ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟକୁ ମହାରାଜାଙ୍କ ନାମରେ ନାମିତ କରିବା ମୟୂରଭଞ୍ଜ ପାଇଁ ଏକ ଐତିହାସିକ ଦିନ: ବିଜେଡି

ମହାରାଜା ଶ୍ରୀରାମଚନ୍ଦ୍ରଙ୍କ ସମ୍ମାନ ପାଇଁ ରାଜ୍ୟ ସରକାର ସର୍ବଦା ତତ୍ପର

ବାରିପଦା: ଭଞ୍ଜମାଟିରେ ସୁବର୍ଣ୍ଣଯୁଗର ପ୍ରବର୍ତ୍ତକ ତଥା ବିକାଶର ଭାଷାକୁ ଦଶନ୍ଧି ଦଶନ୍ଧି ପୂର୍ବରୁ ବୁଝିଥିବା ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କୁ ସ୍ମୃତିରେ ରାଜ୍ୟ ସରକାର ଆଜି ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟକୁ ‘ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟ’ ଭାବେ ନାମିତ କରିଛନ୍ତି। ଯାହାକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗୁଣଗ୍ରାହୀ ବ୍ୟକ୍ତିତ୍ବଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଓ ସମ୍ମାନର ପ୍ରତିବଦ୍ଧତା। ଚଳିତ ବର୍ଷ ହେଉଛି ମହାରାଜାଙ୍କ ୧୫୦ତମ ଜନ୍ମ ଜୟନ୍ତୀ ।

ଏହି ଅବସରରେ ଚଳିତ ମାସ ୧୭(ମହାରାଜାଙ୍କ ଜନ୍ମଦିନ) ଅବସରରେ ଜିଲ୍ଲା ବିଜେଡି ପକ୍ଷରୁ ମହାରାଜାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟର ନାମ ପରିବର୍ତ୍ତନ ଏବଂ ଶ୍ରୀରାମଚନ୍ଦ୍ର ପାଠାଗାର(ଜୁବୁଲି ଲାଇବ୍ରେରୀ)ର ସାମଗ୍ରୀ ଉନ୍ନତୀକରଣ ନିମନ୍ତେ ଏକ ରିଜୋଲ୍ୟୁସନ କରି ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଇଥିଲେ। ମାତ୍ର ୪୮ ଘଣ୍ଟା ମଧ୍ୟରେ ମୁଖ୍ୟମନ୍ତ୍ରୀ ବିଜେଡିର ରାଜ୍ୟ କାଉନ୍‌ସିଲ ବୈଠକରେ ଏହି ପ୍ରସ୍ତାବକୁ ଅନୁମୋଦନ କରିଥିଲେ। ଯାହାକି ମୟୂରଭଞ୍ଜ ପ୍ରତି ମୁଖ୍ୟମନ୍ତ୍ରୀଙ୍କର ଥିବା ଭଲପାଇବାର ଚରମ ନିଦର୍ଶନ ବୋଲି ରାଜ୍ୟସଭା ସାଂସଦ ତଥା ବିଜେଡି ରାଷ୍ଟ୍ରୀୟ ମୁଖପାତ୍ର ସସ୍ମିତ ପାତ୍ର ପ୍ରକାଶ କରିଛନ୍ତି। ଆଜି ରାଜ୍ୟ ସରକାର ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟର ନାମ ପରିବର୍ତ୍ତନ ସହିତ ଜୁବୁଲୀ ଲାଇବ୍ରେରୀର ଉନ୍ନତୀକରଣ ନେଇ ନିଷ୍ପତି ନେଇସାରିଲା ପରେ ସ୍ଥାନୀୟ ଦଳୀୟ କାର୍ଯ୍ୟାଳୟରେ ଶ୍ରୀ ପାତ୍ର କରିଥିବା ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଫୋକସ୍‌ରେ ମୟୂରଭଞ୍ଜ ରହିଥିବା ଦୃଢ଼ୋକ୍ତି ପ୍ରକାଶ କରିଥିଲେ।

