ଭାଲେଣ୍ଟାଇନ୍‌ ଡେ ଆଜି: ପ୍ରେମ କାହାଣୀର ନାଁ ଅଶୋକିଜାନ୍‌

ପୁରୀ : ସେହି ସମ୍ପର୍କ ଯାହା ପ୍ରେମ, ତାହା ବୋଧେ ମାନେନାହିଁ କୌଣସି ସୀମା ସରହଦ। ଦେଖେନି ଜାତି ଅଜାତି। ବେଳେବେଳେ କ୍ଷଣିକ ଆକର୍ଷଣ ପ୍ରେମର ରୂପ ନିଏ। ଯାହା ମଣିଷକୁ ସାତ ଜନ୍ମ ପାଇଁ ବାନ୍ଧିଦିଏ। ଏମିତି ଏକ ନିଆରା ପ୍ରେମ କାହାଣୀର ରୋମିଓ ହେଉଛନ୍ତି ଅଶୋକ ଓ ଜୁଲିଏଟ୍‌ ହେଉଛନ୍ତି ଫ୍ରାନ୍ସର ମହିଳା ଇଜାନ୍‌ ବେଲ୍। ଇଜାନ୍‌ କେବଳ ଅଶୋକଙ୍କ ପ୍ରେମ ବନିଶିରେ ଫସି ନାହାନ୍ତି, ବରଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରେମରେ ବି ଉବୁଟୁବୁ ହେଉଛନ୍ତି। ଖାସ୍‌ ସେଇଥିପାଇଁ ଫ୍ରାନ୍ସ ସହ ସବୁ ବନ୍ଧନକୁ ତୁଟାଇ ଦେଇ ସେ ଶ୍ରୀକ୍ଷେତ୍ର ଚାଲି ଆସିଛନ୍ତି। ପୁରୀ ସଦର କାଶୀହରିପୁରରେ ଘର କରି ସ୍ଥାୟୀ ବାସିନ୍ଦା ସାଜିଛନ୍ତି।

ଅଶୋକ ଓ ଇଜାନ୍‌ଙ୍କ ପ୍ରେମର ଅୟମାରମ୍ଭ ହୋଇଥିଲା ଏକ ଦୁର୍ଘଟଣାରୁ। ଅଶୋକ ଥିଲେ ଅନାଥ। କାଳକ୍ରମେ ଜୀବିକା ନିର୍ବାହ ଲାଗି ସେ ନୂଆଦିଲ୍ଲୀର ଏକ ହୋଟେଲ୍‌ରେ କାମ କରୁଥିଲେ। ଏହି ସମୟରେ ଦିଲ୍ଲୀ ଭ୍ରମଣରେ ଫ୍ରାନ୍ସରୁ ଆସିଥାଆନ୍ତି ଇଜାନ୍‌ ବେଲ୍। ଦୁର୍ଭାଗ୍ୟକୁ ଇଜାନ୍‌ ଏକ ଦୁର୍ଘଟଣାର ଶିକାର ହେଲେ। ଏହି ସମୟରେ ଦରଦୀ ହୃଦୟ ନେଇ ଇଜାନଙ୍କ ପାଖକୁ ଦୌଡ଼ି ଯାଇଥିଲେ ଅଶୋକ। ତାଙ୍କୁ ସଙ୍ଗେସଙ୍ଗେ ମେଡିକାଲ୍ ନେଇ ସେଠାରେ ତାଙ୍କର ଚିକିତ୍ସା କରାଇଲେ। ଦିଲ୍ଲୀରେ ଏକ୍‌ଦମ ଅଜଣା ଥିବା ଇଜାନଙ୍କୁ ଯେମିତି ବିପଦ ସମୟରେ ସାହାରା ମିଳିଗଲା। ଅଶୋକ ବି ଅଧାବାଟରେ ଛାଡ଼ି ଦେଇ ଚାଲିଯାଇନଥିଲେ। ଇଜାନ୍‌ ସୁସ୍ଥ ହେବା ଯାଏଁ ତାଙ୍କର ସେବା ଶୁଶ୍ରୂଷା କଲେ। ବାସ୍‌ ଏହି ଦରଦୀପଣିଆ ହିଁ ଇଜାନ୍‌ଙ୍କୁ ଆକର୍ଷିତ କଲା। ଏ ଆକର୍ଷଣ ଯେ ପ୍ରେମର ରୂପ ନେବ ତାହା ଅଶୋକଙ୍କୁ ବି ଜଣା ନଥିଲା। କିନ୍ତୁ ଅଶୋକଙ୍କର ଏହି ମାନବିକତା ପାଇଁ ଇଜାନ୍‌ ତାଙ୍କୁ ଫ୍ରାନ୍ସକୁ ବୁଲାଇ ନେଲେ। ସେଠି ଦୁହେଁ ଖୋଲା ଆକାଶରେ ପାଲଟି ଯାଇଥିଲେ ପ୍ରେମ ବିହଙ୍ଗ। ପ୍ରେମ ଆକାଶରେ ଉଡ଼ିବା ବେଳେ ଯୋଡ଼ି ହୋଇଯାଇଥିଲା ମନ। ତେଣୁ ଦୁହେଁ ‌ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ଦୁହେଁ କୁହନ୍ତି, କେହି କାହାକୁ ପ୍ରେମ ନିବେଦନ କରିବାକୁ ପଡ଼ିନାହିଁ। କିନ୍ତୁ ପ୍ରେମ ହୋଇଯାଇଛି। ହାତଗଣ୍ଠି ପଡ଼ିନାହିଁ କିନ୍ତୁ ଅଶୋକ ଓ ଇଜାନ୍‌ ମିଶି ଅଶୋକିଜାନ୍‌ ହୋଇଯାଇଛନ୍ତି।

ଇଜାନ୍‌ ଥିଲେ ଜଣେ ଭେଟେନାରି ନର୍ସ। ତେଣୁ ରୋଜଗାର ଥିଲା। ଇଜାନ୍‌ ନିଷ୍ପତ୍ତି ନେଲେ ଫ୍ରାନ୍ସରେ ଅଶୋକଙ୍କୁ ନେଇ ଏକ‌ ରେସ୍ତୋରାଁ ଖୋଲିବେ। ତାଙ୍କ ସ୍ବପ୍ନ ସାକାର ହେଲା। କିନ୍ତୁ ଇଜାନଙ୍କ ଚାକିରି ଜୀବନ ପରେ ଦୁହେଁ ଓଡ଼ିଶାକୁ ଚାଲି ଆସିଲେ। ଦୀର୍ଘ ୮ ବର୍ଷ ହେଲା ସେ ପୁରୀରେ ରହି ଆସୁଛନ୍ତି। ଓଡ଼ିଆ ବୋହୂଟିଏ ଭଳି ପାଦରେ ଝୁଣ୍ଟିଆ, ହାତରେ ଶଙ୍ଖା ଓ ମଥାରେ ସିନ୍ଦୂର ପିନ୍ଧୁଛନ୍ତି। ମହାପ୍ରଭୁ ତୁଳସୀ ପ୍ରିୟ ବୋଲି ଜାଣିବା ପରେ ବାଡ଼ିରେ ତୁଳସୀ ଲଗାଇଛନ୍ତି। ସକାଳୁ ଉଠିଲେ ମହାପ୍ରଭୁଙ୍କୁ ପୂଜା କରି ନିଜର କର୍ମମୟ ଜୀବନ ଆରମ୍ଭ କରନ୍ତି। ସେ ଯେ କେବଳ ମଣିଷର ହୃଦୟ ଚିହ୍ନନ୍ତି ତାହା ନୁହେଁ, ବରଂ ବୁଲା କୁକୁର ଓ ଜୀବଜନ୍ତୁଙ୍କ ପାଇଁ ସକାଳୁ ଖାଦ୍ୟ ପ୍ରସ୍ତୁତ କରି ନିଜ ସ୍କୁଟିରେ ନେଇ ବୁଲିବୁଲି ବାଣ୍ଟନ୍ତି। ଧୀରେଧୀରେ ଓଡ଼ିଆ କହିବା ଆରମ୍ଭ କଲେଣି। ସାହି ପଡ଼ିଶାଙ୍କ ସହ ମିଶି ସୁଖ ଦୁଃଖ ବି ବାଣ୍ଟୁଛନ୍ତି। ଇଜାନଙ୍କ ପଡ଼ୋଶୀମାନେ କୁହନ୍ତି, ଇଜାନ ଏତେ ମିଶାଣିଆ ‌ଯେ କେବେ ବି ସେ ବିଦେଶିନୀ ବୋଲି ତାଙ୍କୁ ଅନୁଭବ ହୋଇନାହିଁ। ବରଂ ସେ ବି ସାଧାରଣ ମଣିଷଟିଏ ଭଳି ଅତି ଅନ୍ତରଙ୍ଗ ଭାବେ ମିଶିପାରନ୍ତି।

ସମ୍ବନ୍ଧିତ ଖବର