ନାମ ବଦଳିଲା, ସଙ୍କଟ ଟଳିଲାନି
ସଂସ୍କୃତି ବିଭାଗର ବିଚିତ୍ର ସ୍ଥିତି, କର୍ମଚାରୀ ଅଭାବ ଗୁରୁତର, ୧୨ ବର୍ଷ ହେଲା ଗୋଟିଏ ଛାତ ତଳକୁ ଆସିପାରୁନି ବିଭାଗ
ଭୁବନେଶ୍ୱର: ରାଜ୍ୟ ସରକାର ସଂସ୍କୃତି ବିଭାଗର ନାମ ବଦଳାଇଦେଲେ। କିନ୍ତୁ ବିଭାଗର ଆଭ୍ୟନ୍ତରୀଣ ସଙ୍କଟ ଟଳିଲାନି। ବରଂ ଆହୁରି ଗୁରୁତର ଆକାର ଧାରଣ କରିଛି ସ୍ଥିତି। କର୍ମଚାରୀ ଅଭାବ ଯୋଗୁଁ ବିଭାଗ ସ୍ଥାଣୁ ପାଲଟିଯିବାକୁ ବସିଛି। ଅପର ପକ୍ଷରେ ୧୨ ବର୍ଷ ତଳେ ସଂସ୍କୃତି ବିଭାଗ ଓ ସଂସ୍କୃତି ନିର୍ଦେଶାଳୟକୁ ମିଶାଇ ଗୋଟିଏ ‘କମ୍ପୋଜିଟ୍ ଡିପାର୍ଟମେଣ୍ଟ୍’ କରିବା ପାଇଁ ସାଧାରଣ ପ୍ରଶାସନ ବିଭାଗ ନିର୍ଦେଶ ଦେଇଥିଲେ ବି ତାହା କାର୍ଯ୍ୟକାରୀ ହୋଇପାରୁନି। ଖାସ୍ ଏଇଥି ପାଇଁ ବିଭାଗରେ ସମସ୍ୟା ଉତ୍କଟ ଆକାର ଧାରଣ କରୁଛି। ସଚିବାଳୟରେ ସଂସ୍କୃତି ବିଭାଗ ରହିଥିଲେ ବି ବାସ୍ତବରେ ସବୁ କାମ ସଂସ୍କୃତି ନିର୍ଦ୍ଦେଶାଳୟରେ ହିଁ କରାଯାଏ। ନିର୍ଦ୍ଦେଶାଳୟ ପାଇଁ ୧୧ଟି ବରିଷ୍ଠ ସହାୟକ ଓ ୭ଟି କନିଷ୍ଠ ସହାୟକ ପଦବି ମଞ୍ଜୁର ହୋଇଥିଲା। ନିର୍ଦ୍ଦେଶାଳୟରେ କାମ ଚାପ ବଢ଼ିଥିଲେ ବି ଏହି ୧୮ଟି ପଦବି ମଧ୍ୟରୁ ୧୫ଟି ଉଚ୍ଛେଦ କରାଯାଇଛି। ଏବେ ମାତ୍ର ୩ ଜଣ ବରିଷ୍ଠ ସହାୟକ କାର୍ଯ୍ୟ କରୁଛନ୍ତି। ଚଳଚ୍ଚିତ୍ର ସମ୍ମାନ, ଅନୁଦାନ, ପେନ୍ସନ୍, କ୍ଷେତ୍ର ପରିଚାଳନା, ରାଜା ରାମମୋହନ ରାୟ ଲାଇବ୍ରେରି, କେନ୍ଦ୍ର ସରକାରଙ୍କ ଯୋଜନା ରୂପାୟନ ଆଦି ୯ଟି ଶାଖା ଏଠାରେ କାର୍ଯ୍ୟ କରୁଛି। ମାତ୍ର ତିନି ଜଣ ବରିଷ୍ଠ ସହାୟକଙ୍କ ହାତରେ ସବୁ ଦାୟିତ୍ୱ ଛାଡ଼ିଦିଆଯାଇଛି। ଏହା ବାଦ୍ ନିର୍ଦ୍ଦେଶାଳୟରେ ଏଏସ୍ଓ ଓ ସହାୟକ ନିର୍ଦ୍ଦେଶକ ପଦବି ରହିଛି। ଗତ ୨୮ ତାରିଖରେ ସହାୟକ ନିର୍ଦ୍ଦେଶକ ଅବସର ଗ୍ରହଣ କରିଥିଲା ବେଳେ ଏଏସ୍ଓଙ୍କୁ ନିର୍ଦ୍ଦେଶାଳୟରୁ ବିଭାଗକୁ ସ୍ଥାନାନ୍ତର କରାଯାଇଛି। ସଂପୃକ୍ତ ଏଏସ୍ଓ ପେନ୍ସନ୍ ଓ ଅନୁଦାନ ଶାଖା ସମ୍ଭାଳୁଥିଲେ। ତାଙ୍କର ସ୍ଥାନାନ୍ତର ପରେ ସେଠାରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ଦୂରଦୂରାନ୍ତରୁ ପେନ୍ସନ୍ ଓ ଅନୁଦାନ କାମରେ ଆସୁଥିବା ଲୋକମାନେ ନିର୍ଦ୍ଦେଶାଳୟରେ ଚକ୍କର କାଟି ଫେରୁଛନ୍ତି। ତାଙ୍କ କାମ ହେବା ତ ଦୂରର କଥା, କାହା ଠାରୁ ଉତ୍ତର ବି ପାଉ ନାହାନ୍ତି। ସଂସ୍କୃତି ବିଭାଗ ଓ ନିର୍ଦ୍ଦେଶାଳୟ ଗୋଟିଏ ହୋଇଥିଲା ବେଳେ କର୍ମଚାରୀଙ୍କ ସ୍ଥାନାନ୍ତର କ’ଣ ଆବଶ୍ୟକତା ପଡ଼ୁଛି, ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ସଂସ୍କୃତି