ପ୍ରଥମ ଥର ପାଇଁ ଏପରି ନିଷ୍ପତିରେ ରାଜ୍ୟ ସ୍ତରରେ ସାମ୍ବାଦିକ ସମ୍ମିଳନୀ ପରିବର୍ତ୍ତେ ବାରିପଦାରେ କରାଯାଉଛି। ଯାହାକି ଜିଲ୍ଲାପ୍ରତି ରାଜ୍ୟ ସରକାର ଏବଂ ମୁଖ୍ୟମନ୍ତ୍ରୀ ତଥା ବିଜେଡି ମୁଖିଆଙ୍କର ଭଲପାଇବାର ପ୍ରତିଫଳନ ବୋଲି ଶ୍ରୀ ପାତ୍ର ପ୍ରକାଶ କରିଛନ୍ତି। ଜଣେ ପ୍ରଜାବତ୍ସଳ ତଥା ବିଭିନ୍ନ କ୍ଷେତ୍ରରେ ଅବର୍ଣ୍ଣନନୀୟ ଅବଦାନ ରଖିଥିବା ମହାରାଜା ଶ୍ରୀରାମଚନ୍ଦ୍ରଙ୍କ ୧୫୦ତମ ଜନ୍ମ ଜୟନ୍ତୀ ପାଳନ ନିମନ୍ତେ ବିଜେଡି ପକ୍ଷରୁ ଆଡ଼ମ୍ବରପୂର୍ଣ୍ଣ କାର୍ଯ୍ୟକ୍ରମମାନ ପୁରା ଜିଲ୍ଲାରେ ଅନୁଷ୍ଠିତ ହେବ। ଏପରିକି ବ୍ଲକ୍‌ରୁ ପଞ୍ଚାୟତସ୍ତର ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଜାରି ରହିବବୋଲି ଶ୍ରୀ ପାତ୍ର ସୂଚନା ଦେଇଥିଲେ।

ମହାରାଜାଙ୍କ ୧୫୦ତମ ଜନ୍ମ ଜୟନ୍ତୀ ପାଳନ ନିମନ୍ତେ ବିଜେଡି ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେବାନେଇ ସେ ସୂଚନା ଦେଇଥିଲେ। ସେହିପରି ଜୁବୁଲୀ ଲାଇବ୍ରେରୀର ପୁନଃନବୀକରଣ‌ ନେଇ ଅର୍ଥ କୌଣସି ପ୍ରକାର ବାଧକ ହେବ ନାହିଁ ବୋଲି ରାଜସ୍ବ ମନ୍ତ୍ରୀ ତଥା ବିଜେଡି ଜିଲ୍ଲା ସଭାପତି ସୁଦାମ ମାର୍ଣ୍ଡି ପ୍ରକାଶ କରିଥିଲେ। ମୁଖ୍ୟମନ୍ତ୍ରୀ ମହାରାଜାଙ୍କ ନାମରେ ବାରିପଦାରେ ଅବସ୍ଥିତ ବିଶ୍ବବିଦ୍ୟାଳୟକୁ ନାମିତ କରି ଜିଲ୍ଲାର ଗୌରବ ବୃଦ୍ଧି କରିଛନ୍ତି ବୋଲି ଶ୍ରୀ ମାର୍ଣ୍ଡି ପ୍ରକାଶ କରିଥିଲେ। ଏହା ଏକ ଐତିହାସିକ ଦିନ ବୋଲି ମତପ୍ରକାଶ ପାଇଥିଲା। ଏହି ଅବସରରେ ରାଜ୍ୟସଭା ସାଂସଦ ମମତା ମହାନ୍ତ, କୃଷିଶିଳ୍ପ ନିଗମ ଅଧ୍ୟକ୍ଷ ଦେବାଶିଷ ମହା ନ୍ତି, ପୂର୍ବତନ ଉପବାଚସ୍ପତି ସାନନ୍ଦ ମାର୍ଣ୍ଡି, ପୂର୍ବତନ ମନ୍ତ୍ରୀ ତଥା ବିଜେଡି ରାଜ୍ୟ ବରିଷ୍ଠ ସାଧାରଣ ସଂପାଦିକ ସରୋଜିନୀ ହେମ୍ବ୍ରମ, ରାଜ୍ୟ ସାଧାରଣ ସଂପାଦକ ଦେବାଶିଷ ମାର୍ଣ୍ଡି, ପୂର୍ବତନ ନଗରପାଳ କୃଷ୍ଣାନନ୍ଦ ମହାନ୍ତି, ଜିଲ୍ଲା ଯୁବ ବିଜେଡି ସଭାପତି ଅରୁଣ କୁମାର ବରାଡ଼, ସୁବ୍ରମଣ୍ୟମ ମହାନ୍ତି, ଜିତେନ୍ଦ୍ର ମହାନ୍ତି, ସ୍ବରୂପ କୁମାର ଦାସ, ଅମର ସେଠୀ, ରାଜୀବ ଜେନା ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର