁରକ୍ଷିତ ରଖିବପାଇଁ ପ୍ରତିଶ୍ରୁତି ଦେଇଥିଲା। ପରବର୍ତ୍ତୀ ସମୟରେ ରକ୍ଷଣାବେକ୍ଷଣ ଅଭାବରୁ ଏହି ସ୍ଥାନ ଗୁଡ଼ିକ ପରିତ୍ୟକ୍ତ ଅବସ୍ଥାରେ ପଡ଼ିଥିଲା। ବର୍ତ୍ତମାନ କେନ୍ଦ୍ର ସରକାରଏହାକୁ ଜିଓ ହେରିଟେଜ୍ ସାଇଟ୍ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହା ହେଲେ ୧୦୦ ମିଟର ପରିଧିକୁ ନିଷିଦ୍ଧାଞ୍ଚଳ ଓ ୨୦୦ ମିଟର ପର୍ଯ୍ୟନ୍ତ ନିୟନ୍ତ୍ରିତ ଅଞ୍ଚଳ କରାଯିବ ବୋଲି ଜିଏସ୍ଆଇ ଡାଇରେକ୍ଟର କେ.କେ. ନାୟକ ସୂଚନା ଦେଇଛନ୍ତି।