ବିଭାଗ ଓ ସଂସ୍କୃତି ନିର୍ଦେଶାଳୟକୁ ମିଶାଇ ଗୋଟିଏ ‘କମ୍ପୋଜିଟ୍ ଡିପାର୍ଟମେଣ୍ଟ୍’ କରିବା ପାଇଁ ୨୦୦୬ ନଭେମ୍ବର ମାସରେ ସାଧାରଣ ପ୍ରଶାସନ ବିଭାଗ ନିର୍ଦେଶ ଦେଇଥିଲା। ପର୍ଯ୍ୟଟନ ବିଭାଗ ଢ଼ାଞ୍ଚାରେ ସଂସ୍କୃତି ବିଭାଗ କାର୍ଯ୍ୟ କରିବ ବୋଲି କୁହାଯାଇଥିଲା। ଯେପରି ପର୍ଯ୍ୟଟନ ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀ କେବଳ ‘ପର୍ଯ୍ୟଟନ ଭବନ’ରେ ବସୁଛନ୍ତି, ସେହିପରି ସଂସ୍କୃତି ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀ କେବଳ ‘ସଂସ୍କୃତି ଭବନ’ରେ ବସିବା ପାଇଁ ନିର୍ଦେଶ ଥିଲା। ଉଦ୍ଦେଶ୍ୟ ହେଲା, ଏହା ଦ୍ୱାରା ବିଭାଗର କାର୍ଯ୍ୟ ସୁରୁଖୁରୁରେ ସମ୍ପାଦନ ହୋଇପାରିବ।
ଏହା ମଧ୍ୟରେ ୧୨ ବର୍ଷ ବିତିଯାଇଥିଲେ ବି ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହୋଇପାରୁନି। ସଂସ୍କୃତି ଭବନରେ ନିର୍ଦେଶକଙ୍କ ସହ କର୍ମଚାରୀମାନେ ବସୁଛନ୍ତି। କିନ୍ତୁ ସଚିବାଳୟରେ ଏବେ ବି ସଂସ୍କୃତି ବିଭାଗ କାର୍ଯ୍ୟ କରୁଛି। ନିର୍ଦେଶକ ତଥା ଅତିରିକ୍ତ ସଚିବଙ୍କ ପାଇଁ ସଚିବାଳୟରେ ପ୍ରକୋଷ୍ଠ ଥିଲା ବେଳେ ଜଣେ ଯୁଗ୍ମ ସଚିବ, ଜଣେ ଉପ ସଚିବ ଓ ଜଣେ ଅନୁ ସଚିବଙ୍କ ସମେତ ତିନି ଚାରି ଜଣ କର୍ମଚାରୀ ବି ବସୁଛନ୍ତି। ସଂସ୍କୃତି ଭବନରେ ଏହି କର୍ମଚାରୀମାନେ ବସିବା ପାଇଁ ଯଥେଷ୍ଟ ଜାଗା ଥିଲା ବେଳେ ସେମାନଙ୍କୁ କାହିଁକି ସଚିବାଳୟରେ ବସାଯାଉଛି, ତାହା ବୁଝାପଡ଼ୁ ନାହିଁ। ସଂସ୍କୃତି ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଏପରି ଭାଗ ଭାଗ ହୋଇ ବସୁଥିବାରୁ ଫାଇଲ୍ ନେବା, ଆଣିବାରେ ଅଯଥା ସମୟ ଯାଉଛି। କୌଣସି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ପାଇଁ ଅଧିକାରୀମାନଙ୍କୁ ଅଯଥାରେ ଏପଟ, ସେପଟ ହେବାକୁ ପଡ଼ୁଛି। ବିଭାଗୀୟ କାର୍ଯ୍ୟରେ ଭୀଷଣ ସମସ୍ୟା ସୃଷ୍ଟି ହେଉଛି। ଏତେ ସମସ୍ୟା ସତ୍ତ୍ୱେ ହାତଗଣତି କିଛି ଅଧିକାରୀ ଓ କର୍ମଚାରୀଙ୍କୁ ସଂସ୍କୃତି ଭବନରେ ବସାଇବାକୁ କିଏ ରୋକ୍ ଲଗାଉଛି, ତାହା ବୁଝାପଡ଼ୁ ନାହିଁ। ଖୋଦ୍ ସଚିବାଳୟରେ ସରକାରଙ୍କ ଏକ ନିର୍ଦେଶକୁ ବାର ବର୍ଷ ମଧ୍ୟରେ ସଂସ୍କୃତି ବିଭାଗ କାର୍ଯ୍ୟକାରୀ କରି ନ ପାରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ତେଣୁ ଏତିକି କାମ ହୋଇପାରୁ ନ ଥିବା ବିଭାଗରେ କେବଳ ନାମ ପରିବର୍ତ୍ତନ କରିଦେଲେ ସ୍ଥିତି ବଦଳିଯିବ, ତାହାର ସମ୍ଭାବନା କମ୍।