ସୁନ୍ଦରଗଡ଼ : ସୁନ୍ଦରଗଡ଼ ପୁଲିସ ଜିଲ୍ଲାର ୮ ପୁଲିସ ଅଧିକାରୀଙ୍କ ବିରୋଧରେ ଭିଜିଲାନ୍ସ ଏବଂ ଓଡ଼ିଶା ମାବାଧିକାର କମିସନ (ଓଏଚ୍‌ଆର୍‌ସି)ଙ୍କ ନିକଟରେ ମାମଲା ଗଡ଼ୁଛି। ଏମାନେ ହତ୍ୟା ଅଭିଯୋଗ ସହ ବିଭିନ୍ନ ମାମଲାରେ ଛନ୍ଦିହୋଇଥିବା ବେଳେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ। ମାମଲାଗୁଡ଼ିକ ବର୍ଷବର୍ଷ ଧରି ସେମିତି ପଡ଼ି ରହିଛି।

Advertisment

ସୂଚନା ଅନୁସାରେ, ସୁନ୍ଦରଗଡ଼ ଜିଲ୍ଲା ସର୍ଗିପାଲି ଫାଣ୍ଡି ଦାୟିତ୍ବରେ ଥିବା ପୁଲିସ ଏସ୍‌ଆଇ ପ୍ରଜ୍ଞାପ୍ରୀତମ ଜେନାଙ୍କ ନାମରେ ରହିଛି ହତ୍ୟା ଅଭିଯୋଗ। ୭ ବର୍ଷ ତଳେ ୨୦୧୬ ନଭେମ୍ବର ୮ରେ ହାତୀବାରି ଥାନା ଦାୟିତ୍ବରେ ଥିବାବେଳେ ‌ହୋଇଥିଲା ଅଭିଯୋଗ। ପୁରୁଣାପାଣି ଟିକ୍ସୋ ଅଞ୍ଚଳରେ ଜୁଆ ଖେଳିବା ଅଭିଯୋଗରେ ତେହେରଡ଼ିହି ଗାଁର ଜଗମୋହନ ବଡ଼ାଇକ (୩୫)ଙ୍କୁ ଉଠାଇ ଆଣି ନିସ୍ତୁକ ମାଡ଼ ମାରିଥିଲେ ପୁଲିସ ବାବୁ। ମାଡ଼ରେ ଯୁବକଙ୍କ ଅବସ୍ଥା ଗୁରୁତର ହେବାରୁ ପୁଲିସ ଗାଡ଼ିରେ ନେଇ ପାହାଡ଼ଟୋଲି ନିକଟରେ ଫିଙ୍ଗି ଦେଇଥିଲେ। ଖବର ପାଇ ପରିବାର ଲୋକେ ଘଟଣାସ୍ଥଳକୁ ଆସି ଗୁରୁତର ଜଗମୋହନକୁ ପ୍ରଥମେ ହାତୀବାରି ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ବୁର୍ଲା ବୀର ସୁରେନ୍ଦ୍ର ସାଏ ହସ୍ପିଟାଲକୁ ନେଇଥିଲେ। ସେଠାରେ ୩ ଦିନ ଚିକିତ୍ସିତ ହେବା ପରେ ନଭେମ୍ବର ୧୧ ତାରିଖରେ ପ୍ରାଣ ହରାଇଥିଲେ ଜଗମୋହନ। ଏହା ପରେ ମୃତ ଜଗମୋହନଙ୍କ ପତ୍ନୀଙ୍କ ଅନଲାଇନ୍‌ ଏତଲାକ୍ରମେ ତତ୍କାଳୀନ ଏସ୍‌ପି ନିଖିଲ କାନୋଡ଼ିଆଙ୍କ ନିର୍ଦ୍ଦେଶରେ ହାତୀବାରି ଥାନାରେ ଏସ୍‌ଆଇ ଶ୍ରୀ ଜେନାଙ୍କ ନାମରେ ୨୦୧୬ ଡିସେମ୍ବର ୨୯ ତାରିଖରେ ଏକ ହତ୍ୟା ମାମଲା ରୁଜୁ ହୋଇଥିଲା। ୨୦୧୭ରେ ମାମଲା ଓଡ଼ିଶା ମାନବିକ ଅଧିକାର କମିସନରେ ପହଞ୍ଚିଥିଲା। ୨୦୧୭ରୁ ମାମଲାଟି ସେମିତି ପଡ଼ିରହିଛି। ଏପଟେ ହତ୍ୟା ଅଭିଯୁକ୍ତ ପୁଲିସ ବାବୁଙ୍କୁ ବିଭାଗ ପ୍ରୀତି ଦେଖାଇ ସମୟ ଅନ୍ତରରେ ଏ ଥାନାରୁ ସେ ଫାଣ୍ଡି, ସେ ଫାଣ୍ଡିରୁ ଏ ଫାଣ୍ଡିର ଦାୟିତ୍ବ ଦେଇଚାଲିଛି।

ନିୟମ ଅନୁସାରେ, କୌଣସି ଜଘନ୍ୟ ଅପରାଧିକ ମାମଲାର ଅଭିଯୁକ୍ତ ପୁଲିସ ଅଧିକାରୀ ନିର୍ଦ୍ଦୋଷ ସାବ୍ୟସ୍ତ ନ‌ହେବା ଯାଏ ତାଙ୍କୁ କୌଣସି ଥାନା କି ଫାଣ୍ଡି ଦାୟିତ୍ବ ଦିଆଯାଇ ପାରିବନାହିଁ। ଏହା ବିଭାଗୀୟ ଶୃଙ୍ଖଳା ପରିସରଭୁକ୍ତ ମଧ୍ୟ। କିନ୍ତୁ ହତ୍ୟା ମାମଲାରେ ଜାମିନରେ ଥିବା ପୁଲିସ ଅଧିକାରୀଙ୍କ ପ୍ରତି ବିଭାଗର ଦରଦ କାଣିଚାଏ ବି ଊଣା ହୋଇନାହିଁ। ଗତ ମାର୍ଚ୍ଚ ୨୦୨୩ରେ ସୂଚନା ଅଧିକାର ଆଇନରେ ମିଳିଥିବା ତଥ୍ୟାନୁସାରେ, ଏଏସ୍‌ଆଇ ଉଦୟନାଥ ସ୍ବାଇଁଙ୍କ ନାମରେ ୨୦୦୨ରୁ ଭିଜିଲାନ୍ସ ମାମଲା ପଡ଼ିଛି। ସେହିପରି ଏସ୍‌ଆଇ ସୁଜିତ କୁମାର ସାହୁଙ୍କ ନାମ‌ରେ ୨୦୦୭ରୁ, ଏସ୍‌ଆଇ ବିନାୟକ ଦ୍ବିବେଦୀଙ୍କ ନାମରେ ୨୦୦୯ରୁ, ଏସ୍‌ଆଇ କୈଳାସଚନ୍ଦ୍ର ସ୍ବାଇଁଙ୍କ ନାମରେ ୨୦୧୧ରୁ, ଏଏସ୍‌ଆଇ ପ୍ରଭାକର ପଣ୍ଡାଙ୍କ ନାମରେ ୨୦୧୨ରୁ, କନଷ୍ଟେବଳ ପ୍ରଦୀପ କୁମାର ପଟେଲଙ୍କ ନାମରେ ୨୦୧୩ରୁ ଓ ଏଏସ୍‌ଆଇ କୈଳାସ ନାଏକଙ୍କ ନାମରେ ୨୦୨୧ରୁ ଭିଜିଲାନ୍ସ ମାମଲା ପଡ଼ିରହିଛି। କିନ୍ତୁ ଏହି ପୁଲିସବାବୁମାନେ ବେଶ ଆରାମରେ ରହିଛନ୍ତି।