ଭୋଟ ତାଲିକାରେ ନାହିଁ ନାଁ: ତାତିଲେ ଡଙ୍ଗରିଆ, ଭୋଟ ବାକ୍ସ ଲୁଟିଲେ, ତହସିଲଦାରଙ୍କ ଲିଖିତ ପ୍ରତିଶ୍ରୁତି ପରେ ଫେରିଲା ବାକ୍ସ

କଲ୍ୟାଣସିଂହପୁର: ଭୋଟର ତାଲିକାରେ ନାଁ ନଥିଲା। ଇଚ୍ଛା ସତ୍ତ୍ବେ ଭୋଟ ଦେଇ ପାରିଲେନି ଆଦିମ ଜନଜାତି ଡଙ୍ଗରିଆ। ନିବେଦନ ପରେ ବି ପ୍ରଶାସନ ସ୍ଥାୟୀ ସମାଧାନ କରିବାରେ ବିଫଳ ହେଲା। ଏହାପରେ ଯାହା ହେଲା ସେଥିପାଇଁ ପ୍ରଶାସନକୁ ନାକେଦମ ହେବାକୁ ପଡ଼ିଲା। ନିଜ ଅଧିକାର ସାବ୍ୟସ୍ତ କରିବାକୁ ବୁଥ୍‌ ଭିତରୁ ଭୋଟ ବକ୍ସ ଲୁଟି ନେଇଗଲେ ଡଙ୍ଗରିଆ। ଏମିତି ଅଘଟଣ ଘଟିଛି ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଥାନା ସୁନାଖଣ୍ଡି ପଞ୍ଚାୟତ ଅନ୍ତର୍ଗତ ରାଇଲିମା ଗ୍ରାମରେ। ଉତ୍ତ୍ୟକ୍ତ ଡଙ୍ଗରିଆଙ୍କୁ ୪ ଘଣ୍ଟା ଧରି ବୁଝାସୁଝା କରିବା ପରେ ଭୋଟ ବାକ୍ସକୁ ଫେରାଇ ଆଣିବାରେ ପ୍ରଶାସନ ସକ୍ଷମ ହୋଇଛି। ମତଦାନ ପାଇଁ ଡଙ୍ଗରିଆ ଜିଦ୍‌ ଧରିବା ପରେ ଭୋଟର ତାଲିକା ସଂଶୋଧନ କରି ପୁନଃ ମତଦାନ ନେଇ ପ୍ରଶାସନ ତାରିଖ ଧାର୍ଯ୍ୟ କରିବାକୁ ନିର୍ବାଚନ କମିସନଙ୍କ ଦୃଷ୍ଟି ଆକର୍ଷଣ କରିଛି। ତୃତୀୟ ପର୍ଯ୍ୟାୟରେ ଆଜି ରାୟଗଡ଼ା ଜିଲ୍ଲାର କଲ୍ୟାଣସିଂହପୁର ଓ କାଶୀପୁର ବ୍ଲକ୍‌ ପାଇଁ ମତଦାନ ହୋଇଥିଲା। କାଶୀପୁରର ୩ ଜିଲ୍ଲା ପରିଷଦ ଜୋନ୍‌ ଏବଂ କଲ୍ୟାଣସିଂହପୁରର ୨ ଜିଲ୍ଲା ପରିଷଦ
ଜୋନ୍‌ ଲାଗି ସକାଳ ୭ ଟାରୁ ମତଦାନ ଆରମ୍ଭ ହୋଇଥିଲା।

