ବଦଳିଲା ଜଙ୍ଗଲ ବିଭାଗର ନାମ

ଏଣିକି ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ

୧୧ଟି ପ୍ରସ୍ତାବକୁ କ୍ୟାବିନେଟ୍‌ ମଞ୍ଜୁରି
ନର୍ସିଂ ଶିକ୍ଷା ନିଯୁକ୍ତି ନିୟମାବଳୀରେ ସଂଶୋଧନ
କଳିଙ୍ଗ ଓ ରାଉରକେଲା ହକି ଷ୍ଟାଡିୟମ୍‌ ପାଇଁ ଟେଣ୍ଡରକୁ ଅନୁମୋଦନ

ଭୁବନେଶ୍ବର : କୋଭିଡ ସଂକ୍ରମଣରୁ ରାଜ୍ୟବାସୀଙ୍କୁ ବଞ୍ଚାଇବାକୁ ସଂକଳ୍ପ ନେଲେ ସରକାର। ସୋମବାର ସନ୍ଧ୍ୟାରେ ଭିଡିଓ କନଫରେନ୍‌ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍‌ ବୈଠକରେ ସମସ୍ତଙ୍କୁ ଯେପରି କୋଭିଡ ଟିକାକରଣ କରାଯାଇପାରିବ ସେ ନେଇ ସରକାର ସଂକଳ୍ପ ନେଇଛନ୍ତି। ରାଜ୍ୟରେ ଅକ୍ସିଜେନ୍‌ ପ୍ଲାଣ୍ଟ ପ୍ରତିଷ୍ଠାକୁ ବି ସରକାର ଗୁରୁତ୍ବ ଦେଇଛନ୍ତି। ଏହାସହିତ କ୍ୟାବିନେଟ୍‌ରେ ମୋଟ ଗୋଟିଏ ସଂକଳ୍ପ ଓ ୧୦ଟି ପ୍ରସ୍ତାବକୁ ମଞ୍ଜୁରି ମିଳିଛି। ଜଳବାୟୁ ପରିବର୍ତ୍ତନ ଜନିତ ଦୁର୍ବିପାକ ଲଗାତାର ଲାଗିରହିଛି। ସୁସ୍ଥ ଓ ନିର୍ମଳ ପରିବେଶ ଯୋଗାଇବା ସରକାରଙ୍କ ଲକ୍ଷ୍ୟ। ଏଥିପାଇଁ ସରକାର ଜଙ୍ଗଲ ଓ ପରିବେଶ ବିଭାଗର ନାମ ପରିବର୍ତ୍ତନ କରିଛନ୍ତି। ଏଣିକି ଏହି ବିଭାଗର ନାମ ହେଲା ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ। ଜଙ୍ଗଲ ବିଭାଗର ଏହି ପ୍ରସ୍ତାବକୁ ଆଜି ରାଜ୍ୟ କ୍ୟାବିନେଟ୍‌ ମୋହର ମାରିଛି। ଏହାସହିତ ଓଡ଼ିଶା ନିର୍ସିଂ କଲେଜ୍‌ରେ ନାମ ଲେଖା ଓ ନିଯୁକ୍ତି ନିୟମାବଳୀରେ ମଧ୍ୟ ସଂଶୋଧନ କରାଯାଇଛି।

ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଏକ ଭିଡିଓ ବାର୍ତ୍ତା ଜରିଆରେ କୋଭିଡ ମହାମାରୀକୁ ନିୟନ୍ତ୍ରଣ କରିବା ନେଇ କ୍ୟାବିନେଟ୍‌ ନିଷ୍ପତ୍ତି ସଂକ୍ରାନ୍ତ ସୂଚନା ଦେଇଥିଲେ।

ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଜଳସେଚନ ପାଇଁ କରନାଳି ସୁବିଧା ଥିବା କମାଣ୍ଡ ଅଞ୍ଚଳର ବିକାଶ ଓ ଜଳ ପରିଚାଳନାକୁ ଅଧିକ ଗୁରୁତ୍ବ ଦିଆଯିବ। ଗଭୀର ନଳକୂପ ଯୋଗେ ଭୂତଳ ଜଳକୁ ସୌରଚାଳିତ ପମ୍ପ୍‌ ଜରିଆରେ ଉଠାଇ ଜଳସେଚନ ସୁବିଧା ପହଞ୍ଚି ପାରୁନଥିବା ଅଞ୍ଚଳରେ ଏହା ଉପଲବ୍ଧ କରାଯିବ। ବିଜୁ କୃଷକ ବିକାଶ ଯୋଜନା ଓ ଡିପ୍‌ ବୋରୱେଲ ସେଚ ଯୋଜନା ଜରିଆରେ କାର୍ଯ୍ୟକାରୀ କରାଯିବ।