କଲ୍ୟାଣସିଂହପୁର ବ୍ଲକ୍‌ର ସୁନାଖଣ୍ଡି ପଞ୍ଚାୟତର ରାଇଲିମା ଗ୍ରାମରେ ହୋଇଥିବା ୧୪ ନମ୍ବର ବୁଥ୍‌ରେ ଭୋଟ ଦେବାକୁ ପହଞ୍ଚିଥିଲେ ତଳମୁସୁଡ଼ି ଓ ଉପରମୁସୁଡି ଗ୍ରାମରେ ବସବାସ କରୁଥିବା ଡଙ୍ଗରିଆ। କିନ୍ତୁ ଭୋଟ ତାଲିକାରେ ୫୦ରୁ ଊର୍ଦ୍ଧ୍ବ ଲୋକଙ୍କ ନାଁ ନଥିବାରୁ ବୁଥ୍‌ ଆଗରେ ପ୍ରବଳ ହୋହଲ୍ଲା କରିଥିଲେ ଡଙ୍ଗରିଆ। ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହେବାପରେ ଡଙ୍ଗରିଆଙ୍କୁ ବୁଝାସୁଝା କରିଥିଲା ପ୍ରଶାସନ। ଉକ୍ତ କେନ୍ଦ୍ରରେ ପ୍ରାୟ ୧୨୯ ମତଦାତା ଭୋଟ ଦେବାର ଥିବାବେଳେ ୭୯ ଡଙ୍ଗରିଆ ଭୋଟ ଦେଇଥିଲେ। ତଥାପି ଡଙ୍ଗରିଆଙ୍କ ମନ ବୁଝି ନଥିଲା। ନିଜ ଅଧିକାରକୁ ଯେ କୌଣସି ପ୍ରକାର ହେଉନା କାହିଁ ସାବ୍ୟସ୍ତ କରିବାକୁ ନିଷ୍ପତ୍ତି ନେଇଥିଲେ। ତେଣୁ ମଧ୍ୟାହ୍ନ ପ୍ରାୟ ୧୨ଟାରେ ଡଙ୍ଗରିଆ ଏକାଠି ହୋଇ ମତଦାନ କେନ୍ଦ୍ରକୁ ଘେରି ଚାରିପଟୁ କବାଟ ବନ୍ଦ କରିଥିଲେ। ଏହାପରେ ବୁଥ୍‌ ଭିତରୁ ଭୋଟ ବକ୍ସକୁ ଲୁଟିବା ପରେ ଜଙ୍ଗଲ ରାସ୍ତା ଦେଇ ନେଇ ଯାଇଥିଲେ।
ସୁରକ୍ଷା ଦାୟିତ୍ୱରେ ଥିବା ପୁଲିସ ଓ ସୁରକ୍ଷା କର୍ମୀ ଡଙ୍ଗରିଆଙ୍କ ଏଭଳି କାର୍ଯ୍ୟ ଦେଖି ହଡ଼ବଡ଼େଇ ଯାଇଥିଲେ। ଅନ୍ୟ କୌଣସି ବିକଳ୍ପ ନଥିବାରୁ ଉତ୍ତ୍ୟକ୍ତ ଡଙ୍ଗରିଆଙ୍କୁ ବୁଝାସୁଝା କରିଥିଲେ। କିନ୍ତୁ ଜଙ୍ଗଲ ରାସ୍ତାରେ ଭୋଟ ବକ୍ସକୁ ନେଇ ଚାଲିଯିବା ପରେ ଏସ୍‌ଡିପିଓ ଦିବ୍ୟଜ୍ୟୋତି ଦାଶ, ତହସିଲଦାର ଦେବାଶିଷ କର, ଥାନା ଅଧିକାରୀ ସୁକୁମା ହାଁସଦା ପ୍ରମୁଖ ଡଙ୍ଗରିଆଙ୍କୁ ପୁଣି ବୁଝାସୁଝା କରିଥିଲେ। ଏଥର ଡଙ୍ଗରିଆ ବୁଝିବା ସହ ଲୁଟ୍‌ କରିଥିବା ଭୋଟ ବକ୍ସ ସୁରକ୍ଷିତ ଭାବେ ଫେରିଥିଲା। ଦୁଇ ଗ୍ରାମର ସମସ୍ତ ଲୋକ ପୁଣି ଭୋଟ ଦେବା ପାଇଁ ଡଙ୍ଗରିଆ ଦାବି କରିବା ପରେ ପ୍ରଶାସନ ଏ ନେଇ ନିର୍ବାଚନ କମିସନଙ୍କ ଦୃଷ୍ଟି ଆକର୍ଷଣ କରିଛି। ତୃତୀୟ ପର୍ଯ୍ୟାୟ ଭୋଟ ପାଇଁ  ନିୟମଗିରି ସମେତ ବିଭିନ୍ନ ଅଞ୍ଚଳରେ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା।

ସମ୍ବନ୍ଧିତ ଖବର