ବିଶ୍ବ ହକି କପ୍‌ ପ୍ରତିଯୋଗିତା ପାଇଁ ରାଉରକେଲାରେ ପ୍ରସ୍ତୁତ ହେବାକୁ ଥିବା ବିଶ୍ବସ୍ତରୀୟ ହକି ଷ୍ଟାଡିୟମ ଓ ଭୁବନେଶ୍ବରସ୍ଥିତ କଳିଙ୍ଗ ଷ୍ଟାଡିୟମ୍‌ର ଭିତ୍ତିଭୂମି ନିର୍ମାଣ ପାଇଁ ଆହ୍ବାନ କରାଯାଇଥିବା ଟେଣ୍ଡରକୁ କ୍ୟାବିନେଟ୍‌ ମଞ୍ଜୁରି ଦେଇଛି। କିନ୍ତୁ ଏହି ଟେଣ୍ଡର କେଉଁ କମ୍ପାନିକୁ ଦିଆଯାଇଛି ସେ ସମ୍ପର୍କିତ କୌଣସି ସୂଚନା ଦିଆଯାଇ ନାହିଁ।

କୋଭିଡ ରୋଗୀଙ୍କ ପାଇଁ ଅକ୍ସିଜେନ୍‌ ଓ ତରଳ ଅକ୍ସିଜେନ୍‌ ସଙ୍କଟ ପରିପ୍ରେକ୍ଷୀରେ ରାଜ୍ୟ ସରକାର ନୂତନ ତରଳ ମେଡିକାଲ ଅକ୍ସିଜେନ୍‌ ପ୍ଲାଣ୍ଟ, କଣ୍ଟେନର୍‌ ତିଆରି ଉପରେ ଅଧିକ ଜୋର ଦେଇଛନ୍ତି। ଓଡ଼ିଶା ପରିବହନ, ଟ୍ରାଫିକ୍‌ ରେଗୁଲେସନ୍ ୨୦୧୩ ଅଧିନିୟମରେ ସଂଶୋଧନ କରାଯାଇଛି। ରାଜ୍ୟ ସିଭିଲ୍‌ ସର୍ଭିସ୍‌ ସେବାରେ ନିଯୁକ୍ତି ପାଉଥିବା ପୂର୍ବତନ ସାମରିକ କର୍ମଚାରୀଙ୍କ ନିଯୁକ୍ତି ପ୍ରକ୍ରିୟା ଅଧିନିୟମରେ ବି ସରକାର ପରିବର୍ତ୍ତନ କରିଛନ୍ତି। ୨୦୧୭-୧୮ ବର୍ଷ ପାଇଁ ଓଡ଼ିଶା ଲୋକସେବା ଆୟୋଗଙ୍କ ବାର୍ଷିକ ରିପୋର୍ଟକୁ ବିଧାନସଭାରେ ଉପସ୍ଥାପିତ କରିବା ପାଇଁ କ୍ୟାବିନେଟ୍‌ ମଞ୍ଜୁରି ଦେଇଛି। ଏହାସହିତ ରାଜ୍ୟ ଗୃହ ବିଭାଗ ଦ୍ବାରା ପରିଚାଳିତ ବିଭିନ୍ନ ରାଜ୍ୟରେ ଥିବା ଓଡ଼ିଶା ଭବନଗୁଡ଼ିକରେ ଉନ୍ନତ ସେବା ଏବଂ ବୁକିଂ ନିୟମରେ ପରିବର୍ତ୍ତନ କରାଯାଇ ନୂଆ ନିୟମାବଳୀ ପ୍ରସ୍ତୁତ କରିବାକୁ ଗୃହ ବିଭାଗର ପ୍ରସ୍ତାବକୁ କ୍ୟାବିନଟ୍‌ ଅନୁମୋଦନ କରିଛି।

ସମ୍ବନ୍ଧିତ ଖବର